ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ୍ ଉଇଟକଫଙ୍କୁ କ୍ରେମଲିନରେ ଭେଟିଛନ୍ତି। ଏହି ସାକ୍ଷାତ ଆମେରିକାର ଅଗଷ୍ଟ ୮ ତାରିଖର ନିଷେଧାଦେଶ ସମୟସୀମା ପୂର୍ବରୁ ହୋଇଛି। ଯେଉଁଥିରେ ଟ୍ରମ୍ପ ରୁଷିଆକୁ ୟୁକ୍ରେନ ଯୁଦ୍ଧରେ ଶାନ୍ତି ଆଲୋଚନା ପାଇଁ ଅଗ୍ରଗତି କରିବାକୁ ନଚେତ୍ କଠୋର ଆର୍ଥିକ ନିଷେଧାଦେଶର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଛନ୍ତି। କ୍ରେମଲିନ ଏହି ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଆଲୋଚନାକୁ “ଉପଯୋଗୀ” ବୋଲି ବର୍ଣ୍ଣନା କରିଛି।
ଟ୍ରମ୍ପ ରୁଷିଆକୁ ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ ୧୦ ଦିନର ସମୟସୀମା ଦେଇଛନ୍ତି, ପୂର୍ବରୁ ଏହାର ସମୟସୀମା ୫୦ ଦିନ ଥିଲା। ସେ ରୁଷର ତୈଳ ରପ୍ତାନି ଏବଂ ଚୀନ, ଭାରତ ଭଳି ଦେଶମାନଙ୍କ ବିରୋଧରେ ପାଲଟା ଶୁଳ୍କ ଲଗାଇବାକୁ ମଧ୍ୟ ଧମକ ଦେଇଛନ୍ତି। ତେବେ, ସେ ସ୍ୱୀକାର କରିଛନ୍ତି ଯେ ରୁଷିଆ ନିଷେଧାଦେଶ ଏଡ଼ାଇବାରେ ଦକ୍ଷ।
ଉଇଟକଫ ଓ ପୁଟିନଙ୍କ ମଧ୍ୟରେ ୟୁକ୍ରେନ ସଂଘର୍ଷ ଓ ଦୁଇ ଦେଶର ରଣନୈତିକ ସମ୍ପର୍କ ଉପରେ ଆଲୋଚନା ହୋଇଛି। ରୁଷ ମୁଖପାତ୍ର ଦିମିତ୍ରି ପେସକଫ ଏହାକୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୋଲି କହିଛନ୍ତି। ଉଇଟକଫ ରୁଷର ଦୂତ କିରିଲ ଦିମିତ୍ରିଏଭଙ୍କ ସହ ମଧ୍ୟ ଭେଟିଛନ୍ତି।
ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ଉପରେ କଠୋର ନିଷେଧାଦେଶ ଦାବି କରିଛନ୍ତି। ଏହା ସହ ସେ ଟ୍ରମ୍ପ କିମ୍ବା ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନଙ୍କ ମଧ୍ୟସ୍ଥତାରେ ପୁଟିନଙ୍କ ସହ ଆଲୋଚନା ପାଇଁ ଇଚ୍ଛୁକ। ପୂର୍ବ ଆଲୋଚନାରେ କିଛି ଯୁଦ୍ଧବନ୍ଦୀ ବିନିମୟ ହୋଇଥିଲେ ମଧ୍ୟ ଶାନ୍ତି ଆଲୋଚନାରେ କୌଣସି ବଡ଼ ଅଗ୍ରଗତି ମିଳିପାରିନାହିଁ।
ଟ୍ରମ୍ପଙ୍କ ନିଷେଧାଦେଶ ଧମକ ରୁଷର ତୈଳ ରପ୍ତାନିକୁ ପ୍ରଭାବିତ କରିପାରେ, ଯାହା ଚୀନ ଓ ଭାରତକୁ ମଧ୍ୟ ପ୍ରଭାବିତ କରିବ। ଏହାର ପ୍ରଭାବରେ ଆଜି କ୍ରୁଡ଼ ଅଏଲର ମୂଲ୍ୟ ୧% ବୃଦ୍ଧି ପାଇ ବ୍ୟାରେଲ ପିଛା ୬୮ ଡଲାରରେ ପହଞ୍ଚିଛି।
ପୁଟିନ ୟୁକ୍ରେନର ଚାରି ଅଞ୍ଚଳରେ ନିୟନ୍ତ୍ରଣ ଓ ନାଟୋ ସଦସ୍ୟତା ରୋକିବା ଦିଗରେ ଅଡ଼ି ବସିଛନ୍ତି। ସେ ଯୁଦ୍ଧବିରତି ପାଇଁ ସ୍ପଷ୍ଟ ରୂପରେଖ ନମିଳିବା ଯାଏ ଜେଲେନସ୍କିଙ୍କ ସହ ଭେଟିବାକୁ ଅନିଚ୍ଛୁକ ରହିଛନ୍ତି। ତେବେ, ନିଷେଧାଦେଶ ଏଡ଼ାଇବା ପାଇଁ ପୁଟିନ ୟୁକ୍ରେନକୁ ସାମାନ୍ୟ ଛାଡ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଏହି ସାକ୍ଷାତ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପୁଟିନଙ୍କ ଅବସ୍ଥାନ ଓ ଚାଲିଥିବା ଯୁଦ୍ଧ ଯୋଗୁଁ ପୂର୍ଣ୍ଣାଙ୍ଗ ଯୁଦ୍ଧବିରତିର ସମ୍ଭାବନା ବହୁତ କମ୍ ରହିଛି। ଆନ୍ତର୍ଜାତୀୟ ସମୁଦାୟ ଏହାର ପରିଣାମ ଉପରେ ନଜର ରଖିଛି। ଏହି ବୌଠକର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ତ୍ୱ ପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।