ପୁରୀ ୨୦।୪: ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଶ୍ରୀଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । ମଣିଷ ପରି ସେ ଶୁଅନ୍ତି, ଖାଆନ୍ତି ଏବଂ ଋତୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ଅନୁଭବ କରନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଯେଉଁ ସୁଶୀତଳ ଜଳକ୍ରୀଡ଼ା କରନ୍ତି, ତାହା ହିଁ ହେଉଛି ବିଶ୍ୱପ୍ରସିଦ୍ଧ 'ଚନ୍ଦନ ଯାତ୍ରା' । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରେ ଚନ୍ଦନ ଯାତ୍ରା ହେଉଛି ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ଉତ୍ସବ । ମୋଟ୍ ୪୨ ଦିନର ଏହି ଯାତ୍ରା ଦୁଇଟି ପର୍ଯ୍ୟାୟରେ ବିଭକ୍ତ । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ପ୍ରଥମ ୨୧ ଦିନ 'ବାହାର ଚନ୍ଦନ' ଭାବେ ନରେନ୍ଦ୍ର ପୁଷ୍କରିଣୀରେ ପାଳିତ ହେଉଥିବା ବେଳେ, ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିର ପରିସରରେ 'ଭିତର ଚନ୍ଦନ' ରୂପେ ସମ୍ପନ୍ନ ହୁଏ ।
ବାହାର ଚନ୍ଦନ: ନରେନ୍ଦ୍ର ଜଳରେ ନୌକାବିହାର
ବାହାର ଚନ୍ଦନ ଯାତ୍ରାରେ ଶ୍ରୀମନ୍ଦିରରୁ ଦେବବିଗ୍ରହମାନେ ବାହାରି ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରନ୍ତି । ଶ୍ରୀମନ୍ଦିରର ଦକ୍ଷିଣଘରୁ ମଦନମୋହନ, ରାମ ଓ କୃଷ୍ଣଙ୍କ ସହ ରତ୍ନସିଂହାସନରୁ ଶ୍ରୀଦେବୀ (ଲକ୍ଷ୍ମୀ) ଓ ଭୂଦେବୀ (ସରସ୍ୱତୀ) ପଟୁଆରରେ ବାହାରନ୍ତି । ତାଙ୍କ ସହ ପାଞ୍ଚଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ— ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ମଧ୍ୟ ଯାତ୍ରା କରିଥାନ୍ତି ।
"ଦେଖ ଗୋ ରାଧାମାଧବ ଚାଲି, ମଣି ବିମାନ ଆସେ ଝୁଲି ଝୁଲି"
ନରେନ୍ଦ୍ର ପୁଷ୍କରିଣୀରେ ଦୁଇଟି ସୁସଜ୍ଜିତ ଚାପ ଅର୍ଥାତ୍ ନୌକା ପ୍ରସ୍ତୁତ ରହିଥାଏ । ଗୋଟିଏ ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ବିଜେ କରୁଥିବା ବେଳେ ଅନ୍ୟ ଚାପରେ ପଞ୍ଚୁପାଣ୍ଡବ ରୂପି ମହାଦେବମାନେ ବିଜେ କରନ୍ତି । ଦିନରେ ଗୋଟିଏ ଘେରା ଓ ରାତିରେ ଦିହୁଡ଼ି ଆଲୋକରେ ତିନି ଘେରା ଚାପ ଖେଳିବାର ପରମ୍ପରା ରହିଛି ।
ସୁବାସିତ ଜଳରେ ଜଳକ୍ରୀଡ଼ା ଓ ବେଶ:
