ଜାନୁଆରୀ ଯାଇ ଫେବ୍ରୁଆରି ଅଧା ହେଲାଣି, ଦର୍ଶନ ଟିକେଟ ଅନ୍ଲାଇନ୍ ବିକ୍ରି ହେଲାନି

ପୁରୀ,୧୧ା୨(ବ୍ୟୁରୋ): ଏଣିକି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନ୍ଲାଇନରେ ଟିକେଟ କିଣିପାରିବେ । ଦୈନିକ ଚାରିଥର ଟିକେଟ ଦର୍ଶନ ହେବ । ପ୍ରତିଭୋଗ ପରେ ଟିକେଟ କିଣିଥିବା ଦର୍ଶନାର୍ଥୀ ଭିତର କାଠଠାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବୋ ଏଭଳି ନିଷ୍ପତ୍ତି ନଭେମ୍ବର ୨୬ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନେଇଥିଲା । ଏହି ବ୍ୟବସ୍ଥାରେ ପ୍ରତିଦିନ ୬୦ ଭାଗ ଟିକେଟ ଅନ୍ଲାଇନରେ, ୩୫ ଭାଗ ସିଂହଦ୍ୱାରଠାରେ ବିକ୍ରି ହେବ । ବାକି ପାଞ୍ଚ ପ୍ରତିଶତ ଟିକେଟ ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବ୍ୟବସ୍ଥା ୨୦୧୯ ଜାନୁଆରି ମାସରେ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ ।
ଏହି ଅନ୍ଲାଇନ୍ ଟିକେଟ ଦର୍ଶନ ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ମାର୍ଗ ଦର୍ଶନ ଦେବାକୁ ଏକ ସବ୍କମିଟି ଗଠନ ହୋଇଥିଲା । ସବ୍ କମିଟିର ବୈଠକ ବସିସାରିଛି । ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ତଥାପି ଏହାକୁ ଲାଗୁ କରାଯାଇ ପାରିନଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ଅନ୍ଲାଇନ ଟିକେଟ ଦର୍ଶନ ଉପାର୍ଜନରୁ ସେବାୟତମାନେ କେତେ ଭାଗ ପାଇବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନଥିବା ଖବର ମିଳିଛି । ସେହିଭଳି ଭକ୍ତଙ୍କୁ ସେବା ସୁବିଧା ପାଇଁ ପ୍ରସ୍ତାବିତ ବେଢ଼ା ପରିକ୍ରମା ନିର୍ମାଣ ବି ହୋଇନାହିଁ । ଏହି କାରଣରୁ ଅନ୍ଲାଇନ୍ରେ ଦର୍ଶନୀ ଟିକେଟ ବିକ୍ରି ଆରମ୍ଭ ହୋଇ ପାରିନଥିବା ଅନୁମାନ କରାଯାଉଛି ।
ତିରୁମଲ୍ଲା ତିରୁପତି ମନ୍ଦିର ଢାଞ୍ଚାରେ ଏହି ଟିକଟ ଦର୍ଶନ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ତିରୁପତି ମନ୍ଦିର ଭଳି ବେଢ଼ା ପରିକ୍ରମାର ସୁବିଧା ସୁଯୋଗ ନଥାଇ ଶ୍ରୀମନ୍ଦିରରେ ଅନ୍ଲାଇନ ଟିକେଟ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରଶାସନ ପଛଉ ଥିବାର ଆଶଙ୍କା କରାଯାଉଛି ।
ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ମାର୍ଗ ନିର୍ମାଣ ଯୋଜନା ଥିଲା । ଏହି ଯୋଜନାରେ ଏକ ଘରୋଇ ସଂସ୍ଥା ଅନୁଦାନ ଦେବା ଏବଂ ନିଜେ ଏହି ଡିଜାଇନକୁ ପ୍ରସ୍ତୁତ କରି କାର୍ଯ୍ୟାକରୀ କରିବାକୁ ଏବେ ସହମତି ଦେଇଛି । ଏହି ପରିକ୍ରମା ଯୋଜନାକୁ ପ୍ରଶାସନ ଅପେକ୍ଷା କରିଛି ନା’ ଟିକେଟ ବିକ୍ରିରେ ଆଉ କିଛି ଅସୁବିଧା ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ଦର୍ଶନ ବ୍ୟବସ୍ଥାର ରୂପରେଖ ନିର୍ଦ୍ଧାରଣ ପାଇଁ ଏକ ସବ୍କମିଟି ଗଠନ କରାଯାଇଛି । ଏହି ସବ୍ କମିଟିରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି, ଜିଲ୍ଲାପାଳ, ପରିଚାଳନା କମିଟିର ଚାରିଜଣ ସଦସ୍ୟଙ୍କ ବ୍ୟତୀତ ସିଂହାରୀ, ପୂଜାପଣ୍ଡା, ପ୍ରତିହାରୀ, ସୁଆରବଡୁ ସେବକ ପ୍ରତିନିଧି ଅଛନ୍ତି । ସିଂହାରୀ, ପୂଜାପଣ୍ଡା, ପ୍ରତିହାରୀ, ସୁଆରବଡୁ ଆଦି ସେବାୟତ ପୂର୍ବରୁ ଶ୍ରୀମନ୍ଦିରରେ ପ୍ରଚାଳିତ ପରିମାଣିକ ଟିକଟ ଦର୍ଶନରୁ ପ୍ରାପ୍ୟ ପାଉଥିଲେ । ଏହି କାରଣରୁ ସେମାନଙ୍କୁ ଏହି ସବ୍ କମିଟିରେ ନିଆଯାଇଛି । ଟିକେଟ ଦର, ଦର୍ଶନ ସମୟ ଆଦି ସମ୍ପର୍କରେ ସବ୍ କମିଟି ବୈଠକ ନିଷ୍ପତ୍ତି ନେବ ବୋଲି ଗଣମାଧ୍ୟମକୁ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଥିଲେ ।
ଜାନୁଆରି ମାସରୁ ଏହି ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ଏହି ସବ୍ କମିଟି ତାର ରିପୋର୍ଟ ଦେଇଛି କି ନାହିଁ ସେନେଇ ବି ବିଭ୍ରାନ୍ତି ଲାଗି ରହିଛି । ସେହିଭଳି ଘୋଷଣା ମୁତାବକ ସବ୍ କମିଟିର ସୁପାରିସକୁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯାଇ ନାହିଁ । ଛତିଶା ନିଯୋଗ ଅନୁମୋଦନ ପରେ ଏହି ଟିକଟ ଦର୍ଶନକୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ସୁପାରିସକୁ ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯାଇ ନାହିଁ । ଏହ କାରଣରୁ ସବ୍ କମିଟିର ମତିଗତି ନେଇ ମଧ୍ୟ ସ୍ୱଷ୍ଟ ସୂଚନା ମିଳୁନାହିଁ ।
ଉଲ୍ଲେଖନୀୟ, ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ରାଜ୍ୟ ସରକାର ଗଠନ କରିଥିବା ତିନି ଜଣିଆ କମିଟିର ସୁପାରିସ ଆଧାରରେ ଅନ୍ଲାଇନ ଟିକେଟ ବିକ୍ରି ଓ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ଏବେ ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ଦେଖାଦେଇଛି