ନୂଆଦିଲ୍ଲୀ,୩୧/୧୨:ଗତକାଲି ବିଭିନ୍ନ ଦାବିକୁ ନେଇ ପଞ୍ଜାବ ବନ୍ଦ ଡ଼ାକରା ଦେଇଥିଲେ କୃଷକ ସଂଗଠନ । ଯାହାକୁ ନେଇ ସାରା ରାଜ୍ୟ ପ୍ରଭାବିତ ହୋଇଥିଲା । କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ଅନଶନକୁ ୩୫ ଦିନ ବିତିଥିବା ବେଳେ ଗତକାଲି କୃଷକ ସଂଗଠନ ସେମାନଙ୍କ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଥିଲେ। ଏନେଇ  ରାଜ୍ୟରେ ମାଲବାହୀ ଟ୍ରେନ୍ ସମେତ ୧୦୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିଲା। ରାଜ୍ୟ ଦେଇ ଯାଉଥିବା ପ୍ରାୟ ସମସ୍ତ ଟ୍ରେନ୍ ବାତିଲ କରାଯାଇଛି।

ତେବେ ବନ୍ଦ ଯୋଗୁଁ ରାଜ୍ୟର ପ୍ରାୟ ସମସ୍ତ ଟୋଲ୍ ପ୍ଲାଜାକୁ ଚାଷୀମାନେ ପିକେଟିଂ କରି ବନ୍ଦ କରିଦେଇଥିଲେ। ବ୍ୟସ୍ତ ବହୁଳ ଦିଲ୍ଲୀ-ଜମ୍ମୁ ରାଜପଥ ଏବଂ ଲୁଧିଆନା-ଜଳନ୍ଧର ରାଜପଥ ମଧ୍ୟ ବନ୍ଦ ରହିଥିଲା। ସେହିପରି  ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ପ୍ରମୁଖ ଅଞ୍ଚଳରେ ବଜାର ଓ ଦୋକାନ ବଜାର ବନ୍ଦ ରହିଥିଲା। ଏନେଇ ବିକେୟୁ ଏକତା ଉଗ୍ରାହନ ନେତା ଯୋଗୀନ୍ଦର ସିଂହ ଉଗ୍ରାହନ କହିଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ହରିୟାଣା ଏବଂ ପଞ୍ଜାବରେ ବଡ଼ ବଡ଼ କୃଷକ ପଞ୍ଚାୟତ ଆୟୋଜନ କରାଯିବ।ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବିରେ ଡାଲେୱାଲ ନଭେମ୍ବର ୨୬ ରୁ ଅନଶନରେ ବସିଛନ୍ତି। ଡିସେମ୍ବର ୨୦ ରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଦଲେୱାଲଙ୍କ ସ୍ୱାସ୍ଥ୍ୟର ଦାୟିତ୍ୱ ଦେଇଥିଲେ । ଆବଶ୍ୟକ ପଡିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ। ପ୍ରକାଶ ଥାଉକି, ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ୧୨ ଦଫା ଦାବି ନେଇ ଦୁଇ ପ୍ରମୁଖ କୃଷକ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା  ଏବଂ କିଷାନ ମଜଦୁର ସଂଘର୍ଷ କମିଟି ୧୩ ଫେବୃଆରୀ ୨୦୨୪ରେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଥିଲେ।