PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ପ୍ରଶ୍ନବାଚୀ ଘେରରେ ମୂଲ୍ୟାୟନ

ଭାରତ ସମ୍ପର୍କରେ ଆନ୍ତର୍ଜାତିକସ୍ତରୀୟ ସୂଚକାଙ୍କ ନିକଟରେ ପ୍ରକାଶ ପାଇଛି । ଏହା ମତଭିତ୍ତିକ । ତିନୋଟି ସଂସ୍ଥା ପକ୍ଷରୁ ପ୍ରକାଶିତ ସୂଚକାଙ୍କକୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶକ ପରିଷଦ (ଇକୋନମିକ୍‌ ଆଡଭାଇଜରି କାଉନସିଲ୍‌ ବା ଇଏସି) ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛି । ସରକାରଙ୍କ ପକ୍ଷରୁ ଏପରି ଅନୁଶୀଳନ କରାଯିବା ସର୍ବପ୍ରଥମ । ବିଶେଷକରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରଠାରୁ କେତେକ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଭାରତକୁ ନେଇ ଯେପରି ମୂଲ୍ୟାୟନ କରାଯାଉଛି, ସେଥିନେଇ ସଂସ୍ଥାର ମୂଲ୍ୟାୟନର ଉଦ୍ଦେଶ୍ୟ, ଯୁକ୍ତିଯୁକ୍ତତା ତଥା ମୂଲ୍ୟାୟନର ପଦ୍ଧତି ସମ୍ପର୍କରେ ଇଏସି ଭୀଷଣ ସନ୍ଦେହ ପ୍ରକାଶ କରିଛି ।

ଫ୍ରିଡମ୍‌ ହାଉସ୍‌ ଦ୍ୱାରା ବିଶ୍ୱରେ ସ୍ୱାଧୀନତା ସଂକ୍ରାନ୍ତ ସୂଚକାଙ୍କ ପ୍ରକାଶ ପାଇଥିବାବେଳେ ଅନ୍ୟଟି ଇଆଇୟୁ ଡେମୋକ୍ରାସି ସୂଚକାଙ୍କ । ତୃତୀୟ ସଂସ୍ଥା ଭେରାଇଟି ଅଫ୍‌ ଡେମୋକ୍ରାସି (ଭି-ଡେମ୍‌), ଯାହା ପକ୍ଷରୁ ଭାରତ ଏବଂ ଅନ୍ୟ କେତେକ ଦେଶର ଗଣତାନ୍ତ୍ରିକ ବିବିଧତା ପ୍ରସଙ୍ଗକୁ ନେଇ ସୂଚକାଙ୍କ ଜାରି କରିଛି । ଏହିସବୁ ସୂଚକାଙ୍କ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନାମୂଳକ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ବୋଲି ସରକାରୀ ଅଧ୍ୟୟନପତ୍ର ଦୋଷାରୋପ କରିଛି । ଏଥିରେ ଶାସନ ସଂକ୍ରାନ୍ତ ମୂଲ୍ୟାୟନ, ରାଜନୈତିକ ସ୍ଥିରତା, ଆଇନର ଶାସନ ସମେତ ବିଭିନ୍ନ ପ୍ରକାର ଅର୍ଥନୈତିକ ସୂଚକକୁ ଦର୍ଶାଯାଇଛି । ଏଥିରେ ଯେପରି ପ୍ରଶ୍ନମାନ ଚୟନ କରାଯାଇଛି ଏବଂ ଉପସ୍ଥାପନ କରାଯାଇଛି, ଯାହାର ଉତ୍ତର ନିର୍ଦ୍ଦିଷ୍ଟ ଭାବେ ହେବା ଅସମ୍ଭବ । ଆନ୍ତର୍ଜାତିକ ରିପୋର୍ଟର ଅନ୍ୟ ଏକ ନକାରାତ୍ମକ ଦିଗ ହେଲା ‘ତଥ୍ୟ ସଂଗ୍ରହ ପଦ୍ଧତି ଯାବତୀୟ ଦୋଷ ଦୁର୍ବଳତାପୂର୍ଣ୍ଣ ।’ ପୁଣି ଏଥିରେ ଯେଉଁ ଉପସଂହାର ଦିଆଯାଇଛି ତାହା ‘ଅଜଣା ବିଶେଷଜ୍ଞମାନଙ୍କ ଏକ କ୍ଷୁଦ୍ରଗୋଷ୍ଠୀ’ର ମତ ଉପର ଆଧାରିତ । ଏଣୁ ସରକାରୀ ଅନୁଶୀଳନରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ସରକାରୀ ଅନୁଶୀଳନପତ୍ରର ଯୁଗ୍ମ ଲେଖକ ହେଲେ ସଂଜୀବ ସାନ୍ୟାଲ ଏବଂ ଆକାଂକ୍ଷା ଆରୋରା । ସଂଜୀବ ଇଏସିର ସଦସ୍ୟ ଏବଂ ଆକାଂକ୍ଷା ଉପ-ନିର୍ଦ୍ଦେଶକ ।

