ପୁରୀ,୦୬/୦୩: ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ନୁହେଁ ପୁରୀ ବାଲୁଖଣ୍ଡ ଜଙ୍ଗଲ ବା ବନ୍ୟପ୍ରାଣୀ ବନଖଣ୍ଡ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ଅଭୟ ନୁହଁନ୍ତି ଜଙ୍ଗଲୀ ପ୍ରାଣୀ । ଅନେକ ବନ୍ୟପ୍ରାଣୀ ଶିକାରୀଙ୍କ ଶିକାର ହେଉଥିବା ବେଳେ ଅନେକଙ୍କ ଦୁର୍ଘଟଣାରେ ଜୀବନ ଯାଉଛି । ଅନେକଙ୍କ ମୃତ୍ୟୁର କାରଣ ଜାଣିପାରୁନି ବନ ବିଭାଗ । ଗତ ୪ ବର୍ଷର ସରକାରୀ ତଥ୍ୟ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି । ତଥ୍ୟ ଅନୁଯାୟୀ ୪ ବର୍ଷରେ ୩୬ ମୃଗ ଓ ୬ କୃଷ୍ଣସାର ମୃଗଙ୍କ ଜୀବନ ଯାଇଛି । ଚଳିତ ବର୍ଷ ଯାଇଛି ୬ ଡଲଫିନ୍ଙ୍କ ଜୀବନ । ୪ ବର୍ଷରେ ୩୨ ଡଲଫିନ୍‌ଙ୍କ  ମୃତ୍ୟୁ ହୋଇଛି ।

ସରକାରୀ ତଥ୍ୟ କହୁଛି, ୨୦୨୧-୨୨ରେ ଗୋଟିଏ ମୃଗ ଶିକାର ହୋଇଥିବା ବେଳେ ଗୋଟିଏର ପ୍ରାକୃତିକ ମୃତ୍ୟୁ ହୋଇଛି । ସେହିପରି ଏହି ବର୍ଷ ପ୍ରାକୃତିକ କାରଣ ନିମନ୍ତେ ୩ ବାର୍ହା, ଶିକାର ଯୋଗୁଁ ଗୋଟିଏ ସମ୍ବର ଓ ପ୍ରାକୃତିକ କାରଣ ନିମନ୍ତେ ୨ ସମ୍ବର, ଶିକାର ଯୋଗୁଁ ୪ କୁଟୁରା ଓ ପ୍ରାକୃତିକ କାରଣ ନିମନ୍ତେ ୧ କୁଟୁରାଙ୍କ ମୃତ୍ୟୁ ହୋଇଛି ।

ଏହି ବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ସଡ଼କ ଦୁର୍ଘଟଣାରେ ୧ ଝିଙ୍କ, ଅନ୍ୟ ଦୁର୍ଘଟଣାରେ ଗୋଟିଏ ମାଛରଙ୍କା ବିଲେଇ, ପ୍ରାକୃତିକ ଭାବେ ୧ କୃଷ୍ଣସାର ମୃଗ, ରୋଗରେ ଗୋଟିଏ ତିମିର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାରେ ଗୋଟିଏ ଓ ରୋଗରେ ୧୦ ଡଲଫିନ୍ ମୃତ୍ୟୁ ହୋଇଥିବା ବେଳେ ୩ ଡଲଫିନ୍‌ଙ୍କ ମୃତ୍ୟୁ ଅସ୍ପଷ୍ଟ ଦର୍ଶାଯାଇଛି । ଅର୍ଥାତ୍ ୨୦୨୧-୨୨ ବର୍ଷରେ ପ୍ରାୟ ୧୪ ଡଲଫିନ୍‌ଙ୍କ ମୃତ୍ୟୁ ବିଭିନ୍ନ କାରଣରୁ ହୋଇଛି ।

