ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ଭୟରେ ନିୟନ୍ତ୍ରଣ ରେଖା ନିକଟରୁ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ ହଟାଇଲା ପାକିସ୍ତାନ

source:http://www.defencenews.in
ନୂଆଦିଲ୍ଳୀ,୧୭।୨(ଏଜେନ୍ସି):ପୁଲଓ୍ବାମା ଆକ୍ରମଣ ଘଟଣା ପରେ ସରକାର ଆାତଙ୍କବାଦୀଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ କରିବାର ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲଓ୍ବାମାରେ ଆକ୍ରମଣ ପରେ ନିଜର ଏକ ବୟାନରେ ସୁରକ୍ଷାକର୍ମୀଙ୍କୁ ଖୋଲା ଖୋଲି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁପ୍ରକାର ସ୍ବାଧୀନତା ଦେଇଛନ୍ତି। ଏହାପରେ ଆଶା କରାଯାଉଛି ଯେ ଭାରତ ପୁଣିଥରେ ସୀମାପାର ଆତଙ୍କବାଦୀ କ୍ୟାମ୍ପରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ। ନିଜେ ପାକିସ୍ତାନ ମଧ୍ୟ ଭାରତୀୟ ସେନାର ସମ୍ଭାବିତ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଭୟଭୀତ।ସେଥିପାଇଁ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ନିଜର ଆତଙ୍କୀ ଲଞ୍ଚ ପ୍ୟାଡ୍ ଗୁଡିକରୁ ଆତଙ୍କବାଦୀଙ୍କୁ ସୈନ୍ୟ କ୍ୟାମ୍ପକୁ ସ୍ଥାନାନ୍ତରଣ କରୁଛି। ଗତ ଗୁରୁବାର ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଭାରତ ଏବେ ଏହି ଘଟଣାରେ ପାକିସ୍ତାନ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି।

ଗୁଇନ୍ଦା ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଦ୍ବାରା ଆଗୁଆ ଏହି ପଦକ୍ଷେପ ନିଆଯାଇଛି। ଦୁଇ ଦେଶ ଭିତରେ ବିବାଦ ରହିଛି କିନ୍ତୁ ଏପର୍ଯ୍ୟନ୍ତ ସୀମାରେ କୌଣସି ପ୍ରକାର ସେନା ଗତିବିଧି ଦେଖିବାକୁ ମିଳିନାହିଁ। ଗୁଇନ୍ଦା ସୁତ୍ର ଅନୁସାରେ ଏବେ ନିୟନ୍ତ୍ରଣ ରେଖା ନିକଟରେ କୌଣସି ଆତଙ୍କବାଦୀ ଲଞ୍ଚ ପ୍ୟାଡ ନାହିଁ। ଉଲ୍ଳେଖନୀୟ ଯେ ୨୦୧୬ରେ ଉରି ଆକ୍ରମଣରେ ଭାରତୀୟ ବାୟୁସେନା ପିଓକେରେ ପଶି ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍କୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ଏହି ଆକ୍ରମଣରେ ୪୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ପୁଲଓ୍ବାମ ଆକ୍ରମଣ ପରେ ପୁଣିଥରେ ସୀମାପାର ସର୍ଜିକାଲ ଷ୍ଟ୍ରାଇକ୍ କରିବାର ଦାବି କରାଯାଉଛି।

ଏହା ମଧ୍ୟରେ ଖବର ଆସିଛି ଯେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଆତଙ୍କବାଦୀଙ୍କ ପାଇଁ ରିଫ୍ରେଶର କୋର୍ସ ଡିଜାଇନ୍ କରୁଛି। ଏହି କୋର୍ସ ପୁରୁଣା ଆତଙ୍କବାଦୀଙ୍କ ପାଇଁ ହେବ। ଏହି ରିଫ୍ରେସର କୋର୍ସ ୨୮ ଦିନର ହେବ। ପାକିସ୍ତାନୀ ସେନା ଲେଫ୍ଟନାଣ୍ଟ କର୍ନଲ ଇମ୍ରାନ ଏହି ରିଫ୍ରେଶର କୋର୍ସକୁ ଲାଗୁ କରାଇବେ।