ଭାରତ ସରକାରଙ୍କ ଦୋଷାରୋପର ଜବାବରେ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ମଧ୍ୟରୁ ଭି-ଡେମ୍‌ ନିଜ ପକ୍ଷ ରଖିଛି । ଏହାର ନିର୍ଦ୍ଦେଶକ ଷ୍ଟାଫନ୍‌ ଲିଣ୍ଡବର୍ଗ ‘ଆର୍ଟିକିଲ୍‌-୧୪’ ୱେବସାଇଟ୍‌କୁ ସାକ୍ଷାତକାର ଦେବା ଅବସରରେ ଭି-ଡେମ୍‌’ର ଉଭୟ ସର୍ବେକ୍ଷଣ ତଥା ବିଶ୍ଳେଷଣ ଯଥାର୍ଥ ତଥା ଯୁକ୍ତିଯୁକ୍ତ ବୋଲି ଯୁକ୍ତି ବାଢ଼ିଛନ୍ତି । ତେବେ ସେ ଯେଉଁ ସଫେଇ ଦେଇଛନ୍ତି ତାହା ଆଦୌ ସନ୍ତୋଷଜନକ ନୁହେଁ । ଉଦାହରଣସ୍ୱରୂପ ଭି-ଡେମ୍‌ ହାତଗଣତି ୩୦ଜଣ ବିଶେଷଜ୍ଞଙ୍କ ମତକୁ ନେଇ ମୂଲ୍ୟାୟନ କରିଛି । ୧୪୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଭାରତର ଗଣତନ୍ତ୍ର ସମ୍ବନ୍ଧରେ ଅଙ୍କ କଷିବାବେଳେ ଅନେକ ମତଦାତାଙ୍କୁ ନିଆଯିବା ଉଚିତ୍‌ ହୋଇଥାନ୍ତା ।

