ନୂଆଦିଲ୍ଲୀ: ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ର ଦଳକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୮ ୱିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଏବେ ଏହି ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ପଞ୍ଜାବ କିଙ୍ଗସର ଦ୍ରୁତ ବୋଲର ଲକି ଫର୍ଗୁସନ୍ ଆଇପିଏଲ ୨୦୨୫ରୁ ବାଦ ପଡ଼ିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଲକି ଫର୍ଗୁସନଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ତାଙ୍କ ପାଇଁ ଆଉ ଖେଳିବା ଅସମ୍ଭବ । ଏଥିପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ପଞ୍ଜାବ କିଙ୍ଗସ୍ ବୋଲିଂ ପ୍ରଶିକ୍ଷକ ଜେମ୍ସ ହୋପ୍ସ ସୂଚନା ଦେଇଛନ୍ତି ଯେ, ଏବେ ଫର୍ଗୁସନ୍‌ଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପ୍ରାୟ ଅସମ୍ଭବ।

ପଞ୍ଜାବ କିଙ୍ଗସର ବୋଲିଂ ପ୍ରଶିକ୍ଷକ ଜେମ୍ସ ହୋପ୍ସ କହିଛନ୍ତି, 'ଫର୍ଗୁସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାଦ ପଡ଼ିଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ଶେଷ ସୁଦ୍ଧା ଫେରିବା ବହୁତ କଷ୍ଟକର।’ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କେବଳ ଦୁଇଟି ବଲ୍ ପକାଇବା ପରେ ଫର୍ଗୁସନ୍ ପଡ଼ିଆ ଛାଡ଼ି ଦେଇଥିଲେ। ସେ ଚଳିତ ସିଜିନରେ ପଞ୍ଜାବ ପାଇଁ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳି ୫ଟି ୱିକେଟ୍ ନେଇଛନ୍ତି ଏବଂ ମଧ୍ୟବର୍ତ୍ତୀ ଓଭରଗୁଡ଼ିକରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଲକି ଫର୍ଗୁସନ୍‌ ଦଳରୁ ବାଦ ପଡ଼ିବା ପଞ୍ଜାବ କିଙ୍ଗସ ପାଇଁ ଏକ ବଡ଼ ବିପର୍ଯ୍ୟୟ ।  କାରଣ ଦଳରେ ଏହି ଖେଳାଳିଙ୍କୁ ରିପ୍ଲେସ୍‌ କଲା ଭଳି କୌଣସି ଖେଳାଳି ନାହାନ୍ତି। ତଥାପି, ଆଫଗାନିସ୍ତାନ ଅଲରାଉଣ୍ଡର ଆଜମାତୁଲ୍ଲା ଉମରଜାଇଙ୍କୁ ତାଙ୍କ ସ୍ଥାନରେ ଏକ ଭଲ ବିକଳ୍ପ ଭାବରେ ଦେଖାଯାଉଛି ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିଜୟ କୁମାର ବୈଶାଖ ଏକ ବିକଳ୍ପ ହୋଇପାରନ୍ତି । ସେ ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ସେବେଠାରୁ ତାଙ୍କୁ ଆଉ ସୁଯୋଗ ମିଳିନାହିଁ। ସନରାଇଜର୍ସ  ହାଇଦ୍ରାବାଦ ବିପକ୍ଷରେ ୟଶ ଠାକୁରଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା ।