ଭୁବନେଶ୍ବର,୨୩/୬ : ଦୁବାଇର ବରିଷ୍ଠ ପ୍ରବାସୀ ଓଡ଼ିଆ, ଜ୍ୟେଷ୍ଠ କର୍ପୋରେଟ୍ କାର୍ଯ୍ୟନିର୍ବାହୀ ଏବଂ ଅନୁଭବୀ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀଙ୍କ ନୂଆ କୀର୍ତ୍ତିମାନ । ଜୋର୍ଡାନର ଆକାବା ସମୁଦ୍ରତଟ ନିକଟ ଲାଲ ସାଗର ତଳେ ବୁଡ଼ିଥିବା ଏକ ବିଶାଳ ଯାତ୍ରୀବାହୀ ବିମାନ ଭିତରେ ପ୍ରବେଶ କରି ସ୍କୁବା ଡାଇଭ୍ କରିଛନ୍ତି । ଗତ ରବିବାର ଏହି ସଫଳତା ହାସଲ କରିଛନ୍ତି ।
ଏହି ବିମାନଟି ହେଉଛି ଲକହିଡ୍ ଏଲ୍-୧୦୧୧ଟ୍ରାଇଷ୍ଟାର (Lockheed L-1011 TriStar), ଯାହା ବର୍ତ୍ତମାନ ସମୁଦ୍ରତଳରେ ଏକ କୃତ୍ରିମ ପ୍ରବାଳ ପ୍ରାଚୀର ଭାବେ ପରିବର୍ତ୍ତିତ ହୋଇଛି । ବର୍ତ୍ତମାନ ଏହି ବିମାନଟି ୧୮ରୁ ୨୮ମିଟର (୫୯–୯୨ ଫୁଟ୍) ଗଭୀରରେ ଅବସ୍ଥିତ । ଡାଇଭ୍ ସମୟରେ ପ୍ରିୟଦର୍ଶୀ ୨୮.୭ମିଟର (୯୪ ଫୁଟ୍) ଗଭୀରତାକୁ ଅବତରଣ କରି ବିମାନର ଭିତରକୁ ପ୍ରବେଶ କରିଥିଲେ । ସେ ବିମାନର ଯାତ୍ରୀ କେବିନ୍ ଦେଇ ଆଗକୁ ବଢ଼ିଥିଲେ । କକପିଟ୍ ପରିଦର୍ଶନ କରିଥିଲେ ଏବଂ ବିମାନର ବିଭିନ୍ନ ଅଂଶ ଅନୁଭବ କରିଥିଲେ । ଡାଇଭ୍ର ସବୁଠାରୁ ରୋମାଞ୍ଚକର ମୁହୂର୍ତ୍ତ ଥିଲା ସେ ଟ୍ରାଇଷ୍ଟାରର ବିଶିଷ୍ଟ ଟେଲ୍-ମାଉଣ୍ଟେଡ୍ ତୃତୀୟ ଇଞ୍ଜିନ୍ ଅଂଶ ମାଧ୍ୟମରେ ବାହାରିଥିବା ଅନୁଭୂତି । ଯାହା ଏହି ବିମାନର ‘S-duct’ ଡିଜାଇନ୍ ଯୋଗୁଁ ସମ୍ଭବ ହୋଇଛି।
ପ୍ରିୟଦର୍ଶୀ କହିଛନ୍ତି, "ଏହା କେବଳ ଆଉ ଗୋଟିଏ ଡାଇଭ୍ ନୁହେଁ। ଏକ ମୁହୂର୍ତ୍ତରେ ଆପଣ ସମୁଦ୍ର ମଧ୍ୟରେ, ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ଏକ ବିଶାଳ ବିମାନ ଭିତରେ ପହଁରୁଛନ୍ତି । ଆକାଶରେ ୩୦,୦୦୦ରୁ ୩୫,୦୦୦ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବିମାନଟି ଏବେ ସମୁଦ୍ରତଳରେ ରହିବା ଏକ ସ୍ବପ୍ନ ସଦୃଶ ଅନୁଭୂତି ।"୧୯୮୩ ମସିହାରେ ବାଣିଜ୍ୟିକ ସେବାରେ ଆସିଥିବା ୫୦ମିଟର ଲମ୍ବା ଏବଂ ୫୦ମିଟର ୱିଙ୍ଗସ୍ପାନ୍ ବିଶିଷ୍ଟ ଏହି ଲକହିଡ୍ ଏଲ୍-୧୦୧୧ ଟ୍ରାଇଷ୍ଟାର ବିମାନଟି, ସେବା ଶେଷ ପରେ ୨୦୧୯ ଅଗଷ୍ଟରେ ଉଦ୍ଦେଶ୍ୟପୂର୍ବକ ସମୁଦ୍ରରେ ବୁଡ଼ାଯାଇଥିଲା।