ଆହୁରି ମଧ୍ୟ ଯେତେସବୁ ପ୍ରଶ୍ନ ପଚରାଯାଇଛି, ସେଗୁଡ଼ିକର ଉତ୍ତର କେବଳ ବର୍ଣ୍ଣନାମୂଳକ ହୋଇପାରିବ । ତୃତୀୟତଃ, ଏହି ସମସ୍ତ ସଂସ୍ଥା ଯେଉଁମାନଙ୍କୁ ସାମିଲ କରିଛନ୍ତି ଭାରତକୁ ପରଖିବା ପାଇଁ, ସେମାନଙ୍କ ପରିଚୟ ଗୋପନ ରଖିଛନ୍ତି । ବିଶେଷଜ୍ଞମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ, ସେମାନଙ୍କର ପେସା କ’ଣ ପ୍ରକାଶ କରିନାହାଁନ୍ତି । ପ୍ରମୁଖ କଥା ହେଲା ସେମାନଙ୍କର ରାଜନୈତିକ ଭିତ୍ତିଭୂମି କ’ଣ ବା ସେମାନଙ୍କର ଆଦର୍ଶ କ’ଣ, ଏସବୁ ନେଇ ମଧ୍ୟ ସର୍ବେକ୍ଷଣକାରୀ ସଂସ୍ଥାଗୁଡ଼ିକ ନିରବ । ତେବେ ଲିଣ୍ଡବର୍ଗ କହିଥିଲେ, ତାଙ୍କ ସଂସ୍ଥା ୧୮୦ଟି ଦେଶର ବିଶେଷଜ୍ଞମାନଙ୍କୁ ନେଇ କାମ କରିଛି । ବିଶେଷଜ୍ଞଗଣ ତଥା ସେମାନଙ୍କ ପରିବାର ପ୍ରତି ବିପଦ ଦେଖାଦେଇପାରେ ଆଶଙ୍କା କରି ସେମାନଙ୍କର ପରିଚୟ ଗୋପନ ରଖାଯାଇଛି । ଏପରି ଅଜଣା ଅଶୁଣା ମାତ୍ର ୩୦ଜଣ ବିଶେଷଜ୍ଞଙ୍କ ସୂତ୍ରକୁ ଆଧାର କରି ଭି-ଡେମ୍‌ ଯଦି ନିଷ୍କର୍ଷରେ ପହଞ୍ଚିଗଲା ଯେ, ଭାରତ କ୍ରମେ ‘ନିର୍ବାଚନୀ ଏକତନ୍ତ୍ର’ (ଇଲେକ୍‌ଟ୍ରୋଲ୍‌ ଅଟୋକ୍ରାସୀ)ର ଅନ୍ଧାର ଭିତରକୁ ଖସିଯାଉଛି, ଆମେ କ’ଣ ଏହାକୁ ସହଜରେ ବିଶ୍ୱାସ କରିଯିବୁ? ଅର୍ଥାତ୍‌ ଉପସଂହାରକୁ ନେଇ ଭାରତୀୟଙ୍କ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ ।

ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆନ୍ତର୍ଜାତିକ ସର୍ବେକ୍ଷଣ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତ ସମେତ ୬ଟି ଦେଶରେ ‘ବହୁବାଦ ବିରୋଧୀ’ ଦଳଗୁଡ଼ିକ ଏକାକୀ ଶାସନ କରିବା ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମମାନ ଚଳାଇଛନ୍ତି । ଅନ୍ୟ ୫ଟି ଦେଶ ମଧ୍ୟରେ ବ୍ରାଜିଲ, ହଙ୍ଗେରୀ, ପୋଲାଣ୍ଡ, ସର୍ବିୟା ଏବଂ ତୁର୍କୀର ନାମ ନିଆଯାଇଛି । ଜଣେ ଅନ୍ୟ ଦେଶଗୁଡ଼ିକ କଥା ଜାଣିନଥାଇପାରନ୍ତି, ଯେତେଦୂର ଭାରତର ସମ୍ପର୍କ ଏପରି କୌଣସି ରାଜନୈତିକ ଦଳ ନାହିଁ, ଯେଉଁମାନଙ୍କର କିଛି ସମର୍ଥକ ଭୋଟର ରହିଛନ୍ତି, ସେମାନେ ବହୁବାଦ ବା ବହୁଦଳକୁ ସମର୍ଥନ କରୁନାହାଁନ୍ତି । ସୁତରାଂ, ଭାରତୀୟ ରାଜନୈତିକ ଦଳଗୁଡ଼ିକୁ ବହୁବାଦବିରୋଧୀ ବୋଲି ଚିତ୍ରିତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଭାରତରେ ସାମାଜିକ ବିବିଧତା କାରଣରୁ ରାଜନୈତିକ ବିବିଧତା ସୃଷ୍ଟି ହୋଇପାରିଛି ବୋଲି ଯେକେହି ରାଜନୈତିକ, ସାମାଜିକ ବିଜ୍ଞାନୀଙ୍କୁ ଅବୁଝା ହୋଇ ରହିନାହିଁ ।

