• ସରିଫ୍‌ଙ୍କୁ ଉଚିତ୍‌ ଶିକ୍ଷା ଦେଲେ ପୁଟିନ୍‌
  • ୪୦ ମିନିଟ୍ ଯାଏ ଅପେକ୍ଷା କରାଇଲେ
  • ନିରାଶ ହୋଇ ଉଠି ପଳାଇଲେ ଶେହବାଜ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଆତଙ୍କ ପ୍ରସାର ପାଇଁ କୁଖ୍ୟାତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ଶୁକ୍ରବାର ବଡ଼ ଅପମାନର ସାମ୍ନା କରିବାକୁ ପଡ଼ିଛି। ଯାହାକୁ ସେ କେବେ ବି ଭୁଲିବେ ନାହିଁ। ବାସ୍ତବିକତା ଏୟା ଯେ, ତୁର୍କମେନିସ୍ତାନରେ ସ୍ଥାୟୀ ନିରପେକ୍ଷତାର ୩୦ତମ ବାର୍ଷିକୀ ପାଳନ ପାଇଁ ଏକ ଅନ୍ତର୍ଜାତୀୟ ଫୋରମରେ ସରିଫ୍ ଯୋଗ ଦେଇଥିଲେ, ସେଠାରେ ତାଙ୍କର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ହୋଇ ଥିଲା, କିନ୍ତୁ ସେଠାରେ ପୁଟିନ ସରିଫଙ୍କୁ ୪୦ ମିନିଟ୍ ଯାଏ ଅପେକ୍ଷା କରାଇ ଦେଇ ଥିଲେ, ଯାହା ତାଙ୍କୁ ଖୁବ୍ ନିରାଶ କରିଥିଲା।

ରୁଷିଆନ୍ ଟୁଡେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳୁଛି, ସରିଫ୍ ପୁଟିନଙ୍କ ପାଇଁ ବୈଠକରେ ବହୁତ ସମୟ ଧରି ଅପେକ୍ଷା କରିଛନ୍ତି, କିନ୍ତୁ ସେ ଆସି ନଥିଲେ। ସେ ତାଙ୍କ ବୈଦେଶିକ ମନ୍ତ୍ରୀ ଇଶାକ୍ ଡାରଙ୍କ ସହ ରୁମ୍‌ରେ ଥିଲେ। ଏହାପରେ ସରିଫ୍ ହଠାତ୍ ଉଠି ପଡ଼ିଲେ। ପାଖରେ ହେଉଥିବା ପୁଟିନ ଓ ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗନଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକରେ ପ୍ରବେଶ କରିଥିଲେ। ହେଲେ ସେଠାରେ ମଧ୍ୟ କଥା ହୋଇ ପାରିଲେ ନାହିଁ ଏବଂ କେବଳ ଦଶ ମିନିଟ୍ ପରେ ସେଠାରୁ ତାଙ୍କୁ ଚାଲି ଯିବାକୁ ପଡିଲା।

ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ନେଇ ସରିଫଙ୍କୁ ଉପହାସ କରାଯାଉଛି। ଜଣେ ୟୁଜର ଲେଖିଛନ୍ତି ଯେ, ପୁଟିନ ଭିକାରୀଙ୍କ ଉପରେ ନିଜର ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ। ଆଉ ଜଣେ କହିଛନ୍ତି ଯେ, ଏହା ଏକ ଆନ୍ତର୍ଜାତିକ ଅପମାନ ହୋଇଗଲା। ଅନ୍ୟ ଜଣେ ୟୁଜର କହିଛନ୍ତି ଯେ, ୪୦ ମିନିଟ୍ ଯାଏ ପୁଟିନଙ୍କ ଦ୍ୱାର ବାଡ଼େଇ ବାଡେଇ ଥକି ଗଲେ କିନ୍ତୁ ଏଣ୍ଟ୍ରି ମିଳିଲା ନାହିଁ, ଯେମିତି ବିବାହରେ ବିନା ନିମନ୍ତ୍ରଣରେ ପଶି ଥିବା ସଂପର୍କୀୟ।