ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ତଦନ୍ତ ଶେଷ; ପୁଞ୍ଜିଲାଲ୍ ବିରୋଧରେ ଆଜି ଦାଖଲ ହେବ ଚୂଡ଼ାନ୍ତ ଚାର୍ଜସିଟ୍

କଟକ,୩୦ା୧(ବ୍ୟୁରୋ): ବହୁ ଚର୍ଚ୍ଚିତ ପାଟାଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଏବଂ ଡବଲ୍ ମର୍ଡର୍ ମାମଲାର ତଦନ୍ତ ଇତିମଧ୍ୟରେ ଶେଷ ହୋଇଛି । ଫେବ୍ରୁଆରୀ ୨୩ରୁ ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ ମାସ ପରେ ତଦନ୍ତ ଶେଷ କରିଛି । ମାମଲାରେ ୭୬ ଜଣଙ୍କ ସାକ୍ଷ୍ୟ, ସାଇଣ୍ଟିଫିକ୍ ବିଶେଷଜ୍ଞଙ୍କ ମତ, ମାଳ ମାଳ ତଥ୍ୟ ଆଉ ପ୍ରମାଣ, ଏମିତି ୬୫ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍କୁ ଧରି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ପାଟଣାଗଡ଼ରେ ପହଞ୍ଚିଛି । ସାକ୍ଷୀ ତାଲିକାରେ କ୍ରାଇମ୍ବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରାଙ୍କ ନାଁ ଥିବା ସୂଚନା ମିଳିଛି। ସେହିପରି ଅନ୍ୟତମ ପ୍ରମୁଖ ସାକ୍ଷୀ ମଧ୍ୟରେ ଦିଲ୍ଲୀର ଏକ ପ୍ରମୁଖ ଅନୁଷ୍ଠାନର ୨ ଜଣ ଫିଜିଓଲୋଜିଷ୍ଟ ନାଁ ସମେତ ଭଇଁସା କଲେଜର ଅନେକ କର୍ମଚାରୀ ଏବଂ ବହୁ ପୁଲିସ୍ ଅଧିକାରୀ ଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି । ଆସନ୍ତାକାଲି (ଗୁରୁବାର) ପାଟଣାଗଡ଼ ଏସ୍ଡିଜେଏମ୍ଙ୍କ କୋର୍ଟରେ ତଦନ୍ତକାରୀ ଟିମ୍ ଚାର୍ଜସିଟ୍ ଦାଖଲ କରିବ । ମାମଲାରେ ଗତ ଅଗଷ୍ଟ ମାସରେ କ୍ରାଇମ୍ବ୍ରାଞ୍ଚ୍ର ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିବା ଲାଗି ଯୋଜନା ରଖିଛି ।