ରାଜନୈତିକ ବିବିଧତାର ଜ୍ୱଳନ୍ତ ଉଦାହରଣ ହେଲା, ଦେଶରେ ଛତୁ ଫୁଟିବା ପରି ରାଜନୈତିକ ଦଳ ମୁଣ୍ଡଟେକିବା । ବିଭିନ୍ନ ଜାତି, ଭାଷା ତଥା ଅଞ୍ଚଳକୁ ଆଧାର କରି ଛୋଟ ବଡ଼ ରାଜନୈତିକ ଦଳ ଭାରତବ୍ୟାପୀ ରହିଛନ୍ତି । ଏଠାରେ ମନେପକାଇ ଦିଆଯାଇପାରେ କି, ଭାରତର ଦ୍ୱିତୀୟ ଲୋକସଭା (୧୯୫୭-୬୨)ରେ ମୋଟ୍‌ ୧୨ଟି ରାଜନୈତିକ ଦଳର ସାଂସଦ ସ୍ଥାନ ପାଇଥିଲେ । ଏହାର ଚାରି ଦଶନ୍ଧି ପରେ, ଅର୍ଥାତ୍‌ ୧୯୮୦ ପରଠାରୁ କେତେ କେତେ ରାଜନୈତିକ ଦଳ ଜନ୍ମନେଇଛନ୍ତି ଏବଂ ପ୍ରତିନିଧିତ୍ୱ ମଧ୍ୟ କରୁଛନ୍ତି । ଗତ ୪ ଦଶନ୍ଧି ମଧ୍ୟରେ ଜନତା ଦଳ, ଜନତା ଦଳ (ସିକ୍ୟୁଲାର), ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ତେଲେଙ୍ଗାନା ରାଷ୍ଟ୍ରୀୟ ସମିଥି (ଟିଆରଏସ୍‌), ୱାଇଏସଆର୍‌ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ବିଜୁ ଜନତା ଦଳ (ବିଜେଡି), ତୃଣମୂଳ କଂଗ୍ରେସ (ଟିଆରଏସ) ଇତ୍ୟାଦି ପାଦ ଥାପିଛନ୍ତି । ପୁନଶ୍ଚ ଟିଏମସି, ଟିଆରଏସ ଅବା ବିଜେଡି ଆଦି ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟ ନିର୍ବାଚନରେ ବିପୁଳ ସମର୍ଥନ ହାସଲ କରି କ୍ଷମତା ଅକ୍ତିଆର କରିପାରିଛନ୍ତି । କେବଳ ଏତିକି ନୁହେଁ, ବିଜେପି ତଥା କଂଗ୍ରେସ ପରି ଜାତୀୟ ରାଜନୈତିକ ଦଳ ଛୋଟ-ବଡ଼ ଆଞ୍ଚଳିକ ଦଳଗୁଡ଼ିକର ଗୁରୁତ୍ୱକୁ ବୁଝି ସେମାନଙ୍କ ସହ ଜାତୀୟ ତଥା ରାଜ୍ୟସ୍ତରରେ କ୍ଷମତାର ଭାଗୀଦାରି କରିବାକୁ ପଛେଇ ନାହାଁନ୍ତି ।

ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟ ‘ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନସ (ଏନଡିଏ)’ରେ ଏବେସୁଦ୍ଧା ୧୫ଟି ଦଳ ସାମିଲ ଅଛନ୍ତି । ଏହି ମେଣ୍ଟର ଲୋକସଭାରେ ୩୨୯ ଏବଂ ରାଜ୍ୟସଭାରେ ୧୧୦ଜଣ ସାଂସଦ ଅଛନ୍ତି । ଦେଶର ୨୮ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‌ ୪୦ଟି ରାଜନୈତିକ ଦଳ ବିଭିନ୍ନ ମେଣ୍ଟ ଜରିଆରେ ସରକାର ଗଠନ କରିଛନ୍ତି । ପ୍ରକୃତପକ୍ଷେ ଭାରତରେ ଗଣତନ୍ତ୍ରର ମହୋତ୍ସବ ହେଉଛି । କିନ୍ତୁ ପାଶ୍ଚାତ୍ୟସଂସ୍ଥାଗୁଡ଼ିକ ବିଜେପିକୁ ବହୁବାଦବିରୋଧୀ ବୋଲି ଦୋଷାରୋପ କରୁଛନ୍ତି । ସେମାନଙ୍କ ବିରୋଧରେ ନିଶ୍ଚୟ ମାନହାନି ଅଭିଯୋଗ ଅଣାଯିବା ଉଚିତ୍‌ । କାରଣ କେବଳ ଗୋଟିଏ ଦଳ ନୁହେଁ କିମ୍ବା ସମସ୍ତ ଦଳ ନୁହେଁ, ଏପରି ଅଭିଯୋଗ ସମଗ୍ର ଦେଶ ବିରୋଧରେ ଅଭିସନ୍ଧି । ଭି-ଡେମ୍‌ ଏବଂ ଅନ୍ୟ ପାଶ୍ଚାତ୍ୟ ସଂସ୍ଥାଗୁଡ଼ିକ କେବେହେଁଁ ଭାରତୀୟ ଗଣତନ୍ତ୍ରର ମହୋତ୍ସବକୁ ସ୍ୱୀକାର କରିନାହାଁନ୍ତି କି ଆଗକୁ ସ୍ୱୀକୃତି ଦେବାର ସମ୍ଭାବନା ନାହିଁ ।

