ପୁରୀ, ୨୪।୪: ରୁନ୍ଧି ହୋଇଗଲାଣି ବଡ଼ଦାଣ୍ଡ । ବିଭିନ୍ନ ସ୍ଥାନରେ ଗଦା ହୋଇରହୁଛି ଆବର୍ଜନା । ରାସ୍ତା ମଝିକୁ ମାଡ଼ି ଆସିଲେଣି ଦୋକାନ ବଜାର । ଗାଡ଼ିମୋଟର ଯିବା ରାସ୍ତାରେ ଶୋଉଛନ୍ତି ବୁଲା ଗୋରୁଗାଈ । ଫଳରେ ସମସ୍ତ ପ୍ରକାର ଯାନବାହନ ଯାତାୟାତ ସମସ୍ୟା ହେଲାଣି । ଅଫିସ୍ ସମୟ ଓ ସନ୍ଧ୍ୟାରେ ଟ୍ରାଫିକ୍ ଜାମ୍ ଅଣାୟତ୍ତ ହେଉଛି । ପୁରୀ ବଡ଼ଦାଣ୍ଡ ବଡ଼ଶଙ୍ଖ ଜାତୀୟ ରାଜପଥର ଏହି ସମସ୍ୟା ସମାଧାନ ପ୍ରତି ପୁରୀ ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ପୁରୀ ମେଡିକାଲ ଛକଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି । ଏନେଇ ସ୍ଥାନୀୟ ବାସିନ୍ଦା ଡ. ଭାସ୍କର ମିଶ୍ର କହିଛନ୍ତି, ବଡ଼ଦାଣ୍ଡର ଏକ ସ୍ୱତନ୍ତ୍ର ଖ୍ୟାତି ସମଗ୍ର ବିଶ୍ୱରେ ରହିଛି । ମାତ୍ର ଏହାର ପବିତ୍ରତା ବଜାୟ ରଖିବା, ଟ୍ରାଫିକ୍ ଶୃଙ୍ଖଳା ରକ୍ଷା କରିବା, ରାଜପଥକୁ ଦୋକାନ ଓ ଜବରଦଖଲ ମୁକ୍ତ କରିବା, ବୁଲା ଗୋରୁଗାଈଙ୍କୁ ଉଚିତ୍ ସ୍ଥାନରେ ଥଇଥାନ କରିବା, ବଡ଼ଦାଣ୍ଡର ପରିଚ୍ଛନ୍ନତା ରକ୍ଷା କରିବା ପ୍ରଭୃତି ଦିଗରେ ପ୍ରଶାସନ ଆଦୌ ଦୃଷ୍ଟି ଦେଉନି ।

