ଛତ୍ରପୁର: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଗଞ୍ଜାମର ମୁଖ୍ୟ ସାଧାରଣ ଯୋଗାଣ ଅଧିକାରୀ (ସିସିଏସଓ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଗଞ୍ଜାମର ଛତ୍ରପୁରରେ କାର୍ଯ୍ୟରତ ସିସିଏସଓ ପୁଷା ମୁଣ୍ଡାଙ୍କୁ ଗତକାଲି (ବୁଧବାର) ନଗଦ ୩ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ପାଇ ଭିଜିଲାନ୍ସ ଟିମ୍ ପୁଷା ମୁଣ୍ଡାଙ୍କୁ ଛତ୍ରପୁର ନିକଟ ଜାତୀୟ ରାଜପଥ ୧୬ରେ ଅଟକାଇଥିଲା । ସେ ତାଙ୍କ ଭଡ଼ା ଘରୁ ଅଫିସ୍ ବୋଲେରୋରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇ ସର୍ଚ୍ଚ କରିଥିଲା ।
ଏହି ସମୟରେ ତାଙ୍କ ଗାଡ଼ିରୁ ନଗଦ ୩ ଲକ୍ଷ ଟଙ୍କା ଜବତ କରିଥିଲା ଟିମ୍ । ହେଲେ ଏହି ଟଙ୍କା କେଉଁଠୁ ଆଣିଛନ୍ତି ସେନେଇ ଉତ୍ତର ଦେଇପାରି ନଥିଲେ ପୁଷା ମୁଣ୍ଡା । ଏହା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିବ ସହ ଗାଡ଼ିକୁ ମଧ୍ୟ ଜବତ କରିଥିଲେ । ଏହା ପରେ ତାଙ୍କୁ ସ୍ବତନ୍ତ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ସେପଟେ ଭିଜିଲାନ୍ସ ପକ୍ଷରୁ ପୁଷା ମୁଣ୍ଡାଙ୍କ ଭଡ଼ା ଘର, ନିଜ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ତେବେ ଏହି ସବୁ ସ୍ଥାନରୁ କେତେ ଟଙ୍କା ଜବତ ହୋଇଛି ସେନେଇ ସୂଚନା ମିଳିପାରି ନାହିଁ ।
ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣା ସହରରେ ପୁଷା ମୁଣ୍ଡାଙ୍କ ଏକ ୩ ମହଲା କୋଠା ରହିଛି । ଭବାନୀପାଟଣାରେ ତାଙ୍କ ନାଁରେ କେତେକ ପ୍ଲଟ ରହିଛି । ସହର ବାହାରେ ପୁଷା ମୁଣ୍ଡା ୨୦୨୩ରେ ପ୍ରାୟ ୧୯ ଏକର ଜମି କିଣିଥିବା ଜଣାପଡ଼ିଛି । ତାଙ୍କ ନାଁରେ ଗୋଟିଏ କାର ଏବଂ ଦୁଇଟି ବାଇକ୍ ରହିଥିବା ବେଳେ ଅନ୍ୟ ଏକ ବେନାମୀ ବାଇକ୍ ରହିଛି । ଏହି ବାଇକ୍ ସ୍ଥାନୀୟ ରାଇସ୍ ମିଲରଙ୍କ ନାଁରେ ପଞ୍ଜିକୃତ ହୋଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଏହା ବ୍ୟତୀତ ପୁଷା ମୁଣ୍ଡାଙ୍କ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ସୂଚନା ତଦନ୍ତ ପରେ ମିଳିପାରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।