କମ୍ପାନୀର ଖଣି ଲିଜ୍କୁ ବିରୋଧ କରି ଜନ ସମାବେଶ

କାଶୀପୁର – କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ସରମ ବାଇ ଗ୍ରାମରେ ଗତକାଲି ଆଦିବାସୀଙ୍କ ଜଳ,ଜମି,ଜଙ୍ଗଲର ଅଧିକାରକୁ ନେଇ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଖଣି ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ବୈଠକରେ ବେଦାନ୍ତକୁ ସିଜୁ ମାଳି ଏବଂ ଆଦାନୀ କମ୍ପାନୀକୁ ଶାଶୁ ବୋହୂ ମାଳି , ସରକାର ଲିଜ୍ ସୂତ୍ରରେ ଟେକି ଦେଉଥିବା ନିଷ୍ପତ୍ତିକୁ ଦୃଢ ବିରୋଧ କରାଯାଇଥିଲା ।
ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ବଳିଦାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ ଆଜାଦ, ଭାଲ ଚନ୍ଦ୍ର ଷଡଙ୍ଗୀ, ବିଜୟ ଉପାଧ୍ୟାୟ ପ୍ରମୁଖ ବିଭିନ୍ନ ଜନ ଆନ୍ଦୋଳନର ନେତା ଯୋଗ ଦେଇଥିଲେ। ସହିଦ ନେତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱାଧୀନତା ସଂଗ୍ରାମରେ ସହିଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଲାଭ ଖୋର କମ୍ପାନୀ ମାନେ ବିକାଶ ନାମରେ ଏ ଅଞ୍ଚଳର ଖଣିଜ ସମ୍ପଦକୁ ଲୁଟ କରି ଲୋକଙ୍କ ଜୀବନ ଜୀବିକାକୁ ଛଡାଇ ନେବାକୁ ଆସୁଛନ୍ତି । ଗତ ଦିନରେ ନିୟମଗିରି ଅଞ୍ଚଳବାସୀ ଗ୍ରାମସଭା ଜରିଆରେ ବେଦାନ୍ତକୁ ଉଚିତ ଜବାବ ଦେଇଥିଲେ। ଏହିପରି ନିଜର ହକ୍ ପାଇଁ କମ୍ପାନୀ ବିରୋଧରେ ଏକଜୁଟ ହୋଇ ଲଢେ଼ଇ କରିବାକୁ ଉକ୍ତ ସମାବେଶରେ ଆହ୍ବାନ ଦିଆଯାଇ ଥିଲା ।
ବିଭିନ୍ନ ଖଣି ସୁରକ୍ଷା କମିଟିର କାର୍ଯ୍ୟକର୍ତ୍ତାଙ୍କ ସହ ଖଣି ପ୍ରଭାବିତ କଳାହାଣ୍ଡି ଜିଲ୍ଲାଥୁଆ ମୂଳ ରାମ ପୁର ବ୍ଲକ ଏବଂ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବହୁ ଜଣ ସମାବେଶରେ ଯୋଗ ଦେଇଥିଲେ ।