ଅମୃତସର, ୯/୨ : ଯଦି ମୋର ନୁହେଁ, ତତେ ଆଉ କାହାର ହେବାକୁ ଦେବିନି । ପ୍ରେମ ସପ୍ତାହ ଚାଲିଥିବାବେଳେ ଆସିଲା ହତ୍ୟା ଖବର । ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କଲେ ବୋଲି ଗୁଳି ମାରିଦେଲା । ଓକିଲାତି ପାଠ ପଢ଼ୁଥିବା ଯୁବତୀଙ୍କ କ୍ଲାସରୁମରେ ପଶି ହତ୍ୟାକଲା । ପଞ୍ଜାବରୁ ଆସିଥିବା ଏଭଳି ଏକ ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଗିରଫ କରିଛି । କଲେଜରେ ପଶି ହତ୍ୟା କରିଥିବା ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରିନ୍ସ ନାମକ ଯୁବକ ଦୀର୍ଘଦିନ ଧରି ସନ୍ଦୀପ କୌରଙ୍କୁ ଏକତରଫା ପ୍ରେମ କରୁଥିଲେ । ଅନେକଥର ସେ ତାଙ୍କ ପ୍ରେମ ନିବେଦନ କରିଛନ୍ତି କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯେଉଁ କାରଣରୁ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ମଧ୍ୟ କରୁଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବାରମ୍ବାର ଏନେଇ ତାଙ୍କୁ ତାଗିଦ୍ କରାଯିବା ପରେ ମଧ୍ୟ ସେ ଶୁଣିନଥିଲେ । ସନ୍ଦିପଙ୍କ ପଛରେ ପଡ଼ିଥିଲେ । ତାଙ୍କୁ ଜବରଦସ୍ତ ପ୍ରେମ କରିବାକୁ ମଧ୍ୟ ବାଧ୍ୟ କରୁଥିଲେ ।
ଏହାସହ ପଢ଼ନ୍ତୁ : ‘ସୋଲେ’ ଭଳି ସଫଳତା ପାଇଛି କି ‘ଧୁରନ୍ଧର’ ? ପ୍ରଯୋଜକ କହିଲେ....
ସୋମବାର କଲେଜରେ କ୍ଲାସ କରୁଥିଲେ ସନ୍ଦୀପ । ଏହି ସମୟରେ ସେ କଲେଜରେ ପଶିଥିଲେ । ଆଉ ସମସ୍ତଙ୍କ ସମ୍ନାରେ ପ୍ରପୋଜ୍ କରିଥିଲେ । ଯାହାକୁ ସିଧା ସିଧା ମନା କରିଥିଲେ ସନ୍ଦୀପ । ସେ କହିଥିଲେ କି, ମୋ ନିର୍ବନ୍ଧ ସରିଛି । ଯାହା ଶୁଣିବା ପରେ ପ୍ରିନ୍ସର ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ସିଧା ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ବ୍ୟାଗରେ ନେଇଥିବା ବନ୍ଧୁକ ମୁଣ୍ଡରେ ଲଗାଇ ପୁଣିଥରେ ପ୍ରେମ ନିବେଦନ କରିଥିଲା । ସେ ଏହାକୁ ମନା କରିବା ପରେ ସିଧା ଗୁଳି କରି ଦେଇଥିଲା । ଶ୍ରେଣୀ ଗୃହରେ ଲାଗିଥିବା ସିସିଟିଭିରେ ଏସବୁ କଏଦ ହୋଇଛି । ଯାହାର ଭିଡିଓ ଅତ୍ୟନ୍ତ ଭୟଙ୍କର । ଏନେଇ ପୁଲିସରେ ଖବର ହେବାପରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ପ୍ରିନ୍ସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । କଲେଜ ପକ୍ଷରୁ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି। ଏଭଳି ଦଣ୍ଡ ଦିଆଯାଉ ଯେଭଳି ଆଗକୁ କେହି ଏଭଳି ଭୁଲ୍ ନକରନ୍ତି ସେଭଳି ଦଣ୍ଡ ଦେବାକୁ କୁହାଯାଇଛି ।
ଏହାସହ ପଢ଼ନ୍ତୁ : ପ୍ରଥମ ଦେଖାରେ ପ୍ରେମ, ୭ ବର୍ଷ ପରେ ଫୋନ୍ : ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