ଭାରତ ଏହି ବହୁମୁଖୀ ଗଣତନ୍ତ୍ର । ଏହା ଦୃଢ଼ ସାମ୍ବିଧାନିକ ଭିତ୍ତିଭୂମି ଉପରେ ଗଢ଼ା ହୋଇଛି ବୋଲି ପାଶ୍ଚାତ୍ୟ ସଂସ୍ଥା କେବେହେଁ କହିନାହାଁନ୍ତି । ଆଇନ ଆଗରେ ସମସ୍ତେ ସମାନ ଏବଂ ସମସ୍ତ ଆଇନକୁ ସମାନ ଭାବେ ସୁରକ୍ଷିତ ରଖାଯିବାର ବ୍ୟବସ୍ଥା (ଧାରା-୧୪), ପକ୍ଷପାତବିହୀନ କ୍ଲଜ୍‌ (ଧାରା-୧୫), ପ୍ରଜାତାନ୍ତ୍ରିକ ସରକାର ଗଠନ ଇତ୍ୟାଦିର ପ୍ରାବଧାନ ଆମ ସମ୍ବିଧାନରେ ଦିଆଯାଇଛି । ପ୍ରଜାତାନ୍ତ୍ରିକ ଭାରତରେ ଦେଶର ମୁଖିଆ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥାନ୍ତି । ସମ୍ବିଧାନର ପ୍ରସ୍ତାବନା ଜରିଆରେ ଶାସକ ମୁଖ୍ୟଙ୍କୁ ସୁରକ୍ଷା ଦିଆଯାଇନାହିଁ ।

ଅନ୍ୟପକ୍ଷରେ, ଭାରତୀୟ ସମ୍ବିଧାନ ପ୍ରତ୍ୟେକଙ୍କୁ ନିଜ ନିଜର ବିବେକ ଅନୁମୋଦିତ ଧାରାରେ ଚାଲିବାକୁ ଏବଂ ପୂଜାର୍ଚ୍ଚନା କରିବାକୁ ସ୍ୱତନ୍ତ୍ରତା (ଧାରା-୨୫)ଦେଇଥିବାବେଳେ ସଂଖ୍ୟାଲଘୁମାନଙ୍କର ଅଧିକାର ଦୃଢ଼ ଭାବେ ସୁରକ୍ଷିତ (ଧାରା- ୨୫, ୨୬, ୨୯, ୩୦) ହୋଇଛି । ଏଣୁ ଭାରତ ପ୍ରଜାତନ୍ତ୍ରରେ ପରିଣତ ହେବା ପରଠାରୁ ଏପର୍ଯ୍ୟନ୍ତ ଦଳିତ, ବଞ୍ଚିତ ବର୍ଗର ବ୍ୟକ୍ତିବିଶେଷ ରାଷ୍ଟ୍ରମୁଖ୍ୟ ହେବାର ଅନନ୍ୟ ସୁଯୋଗ ଲାଭ କରିପାରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ମହାମହୀମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିନ୍ତୁ ସ୍ୱିଡେନ, ଡେନମାର୍କ ଭଳି ରାଷ୍ଟ୍ର ସେମାନଙ୍କର ରାଜତନ୍ତ୍ରକୁ ଜନସାଧାରଣଙ୍କ ଅର୍ଥରେ ଜୀବିତ ରଖିଛନ୍ତି । ପ୍ରଜାତନ୍ତ୍ରକୁ ପଚାରେ କିଏ? ଗଣତନ୍ତ୍ରରେ ଏପରି ହୁଏନାହିଁ ।

