ଭୁବନେଶ୍ଵର, ୧୭/୧୧ : ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ୍-ରେଜିଷ୍ଟାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି।
ସେହିପରି ଆଇନ ମନ୍ତ୍ରୀ କହିଛନ୍ତି ଯେ, ବାସେଳୀ ସାହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ୍ ସଂଗ୍ରହ କରିବା ପାଇଁ ଆଇନ ବିଭାଗ ଯୋଜନା କରୁଛି। ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର ସେଟଲମେଣ୍ଟ କରାଯିବ। ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକରେ ଦୀର୍ଘ ଦିନ ଧରି ଲୋକେ ଜବରଦଖଲ କରିଛନ୍ତି। ଏହି ପ୍ରକ୍ରିୟା ଫଳରେ ସେ ଜମି ମୁକ୍ତ ହୋଇପାରିବ। ସେଟଲମେଣ୍ଟ ହେବା ଦ୍ୱାରା ପ୍ରାୟ ୮ ରୁ ୧୦ ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ୍ ଗଠନ ହୋଇପାରିବ।
ପ୍ରକାଶ ଥାଉକି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନାକତଳେ ମହାପ୍ରଭୁଙ୍କ ଜମିର ବେଆଇନ ବିକ୍ରି ଚାଲିଥିଲା। କୌଣସି ମତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସମ୍ପର୍କରେ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ମୂଲ୍ୟବାନ ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍ ହସ୍ତାନ୍ତର ଉଦ୍ୟମ ହୋଇଛି । ଏହି ୧୦୯ଟି ପ୍ଲଟ୍ ୬୪ ଏକରରୁ ଅଧିକ ଜମି ହେବ ବୋଲି ଜଣାପଡ଼ିଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରେସ୍ ବାର୍ତ୍ତାରେ ଗଣାମଧ୍ୟମକୁ ଜଣାଇଛନ୍ତି । ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ।
ଏଥିସହ ଜନସାଧାରଣଙ୍କୁ ଅବଗତ କରିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପଭିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଅବୈଧ। ଏହାଦ୍ୱାରା ନିଜେ ଠକେଇର ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ । ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଅତୀତରେ ମାଟିତୋଟାରେ ଥିବା ମହାପ୍ରଭୁଙ୍କ ଜମି ବେଆଇନ ବିକ୍ରି ଓ ହସ୍ତାନ୍ତର ନେଇ ‘ପ୍ରମେୟ’ରେ ଅନେକ ଥର ଖବର ପ୍ରକାଶ ପାଇଛି । ମହାପ୍ରଭୁଙ୍କ ଜମି ଜବରଦଖଲ କରି ରଖିଥିବା ଦଲାଲମାନେ ଲୋକଙ୍କୁ ଫୁସଲାଇ ନୋଟାରୀ କାଗଜପତ୍ରରେ ଏକ ମିଛ ପ୍ରତିଶ୍ରୁତି ଦେଇ ବିକ୍ରିବଟା ଚଳାଇ ଆସୁଛନ୍ତି । ମାତ୍ର ତତ୍କାଳୀନ ଅଧିକାରୀ କିମ୍ବା ସରକାର ଏହାକୁ ଗୁରୁତ୍ୱ ଦେଇନାହାନ୍ତି । । ୨୪ ବର୍ଷ ପରେ ନୂଆ ସରକାର ଆସିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନିକ ଦାୟିତ୍ୱକୁ ଫେରିଥିବା ଡ. ଅରବିନ୍ଦ ପାଢ଼ୀ କିଛିଦିନ ତଳେ ବେଆଇନ ନିଯୁକ୍ତି ଓ ବେଆଇନ ଜମି କାରବାର ସମ୍ପର୍କରେ ସୁରାକ୍ ପାଇଥିଲେ । ପରେ ପ୍ରଥମେ ଅବସର ପରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ଜଣଙ୍କ ପରେ ଜଣଙ୍କୁ ବିଦା କରିଥିଲେ । କିଛିଦିନ ତଳେ ଶ୍ରୀମନ୍ଦିର ଜମି ଉପବିଭାଗ ଓ ଅନ୍ୟ ଉପବିଭାଗରେ ଦୀର୍ଘ ଦିନ ଧରି ଗୋଟିଏ ସିଟ୍ରେ ରହିଥିବା ଅଧିକାରୀଙ୍କୁ ଉପବିଭାଗ ସ୍ତରରେ ଅଦଳବଦଳ କରିଥିଲେ । ଫଳରେ ଏବେ ଶ୍ରୀମନ୍ଦିର ପ୍ରାଶାସନିକ ଅଧିକାରୀ ଓ ଦଲାଲଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ସକ୍ରିୟ ଦଲାଲମାନେ ବିକ୍ରି କରି କୋଟିକୋଟି ଟଙ୍କା ଅଣ୍ଟିରେ ପୂରାଇ ସାରିଲେଣି। ଦଲାଲଙ୍କ ମିଛ କଥାରେ ଭାସିଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ହାତେଇଥିବା ବ୍ୟକ୍ତିମାନେ ଏବେ ହିନସ୍ତା ହେବା ଆଶଙ୍କା ଦେଖାଦେଇଛି।