ଜଳକ୍ରୀଡ଼ା ପରେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୂର, କସ୍ତୁରୀ ଓ ସୁଗନ୍ଧିତ ଫୁଲରେ ପ୍ରସ୍ତୁତ ଶୀତଳ ଜଳରେ ଠାକୁରମାନେ ବୁଡ଼ ପକାନ୍ତି । ଏହି ୨୧ ଦିନ ଧରି ମଦନମୋହନ ପ୍ରତ୍ୟେକ ଦିନ ନୂଆ ନୂଆ ବେଶ ଧାରଣ କରନ୍ତି, ଯାହା ମୁଖ୍ୟତଃ ଭଗବାନଙ୍କ କୃଷ୍ଣଲୀଳାକୁ ସ୍ମରଣ କରାଏ । ଏହି ଯାତ୍ରାର ଅନ୍ତିମ ଦିନକୁ 'ଭଉଁରୀ ଯାତ୍ରା' କୁହାଯାଏ, ଯେଉଁଦିନ ୨୧ ଘେରା ଚାପ ବୁଲିବା ସହ ରଥ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ସମ୍ପନ୍ନ ହୁଏ ।
ଭିତର ଚନ୍ଦନ: ଶ୍ରୀମନ୍ଦିରର ଗୁପ୍ତ ସେବା
ବାହାର ଚନ୍ଦନ ପରେ ଆରମ୍ଭ ହୁଏ ୨୧ ଦିନିଆ ଭିତର ଚନ୍ଦନ । ଏହି ସମୟରେ ଠାକୁରମାନେ ମନ୍ଦିର ବାହାରକୁ ନଯାଇ ଭିତରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ବିହାର କରନ୍ତି । ଶ୍ରୀମନ୍ଦିରର 'ଚନ୍ଦନ ଘର'ରେ ସେବାୟତମାନେ ପ୍ରତିଦିନ ସୁବାସିତ ଚନ୍ଦନ ଘୋରିଥାନ୍ତି । ସନ୍ଧ୍ୟାଧୂପ ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଚନ୍ଦନ ପ୍ରଲେପ କରାଯାଇ ସେମାନଙ୍କୁ ଗ୍ରୀଷ୍ମରୁ ଶାନ୍ତି ପ୍ରଦାନ କରାଯାଏ ।
ପୌରାଣିକ ଓ ଐତିହାସିକ ଗୁରୁତ୍ୱ:
ପୌରାଣିକ ମତ ଅନୁଯାୟୀ, ଦ୍ୱାପର ଯୁଗରେ ବିରାଟ ରାଜାଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ଓ ପଞ୍ଚୁପାଣ୍ଡବ ଏହି ଜଳକ୍ରୀଡ଼ା କରିଥିଲେ । ଐତିହାସିକ ଦୃଷ୍ଟିରୁ ଏହି ଯାତ୍ରା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ବା ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଆରମ୍ଭ ହୋଇଥିବା କୁହାଯାଏ । ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରିଣୀ ଖନନ କରିବା ପରେ ଏହି ସ୍ଥଳଟି ଚନ୍ଦନ ଯାତ୍ରାର ପ୍ରମୁଖ କେନ୍ଦ୍ର ପାଲଟିଛି । ସଙ୍ଗୀତ, ନୃତ୍ୟ, ସୁଗନ୍ଧିତ ଚନ୍ଦନ ଏବଂ ଭକ୍ତିର ଏହି ଅପୂର୍ବ ସମନ୍ୱୟ କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ । ମହାପ୍ରଭୁଙ୍କ ଏହି ଚନ୍ଦନ ଯାତ୍ରା ପ୍ରମାଣ କରେ ଯେ, ସେ କେବଳ ପଥରର ମୂର୍ତ୍ତି ନୁହନ୍ତି, ବରଂ ପ୍ରତ୍ୟେକଟି ଭକ୍ତର ଆତ୍ମୀୟ ଏବଂ ଜୀବନ୍ତ ସାଆନ୍ତ ।
ଆହୁରି ପଢ଼ନ୍ତୁ... ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, ମୁଣ୍ଡରେ ଠେକା ବାନ୍ଧି ବୁଣିଲେ ବିହନ...