ଆଜି ଏହି ବିମାନର କକପିଟ୍ ଓ ଯାତ୍ରୀ କେବିନ୍ ଭିତରେ ମାଛମାନେ ଗତି କରୁଛନ୍ତି, ପ୍ରବାଳ ଓ ସମୁଦ୍ରଜୀବ ଏହାକୁ ଏକ ସକ୍ରିୟ ଜଳଜ ପରିବେଶରେ ପରିଣତ କରିଛନ୍ତି । ଖୋଲା ସମୁଦ୍ରରେ ସାଧାରଣ ରିଫ୍ ଡାଇଭ୍ଠାରୁ ଲକହିଡ୍ ଟ୍ରାଇଷ୍ଟାର୍ ବିମାନର ଭିତରକୁ ପ୍ରବେଶ କରି ଡାଇଭିଂ କରିବା ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି । ବିମାନର ଭିତର ଏକ ସୀମିତ ଓ ବନ୍ଦ ପରିବେଶ ହୋଇଥିବାରୁ ସେଠାରେ ସିଧାସଳଖ ପାଣି ଉପରକୁ ଉଠିଆସିବାର ସୁଯୋଗ ନ ଥାଏ । ଏପରି ପରିସ୍ଥିତିରେ ବିମାନ ସହ ସଂସ୍ପର୍ଶକୁ ଏଡ଼ାଇ ସୁରକ୍ଷିତ ଭାବେ ଚଳାଚଳ କରିବା ପାଇଁ ଡାଇଭରଙ୍କର ସଠିକ୍ ବୁଏନ୍ସି (Buoyancy) ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ । ଏହି କାରଣରୁ କେବଳ ଆଡଭାନ୍ସଡ୍ ଓପେନ୍ ୱାଟର ଡାଇଭରମାନଙ୍କୁ ହିଁ ବିମାନର ଭିତରକୁ ପ୍ରବେଶ କରି ଡାଇଭିଂ କରିବାକୁ ଅନୁମତି ଦିଆଯାଏ । ବର୍ଷ ଗୁଡ଼ିକ ଧରି ପ୍ରିୟଦର୍ଶୀ ଏସିଆ, ଆଫ୍ରିକା ଓ ୟୁରୋପର ବିଭିନ୍ନ ପ୍ରସିଦ୍ଧ ଡାଇଭ୍ ସ୍ଥଳରେ ଡାଇଭ୍ କରିଛନ୍ତି, ଯାହାରେ ମାଲଦିଭ୍ସ, ମାଲେସିଆ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ତାନ୍ଜାନିଆ (ଜାଞ୍ଜିବାର) ଓ ସାଇପ୍ରସ୍ ଅନ୍ତର୍ଭୁକ୍ତ।
ସେ ଓ ତାଙ୍କ ଝିଅ ତିସ୍ୟା ପାଣିଗ୍ରାହୀ ଉଭୟେ Advanced Open Water Divers । ଯାହା ତାଙ୍କୁ ଭାରତର କମ୍ ଦୁର୍ଲଭ ପିତା-ଝିଅ ଅନ୍ତର୍ଜାତୀୟ ସ୍କୁବା ଡାଇଭିଂ ଯୁଗଳ ମଧ୍ୟରେ ସ୍ଥାନ ଦେଇଛି । ତିଷ୍ୟା ଜଣେ ଓଡ଼ିଆ ସ୍କୁବା ଡାଇଭର ଭାବେ ଅନେକ କୀର୍ତ୍ତିମାନଙ୍କର ଅଧିକାରିଣୀ। ଏହି ପିତା-ଝିଅ ଯୁଗଳ ବିଭିନ୍ନ ଅନ୍ତର୍ଜାତୀୟ ଡାଇଭ୍ ସ୍ଥଳରେ ଅଭିଯାନ କରିଛନ୍ତି । ଯାହା ଦୁଃସାହସ, ଜଳଜ ଅନୁସନ୍ଧାନ ଏବଂ ସମୁଦ୍ର ସଂରକ୍ଷଣ ପ୍ରତି ସେମାନଙ୍କ ଆଗ୍ରହକୁ ପ୍ରକାଶ କରେ । ପ୍ରିୟଦର୍ଶୀ ପୂର୍ବତନ ମନ୍ତ୍ରୀ ଓ ସାଂସଦ ସ୍ୱର୍ଗତ ବଲ୍ଲଭ ପାଣିଗ୍ରାହୀ ଏବଂ ଶିକ୍ଷାବିଦ୍ ସ୍ୱର୍ଗତ ସୁନନ୍ଦା ପାଣିଗ୍ରାହୀଙ୍କ ପୁତ୍ର । ସେ ସମ୍ବଲପୁରର ପୂର୍ବତନ ବିଧାୟିକା ସ୍ୱର୍ଗତ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପୁତୁରା ମଧ୍ୟ ଅଟନ୍ତି।