ପୁଣେ, ୨୩।୬: ଇନ୍ଦୋରର ଚର୍ଚ୍ଚିତ ସୋନମ ରଘୁବଂଶୀ ମାମଲା ଭଳି ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ସ୍ତବ୍ଧ କଲାଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଯୁବତୀ ନିଜ ପ୍ରେମିକ ସହ ମିଶି ନିଜ ଭାବୀ ସ୍ୱାମୀଙ୍କୁ ପାହାଡ଼ରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ଏହାକୁ ଏକ ଦୁର୍ଘଟଣା କୁହାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ୨୪ ବର୍ଷୀୟ କେତନ ଅଗ୍ରୱାଲ । ଆସନ୍ତା ମାସରେ ତାଙ୍କର ଜୟପୁରରେ ଭବ୍ୟ ବିବାହ ହେବାର ଥିଲା । ଭାବି ସ୍ୱାମୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ । ପୁଣେର ପ୍ରସିଦ୍ଧ ଲୋହାଗଡ଼ ଦୁର୍ଗରେ ଏହି ଘଟଣା ଘଟିଛି ।   

ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଓ ପୁଲିସ ଖୁଲାସା:

ପୂର୍ବରୁ କେତନ ଓ ସିୟା ବାଲି ବୁଲିଯିବାର ଯୋଜନା ଥିଲା । ମାତ୍ର ସିୟା ନିଜ ପାସପୋର୍ଟକୁ ନିଜେ ଚିରି ଫିଙ୍ଗିଦେଇ ପାସପୋର୍ଟ ହଜିଯାଇଥିବା ନାଟକ କରି ଯାତ୍ରା ବାତିଲ କରିଥିଲେ । ପୁଲିସ ସୂଚନା ଅନୁସାରେ, ମେ ୩୧ ଓ ଜୁନ୍ ୧୪ ରେ ମଧ୍ୟ କେତନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଜୁନ୍ ୧୪ରେ କେତନଙ୍କୁ ସାପର ଭୟ ଦେଖାଇ ଖାଇ ଆଡ଼କୁ ନେବାକୁ ଚେଷ୍ଟା କରାଯାଇଥିଲା, ହେଲେ ସେ ବଞ୍ଚିଯାଇଥିଲେ । ସିୟାଙ୍କ ଜନ୍ମଦିନ ଅବସରରେ ପୁଣିଥରେ ଲୋହାଗଡ଼ ଟ୍ରେକିଂର ଯୋଜନା କରାଯାଇଥିଲା । ସେଠାରେ ପ୍ରେମିକ ଚେତନ ମଧ୍ୟ ପହଞ୍ଚିଥିଲେ । ଦୁହେଁ ମିଶି କେତନଙ୍କୁ ପାହାଡ଼ ଉପରୁ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ କେତନଙ୍କ ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ... ଧର୍ମାନ୍ତରୀକରଣ ଉପରେ ଲାଗିବ ଅଙ୍କୁଶ, ବିଦେଶୀ ଫଣ୍ଡ ପାଉଥିବା ଏନ୍‌ଜିଓ ଉପରେ ମୋଦି ସରକାର ରଖିବେ ନଜର

କେମିତି ଧରାପଡ଼ିଲେ ଅଭିଯୁକ୍ତ ?

ପ୍ରଥମେ ଫଟୋ ଉଠାଇବା ବେଳେ ସନ୍ତୁଳନ ହରାଇ କେତନ ଖସିପଡ଼ିଥିବା କୁହାଯାଇଥିଲା । ମାତ୍ର ସିୟାଙ୍କ ସନ୍ଦେହଜନକ ବୟାନ ପରେ ପୁଲିସ ମୋବାଇଲ୍ କଲ୍ ରେକର୍ଡ, ସୋସିଆଲ ମିଡିଆ ଏବଂ ଡିଜିଟାଲ୍ ପ୍ରମାଣର ଯାଞ୍ଚ କରିଥିଲା । ଏଥିରୁ ସିୟା ଓ ଚେତନଙ୍କ ପ୍ରେମ ସମ୍ପର୍କ ଏବଂ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ପୁଣେ ଗ୍ରାମୀଣ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଳାଇଛି ।