ପୁରୀ, ୩/୭ : ଅସଲି ହୋଟେଲ ନାଁରେ ନକଲି ମାଲିକ ପାଖକୁ ଯାଉଛି ଟଙ୍କା । ସହଜ ରହଣି ପାଇଁ ଆଗୁଆ ଅନ୍ଲାଇନ୍ରେ ହୋଟେଲ ବୁକ୍ କରି ଫସୁଛନ୍ତି ପର୍ଯ୍ୟଟକ । ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାକୁ ଥିବା ବେଳେ ହୋଟେଲ୍ର ଅଭାବ ପରିଲକ୍ଷିତ ହେଉଛି । ଏଣୁ ସୁଲଭ ମୂଲ୍ୟରେ ହୋଟେଲ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଲୁଟୁଛନ୍ତି ସାଇବର ଠକ । ପୁରୀର ବିଭିନ୍ନ ହୋଟେଲ ନାଁରେ ମିଛ ୱେବ୍ସାଇଟ୍ ଖୋଲି ରୁମ୍ ବୁକ୍ କରିଦେବାର ପ୍ରତିଶ୍ରୁତି ଦେଉଛନ୍ତି । ଏନେଇ ଆଡ୍ଭାନ୍ସ ଟଙ୍କା ମଧ୍ୟ ଅନ୍ଲାଇନ୍ରେ ନେଉଛନ୍ତି । ଏଭଳି ୪୯ଟି ୱେବ୍ସାଇଟ୍କୁ ଚିହ୍ନଟ କରିଛି ପୁରୀ ପୁଲିସ । ପୁରୀର ବିଭିନ୍ନ ହୋଟେଲ ନାଁରେ ସାଇବର ଠକଙ୍କ ଦ୍ୱାରା ଚାଲୁଥିବା ଏହି ୱେବ୍ସାଇଟ୍ଗୁଡ଼ିକୁ ବ୍ଲକ୍ କରାଯାଇଛି । ପୁରୀ ପୁଲିସ ଓ ରାଜ୍ୟ କ୍ରାଇମ୍ବ୍ରାଞ୍ଚର ମିଳିତ ଉଦ୍ୟମରେ ରଥଯାତ୍ରା ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି । ଠକେଇର ଶିକାର ହୋଇଥିବା ଗ୍ରାହକଙ୍କ ଅଭିଯୋଗକୁ ଆଧାର କରି ଓ ହୋଟେଲ ସଂଘ ସହ ଆଲୋଚନା କରି ପୁଲିସ ପକ୍ଷରୁ ଏହି ୱେବ୍ସାଇଟ୍ଗୁଡ଼ିକୁ ହଟାଇ ଦିଆଯାଇଛି । ଏହି ସାଇଟ୍ଗୁଡ଼ିକରେ ହୋଟେଲର ନାମ, ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ଅବୈଧ ଭାବରେ ବ୍ୟବହାର କରାଯାଉଥିଲା । ଏଥିସହ ଭିନ୍ନଭିନ୍ନ ଫେକ୍ ଇ-ମେଲ୍ ଆଇଡି ମାଧ୍ୟମରେ ଗ୍ରାହକଙ୍କ ସହ ଯୋଗାଯୋଗ କରି ଠକେଇ କରାଯାଉଥିଲା ।
ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି, ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରକ୍ଷା ପୁରୀ ପୁଲିସର ପ୍ରାଥମିକତା । ଏପରି ସାଇବର ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଜାରି ରହିବ । ଏଣୁ ହୋଟେଲ ବୁକିଂ ପୂର୍ବରୁ ୱେବ୍ସାଇଟର ସତ୍ୟତା ଯାଞ୍ଚ କରନ୍ତୁ । କେବଳ ଅଫିସିଆଲ ୱେବ୍ସାଇଟ ମାଧ୍ୟମରେ ରୁମ୍ ବୁକିଂ କରନ୍ତୁ । ବୁକିଂ ପୂର୍ବରୁ ହୋଟେଲ ସହ ସିଧାସଳଖ ଯୋଗାଯୋଗ କରି ସତ୍ୟତା ପରଖନ୍ତୁ । ଅତ୍ୟଧିକ ଶସ୍ତା ଅଫର କିମ୍ବା ଅସ୍ୱାଭାବିକ ରିହାତି ଦେଖି ବୁକିଂ ନ କରିବା ଏବଂ ଅଜଣା ବ୍ୟାଙ୍କ ଆକାଉଣ୍ଟ, ୟୁପିଆଇ କିମ୍ବା କ୍ୟୁଆର୍ କୋଡ୍କୁ ଟଙ୍କା ନ ପଠାଇବାକୁ ଏସ୍ପି ଅନୁରୋଧ କରିଛନ୍ତି । ସେହିଭଳି ପୁରୀ ହୋଟେଲ ଆସୋସିଏସନ୍ର ଉପସଭାପତି ରାଜକିଶୋର ପାତ୍ର କହିଛନ୍ତି, ହୋଟେଲ ବୁକିଂ ନାଁରେ ସାଇବର ଠକେଇ ବଢ଼ିଚାଲିଛି । ଏଭଳି ଅଭିଯୋଗ ଆସିଲେ ଆମେ ପୁଲିସର ଦୃଷ୍ଟି ଆକର୍ଷଣ କରୁଛୁ । ଏଭଳି ସ୍ଥିତିରେ ଖୁବ୍ କ୍ୱଚିତ ଗ୍ରାହକ ନିଜର ଠକେଇ ଟଙ୍କା ଫେରି ପାଉଛନ୍ତି । ଏଣୁ ଏନେଇ ଅଧିକ ସଚେତନତାର ଆବଶ୍ୟକତା ରହିଛି ।
ପୁରୀ ପୁଲିସ ଯଦିଓ ଏଦିଗରେ କାମ କରୁଛି, ହେଲେ ଏହା ଯଥେଷ୍ଟ ହେଉନାହିଁ ଏଣୁ ଏନେଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଅଧିକ ପୁଲିସ ବଳ ନିୟୋଜନ କରି ଏହା ଉପରେ ଦୃଷ୍ଟି ରଖିବାକୁ ସେ ନିବେଦନ କରିଛନ୍ତି । ପୁରୀ ସାଇବର ଥାନା ଆଇଆଇସି ଗୀତାଞ୍ଜଳି ନାୟକ କହିଛନ୍ତି, ରଥଯାତ୍ରା ପାଇଁ ପୁରୀ ପୁଲିସ ଏହି ସାଇବର ଠକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଅଭିଯୋଗ ମିଳିବା ମାତ୍ରେ ଏହି ୱେବ୍ସାଇଟ୍ଗୁଡ଼ିକୁ ହଟାଯାଉଛି । ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ୱେବ୍ସାଇଟ୍ ହଟାଇବା ପରେ ମଧ୍ୟ ସମାନ ହୋଟେଲ ନାଁରେ ପୁଣି ମିଛ ୱେବ୍ସାଇଟ୍ ଖୋଲାଯାଉଛି । ଏଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସାଇବର ଠକମାନେ ସାଧାରଣତଃ ବଡ଼ବଡ଼ ହୋଟେଲ୍କୁ ଟାର୍ଗେଟ କରୁଛନ୍ତି । ଏଣୁ ଗ୍ରାହକମାନେ ସତର୍କ ରହି ହୋଟେଲ ବୁକିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନାଥାଉକି, କେବଳ ଘରୋଇ ହୋଟେଲ ଲଜିଂ ନୁହେଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଭକ୍ତ ନିବାସ ନାଁରେ ମଧ୍ୟ ଫେକ୍ ୱେବ୍ସାଇଟ୍ ଖୋଲି ଠକେଇ କରାଯାଉଛି । ଏନେଇ କିଛି ମାସ ତଳେ ରାଜ୍ୟ ବାହାରର ଦୁଇ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ଗତ ବର୍ଷକ ମଧ୍ୟରେ ୧୨୦ରୁ ଊଦ୍ଧ୍ୱର୍ ଏଭଳି ନକଲି ୱେବ୍ସାଇଟ୍କୁ ହଟାଯାଇଛି । ସେହିପରି ୨୦୨୫ରେ ଅନ୍ଲାଇନ୍ରେ ଟଙ୍କା ଠକେଇ ନେଇ ୫୦୦ରୁ ଊର୍ଦ୍ଧ୍ୱ ଅଭିଯୋଗ ପୁଲିସ ନିକଟରେ ହୋଇଛି ।
ଆହୁରି ପଢନ୍ତୁ- ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷାଗତ ରେକର୍ଡ଼ ସ୍ଥାନାନ୍ତରକୁ ସହଜ କରିଛି ଡିଜିଟାଲ ଇଣ୍ଡିଆ
୬୦ ବର୍ଷୀୟ ବଡି ବିଲ୍ଡର ରବି ଦାସଙ୍କ ସଫଳ କାହାଣୀ : ୬୦ ବର୍ଷ ବୟସରେ ବି ସୁପର ଫିଟ୍