୨୦୨୨-୨୩ରେ ପୁରୀ ବନପ୍ରାଣୀ ବନଖଣ୍ଡରେ ଗୋଟିଏ ତିମିର ପ୍ରାକୃତିକ କାରଣରୁ ହୋଇଛି । ବିଦ୍ୟୁତ୍ ଆଘାତ, ରୋଗରେ ଗୋଟିଏ ଲେଖାଏଁ ମାଙ୍କଡ଼ର ମୃତ୍ୟୁ ହୋଇଥିବା ବେଳେ ଗୋଟିଏର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ବିଲୁଆର ମୃତ୍ୟୁ ରୋଗରେ, ଗୋଟିଏ ହେଟା ବାଘର ମୃତ୍ୟୁ ରୋଗ ଓ ଅନ୍ୟଟିର ପ୍ରାକୃତିକ କାରଣରୁ ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ଗୋଟିଏ, ଅନ୍ୟ ଦୁର୍ଘଟଣାରେ ୩, ରୋଗରେ ୪, ପ୍ରାକୃତିକ କାରଣରୁ ୩ ହରିଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ମୃଗଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଏହି ବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ କୁଟୁରା, ୬ ଡଲଫିନ୍, ୨ ମାଛରଙ୍କା ବିଲେଇ, ୧ ବିଲୁଆ, ୧ ମାଙ୍କଡ଼, ୨ ମୟୂର, ୩ ବାରହାଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର କାରଣ ଅସ୍ପଷ୍ଟ ବୋଲି ଦର୍ଶାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ଶିକାର, ଗୋଟିଏ ଦୁର୍ଘଟଣାରେ ଓ ଗୋଟିଏ ମୃଗର ମୃତ୍ୟୁ ରୋଗରେ ହୋଇଥିବା ବେଳେ ୮ ମୃଗଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ଏହି ବର୍ଷ ମୋଟ ୧୧ ମୃଗଙ୍କ ମୃତ୍ୟୁ ରେକର୍ଡ ହୋଇଛି । ସେହିପରି ଗୋଟିଏ ମାଛରଙ୍କା ବିଲେଇର ମୃତ୍ୟୁ ରୋଗରେ ଓ ଗୋଟିଏର ମୃତ୍ୟୁ ଅସ୍ପଷ୍ଟ ରହିଛି । ବିଦ୍ୟୁତ୍ ଆଘାତରେ ଗୋଟିଏ ମାଙ୍କଡ଼ର ଓ ୩ ମାଙ୍କଡ଼ଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି ।

ସେହିପରି ଚିଲିକାରେ ୧ କୁଟୁରା, ୬ ଡଲଫିନ୍, ୨ ମାଛରଙ୍କା ବିଲେଇ, ୧ ବିଲୁଆ, ୧ ମାଙ୍କଡ଼, ୩ ମୟୂରଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଦର୍ଶାଯାଇଛି । ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ୨୦୨୪-୨୫ରେ ଦୁର୍ଘଟଣାରେ ୧ ଗାଡ଼ ଭାଲୁ, ୧ ମାଙ୍କଡ଼ଙ୍କ ମୃତ୍ୟୁ ହୋଇଛି । ଗୋଟିଏ କୃଷ୍ଣସାର ମୃଗର ମୃତ୍ୟୁ ରୋଗରେ ଓ ୩ କୃଷ୍ଣସାର ମୃଗଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅର୍ଥାତ୍ ଏହି ବର୍ଷ ୫ କୃଷ୍ଣସାର ମୃଗଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣା ଓ ରୋଗରେ ଗୋଟିଏ ଲେଖାଏଁ ମୃଗଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ମୃଗଙ୍କ ମୃତ୍ୟୁ ଅସ୍ପଷ୍ଟ ଦର୍ଶାଯାଇଛି । ଗୋଟିଏ ହେଟା ବାଘର ମୃତ୍ୟୁ ସଡ଼କ ଦୁର୍ଘଟଣାରେ ଓ ଗୋଟିଏ ବିଲୁଆର ମୃତ୍ୟୁ ଅସ୍ପଷ୍ଟ ରହିଛି ।

ଏହିବର୍ଷ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ୨ ମାଙ୍କଡ଼, ଗୋଟିଏ ଲେଖାଏଁ କୁଟୁରା, ମାଛରଙ୍କା ବିଲେଇ, ଭଣଭୁଆଙ୍କ ମୃତ୍ୟୁ ରୋଗରେ ହୋଇଥିବା ବେଳେ ୧ କୃଷ୍ଣସାର ମୃଗର ମୃତ୍ୟୁ କରଣ ଅସ୍ପଷ୍ଟ ରହିଛି । ସେହିପରି ୬ ଡଲଫିନ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ରୋଗରେ ଓ ୪ କାରଣ ଅସ୍ପଷ୍ଟ ହୋଇଛି ।