ଫଳରେ ଅଫିସ୍ ସମୟରେ ଓ ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଯାତାୟାତ ବେଳେ ନାକେଦମ ହେବାକୁ ପଡ଼ୁଛି । ତୁରନ୍ତ ରାଜପଥରୁ ସମସ୍ତ ଜବରଦଖଲ ପ୍ରଶାସନ ହଟାଉ । ଏହାର ପବିତ୍ରତା ରକ୍ଷା କରିବା ନିମନ୍ତେ ଉଚିତ୍ ପଦକ୍ଷେପ ନେଉ । ସ୍ଥାନୀୟ ବାସିନ୍ଦା କେଦାର ସାହୁଙ୍କ କହିବା କଥା, ବଡ଼ଶଙ୍ଖଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲି ନାମରେ ପୂର୍ବରୁ ଖ୍ୟାତ ଥିଲା । ଏବେ ଏକ ସୀମିତ ଆଞ୍ଚଳରେ ଶରଧାବାଲିକୁ ଲୁପ୍ତ କରିବାକୁ ପ୍ରୟାସ ହେଉଛି । ବଡ଼ଶଙ୍ଖରେ ଦୈନିକ ବହୁ ସଂଖ୍ୟକ ଦୋକାନ ବଢ଼ି ଚାଲିଛି । ଫଳରେ ବଡ଼ଦାଣ୍ଡ ଜାତୀୟ ରାଜପଥ (୩୧୬) ଜବରଦଖଲ ହେଉଛି । ବଡ଼ଦାଣ୍ଡକୁ ଏହା ପାଶ୍ୱର୍ରେ ଗଢ଼ି ଉଠିଥିବା ବ୍ୟାବସାୟିକ ପ୍ରତିଷ୍ଠାନମାନେ ନିଜସ୍ୱ ପାର୍କିଂ ବ୍ୟବସ୍ଥା ନକରି ବଡ଼ଦାଣ୍ଡ ଜାତୀୟ ରାଜପଥକୁ ବାଡ଼ ବୁଲାଇ ମାଡ଼ି ବସିଛନ୍ତି । ଅମୃତ ଯୋଜନାରେ ବଡ଼ଦାଣ୍ଡର ପବିତ୍ରତା ରକ୍ଷା ଓ ଟ୍ରାଫିକ୍ ଶୃଙ୍ଖଳା ନିମନ୍ତେ ଯୋଜନା ହୋଇଥିଲା । ଏଥିନିମନ୍ତେ ବହୁ କୋଟି ଟଙ୍କା ପାଣ୍ଠି ମିଳିଥିଲା । ଏହାକୁ ସ୍ଥାନୀୟ ପ୍ରଶାସନ ଖର୍ଚ୍ଚ କରିପାରିଲା ନାହିଁ । ଅବଢ଼ା ଯୋଜନାରେ ମଧ୍ୟ ବଡ଼ଦାଣ୍ଡକୁ ଭେଣ୍ଡିଂ ଫ୍ରି କରି ଏକ ସୁନ୍ଦର ରୂପ ଦେବାକୁ ବହୁ କୋଟି ଟଙ୍କା ଅନୁଦାନ ମିଳିଥିଲା । ପ୍ରଶାସନ ଏହାକୁ ଉପଯୋଗ କରିବାରେ ମଧ୍ୟ ବିଫଳ ହେଲା ।

ଫଳରେ ବଡ଼ଦାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ପ୍ରଶାସନ ତୁରନ୍ତ ବଡ଼ଦାଣ୍ଡ ସଫେଇ, ଧାର୍ମିକ ବାତାବରଣ ରକ୍ଷା, ଉଠାଦୋକାନୀଙ୍କୁ ସ୍ଥାନାନ୍ତର ପ୍ରଭୃତି ପ୍ରତି ଦୃଷ୍ଟି ଦେବା ଜରୁରି । ଫଳରେ ପୁରୀକୁ ବୁଲିବାକୁ ଆସୁଥିବା ଯାତ୍ରୀମାନେ ଏକ ଉତ୍ତମ ଅନୁଭୂତି ନେଇ ଏଠାରୁ ଯାଇପାରିବେ । ଏନେଇ ପୁରୀ ମହାନଗର ନିଗମ କମିଶନର ଅରୁଗୁଳା ସ୍ନେହାଙ୍କୁ ବାରମ୍ବାର ଫୋନ କରିଥିଲେ ହେଁ ସେ ଫୋନ ଉଠାଇ ନଥିବାରୁ ମତାମତ ମିଳିପାରିନି । ସେପଟେ ଏନେଇ କିଛି କହିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଅଭିମନ୍ୟୁ ବେହେରା ମନା କରିଦେଇଛନ୍ତି । ଫଳରେ ସହରର ପରିମଳ ବ୍ୟବସ୍ଥାର ବାପା ମା’ କିଏ ତାକୁ ନେଇ ସହରବାସୀ ଚିନ୍ତାରେ ପଡ଼ିଛନ୍ତି । ଜଗନ୍ନାଥ ମହାପ୍ରଭୁଙ୍କ ଭରସାରେ ସହର ସୁରକ୍ଷାକୁ ଛାଡ଼ି ଅଧିକାରୀ ନିରବଦ୍ରଷ୍ଟା ସାଜିଥିବା ଆଲୋଚନା ହେଉଛି ।

ଆହୁରି ପଢ଼ନ୍ତୁ... Academic Calendar: ସ୍କୁଲ ଏକାଡେମିକ୍ କ୍ୟାଲେଣ୍ଡର ଜାରି, ୨୩୦ ଦିନ ପାଠପଢ଼ା, ରବିବାରକୁ ମିଶାଇ ମୋଟ ୧୩୫ ଦିନ ଛୁଟି