ପାଶ୍ଚାତ୍ୟ ସଂସ୍ଥା ଦ୍ୱାରା ମୂଲ୍ୟାୟନର ଆହୁରି ଏକ ଆଚମ୍ବିତ କଲା ଭଳି ଦିଗ ହେଲା, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଇସଲାମ୍‌ ତଥା ଖ୍ରୀଷ୍ଟ ଧର୍ମକୁ ଜାତୀୟ ଧର୍ମ ଭାବେ ସମ୍ବିଧାନରେ ଗ୍ରହଣ କରିଥିବା ଅନେକ ଦେଶକୁ ମୂଲ୍ୟାୟନ ସୂଚୀରେ ଭାରତ ଉପରେ ରଖାଯାଇଛି । ଭାରତର କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ । ପରନ୍ତୁ, ସମ୍ବିଧାନର ଧାରା-୨୮ ସରକାରୀ ଅର୍ଥରେ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ପ୍ରକାର ଧାର୍ମିକ ଶିକ୍ଷା ପ୍ରଦାନକୁ ସମ୍ପୂର୍ଣ୍ଣ ନିଷେଧ କରିଛି ।

ଗତ ଦୁଇବର୍ଷ ତଳେ ମଧ୍ୟ ଭି-ଡେମ୍‌ ଏବଂ ରିପୋର୍ଟରସ୍‌ ଉଇଦାଉଟ୍‌ ବର୍ଡରସ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ତାଲିକାର ତଳଭାଗରେ ଭାରତକୁ ସ୍ଥାନ ଦେଇ ବଦନାମ କରିବା ପାଇଁ ଚେଷ୍ଟା କରିଥିଲା । ସେ ସମୟରେ ମଧ୍ୟ ଏହି ଲେଖକ ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ଉଠାଇଥିଲା । ସେତେବେଳେ ଯେଉଁସବୁ ପ୍ରଶ୍ନମାନ ଉଠାଯାଇଥିଲା ସେଗୁଡ଼ିକର ଉତ୍ତର ଆଜିପର୍ଯ୍ୟନ୍ତ ପାଶ୍ଚାତ୍ୟ ସଂସ୍ଥାମାନେ ଦେଇନାହାଁନ୍ତି । ଏହାର କାରଣ, ସେମାନଙ୍କର ମୂଲ୍ୟାୟନ ରିପୋର୍ଟ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ।

ପାଶ୍ଚାତ୍ୟ ସଂସ୍ଥା ଦ୍ୱାରା ମୂଲ୍ୟାୟନର ଆହୁରି ଏକ ଆଚମ୍ବିତ କଲା ଭଳି ଦିଗ ହେଲା, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଇସଲାମ୍‌ ତଥା ଖ୍ରୀଷ୍ଟ ଧର୍ମକୁ ଜାତୀୟ ଧର୍ମ ଭାବେ ସମ୍ବିଧାନରେ ଗ୍ରହଣ କରିଥିବା ଅନେକ ଦେଶକୁ ମୂଲ୍ୟାୟନ ସୂଚୀରେ ଭାରତ ଉପରେ ରଖାଯାଇଛି । ଭାରତର କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ । ପରନ୍ତୁ, ସମ୍ବିଧାନର ଧାରା-୨୮ ସରକାରୀ ଅର୍ଥରେ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ପ୍ରକାର ଧାର୍ମିକ ଶିକ୍ଷା ପ୍ରଦାନକୁ ସମ୍ପୂର୍ଣ୍ଣ ନିଷେଧ କରିଛି ।