ଭୁବନେଶ୍ୱର,୩୧/୧୨ : ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପୁରୀ ବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମାନର ସୁବିଧା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୩ତାରିଖରେ ପୁରୀକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ପୁରୀବାସୀଙ୍କ ମଧ୍ୟ ବହୁ ଦିନର ଦାବୀ ରହି ଆସିଥିଲା ।
- ଜୁଲାଇ ୩ତାରିଖରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ
- ଲୋଇସିଂଘା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ସହର NAC ଘୋଷିତ, ବୃଦ୍ଧି ହେଲା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ
ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦ୍ୱାରା ପୁରୀ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍ ସହରାଞ୍ଚଳ ଗଠନ ହେବ । ପୁରୀ ସହ ୪ଟି ସହରକୁ NAC ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂଘା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଓ ବାଲେଶ୍ୱର ଜିଲ୍ଲାର ବସ୍ତା । ଏହା ସହିତ ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ସମ୍ପର୍କରେ ମଧ୍ୟ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ୱାୟତ୍ତଶାସନ ଦିବସ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।