ନୂଆଦିଲ୍ଲୀ ୦୪/୧୨: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରାଧ୍ୟକ୍ଷ ଭ୍ଲାଦିମିର ପୁଟିନ୍ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ । ଏହା ଚର୍ଚ୍ଚା କିମ୍ବା ଗୁଜବ ନୁହେଁ, ସତ । ପୁଟିନ ବିଦେଶ ଗସ୍ତରେ ଥିଲେ, ବ୍ୟକ୍ତିଗତ ଫୋନ୍ ବୁଥ୍ ସାଙ୍ଗରେ ନେଇଥାନ୍ତି । ପୁଟିନ ଏବେ ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ତାଙ୍କ ସ୍ମାର୍ଟଫୋନ୍ ବ୍ୟବହାର ସମ୍ପର୍କିତ ଖବର ଗଣମାଧ୍ୟମର ଶିରୋନାମା ହୋଇଛି ।

କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରୀ ପେସ୍କୋଭ ୨୦୧୮ରେ କହିଥିଲେ, ପୁଟିନ କଦାପି ସେଲ୍‌ଫୋନ୍ କିମ୍ବା ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ । ରୋସିୟା-୨୪ ଟିଭି ଚ୍ୟାନେଲ୍ ସହ ସାକ୍ଷାତକାରରେ ପେସ୍କୋଭ କହିଥିଲେ, ପୁଟିନଙ୍କ ପାଖରେ ଫୋନ୍ ନାହିଁ । ତଥ୍ୟ ଚୋରିରୁ ବଞ୍ଚିବା ପାଇଁ ସେ ସ୍ମାର୍ଟଫୋନ୍ ବା ସେଲ୍‌ଫୋନ୍‌ ବ୍ୟବହାର କରନ୍ତି ନାହିଁ । ସେଲ୍‌ଫୋନ୍‌ ବ୍ୟବହାର କରିବାର ଅର୍ଥ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଏହା ଦ୍ୱାରା ଗୋପନୀୟ ତଥ୍ୟ ପ୍ରଘଟ ହୋଇପାରେ । ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଯେକୌଣସି ତଥ୍ୟ ସାର୍ବଜନୀନ ହେବା ସ୍ୱାଭାବିକ । କ୍ରେମଲିନ୍‌ରେ ରାଷ୍ଟ୍ରପତିଙ୍କ ପାଖକୁ ସୂଚନା ପହଞ୍ଚାଇବା ପାଇଁ ଏବେ ବି ମୁଦ୍ରଣ ପ୍ରଣାଳୀର ଉପଯୋଗ ହେଉଛି । ସେ ଆହୁରି କହିଥିଲେ, ପୁଟିନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବ୍ରାଉଜ୍ କରିବା ପାଇଁ ଏୟାର-ଗ୍ୟାପ୍‌ଡ କମ୍ପ୍ୟୁଟର୍ ଉପଯୋଗ ଉପରେ ଜୋର୍ ଦିଅନ୍ତି । ବିଶ୍ୱରେ ହ୍ୟାକର୍‌ଙ୍କ ଗୁଇନ୍ଦାଗିରି ଗତିବିଧିକୁ ଦର୍ଶାଇ ପେସ୍କୋଭ କହିଥିଲେ ଯେ ନିଜର ତଥ୍ୟ ଚୋରିକୁ କୌଣସି ରାଷ୍ଟ୍ରାଧ୍ୟକ୍ଷ ବରଦାସ୍ତ କରିପାରିବେ ନାହିଁ । ସେଥିପାଇଁ ପୁଟିନ ସ୍ମାର୍ଟଫୋନ୍ ବ୍ୟବହାରକୁ ନେଇ କଠୋର ନିୟମ ପାଳନ କରନ୍ତି ।

ଏକ ରିପୋର୍ଟ ଅନୁସାରେ, ଗ୍ଲିବ୍ କରାକୁଲୋଭ ପୁଟିନଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୁରକ୍ଷା ଟିମ୍‌ର ଜଣେ ଅଧିକାରୀ ଥିଲେ, ଯିଏକି ରୁଷ୍‌ରୁ ପଳାୟନ କରିଥିଲେ । ସେ ଦାବି କରିଛନ୍ତି ଯେ ପୁଟିନ୍ ବିଦେଶ ଗସ୍ତରେ ଟେଲିଫୋନ୍ ବୁଥ୍ ସାଙ୍ଗରେ ନେଇ ଯାଆନ୍ତି । ସେଥିରେ ଏକ ୱର୍କଷ୍ଟେସନ୍ ଓ ଏକ ସଂଚାର ଉପକରଣ ଥାଏ । ଏହା ମାଧ୍ୟମରେ ନିଜ ପରିଜନଙ୍କ ସହ ସେ କଥା ହୁଅନ୍ତି । ତାଙ୍କ କହିବା ଅନୁସାରେ, ସେ ପୁଟିନଙ୍କ ସହ ୧୮୦ରୁ ଅଧିକ ଗସ୍ତରେ ସାମିଲ ଥିଲେ । ପୁଟିନ ଗସ୍ତରେ ମୋବାଇଲ ଫୋନ୍ ଧରନ୍ତି ନାହିଁ କିମ୍ବା ଇଣ୍ଟର୍‌ନେଟ୍‌ ମଧ୍ୟ ବ୍ୟବହାର କରନ୍ତି ନାହିଁ । ଘନିଷ୍ଠ ଲୋକଙ୍କଠୁ ତାଙ୍କ ପାଖରେ ସୂଚନା ପହଞ୍ଚେ ।