ନୂଆଦିଲ୍ଲୀ,୦୭/୦୬; ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନ୍ଦା ଚଳିତ ବର୍ଷ ନରୱେ ଚେସ୍ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଛନ୍ତି । ୧୦ ରାଉଣ୍ଡ୍ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସେ ସର୍ବାଧିକ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍ ଜିତି ଇତିହାସ ରଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ପ୍ରଜ୍ଞାନନ୍ଦାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ନରୱେ ରାଜଧାନୀ ଓସ୍ଲୋ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ତଥା ଦଶମ ରାଉଣ୍ଡରେ ପ୍ରଜ୍ଞାନନ୍ଦା ଜର୍ମାନୀର ଭିନସେଣ୍ଟ କିମରଙ୍କୁ ହରାଇ ଟ୍ରଫି ଉଠାଇବାରେ ସଫଳ ହୋଇଥିଲେ । ଟାଇଟଲ ପଥରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ତଥା ୭ଥର ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କୁ ୨ଥର ପରାଜିତ କରିଥିଲେ । ଆମେରିକାର ୱେସଲି ସୋ ୧୭ ପଏଣ୍ଟ ସହ ଦ୍ୱିତୀୟ, ଫ୍ରାନ୍ସର ଅଲିରେଜା ଫିରୌଜା ୧୫.୫ ପଏଣ୍ଟ ସହ ତୃତୀୟ, କାର୍ଲସେନ ୧୩ପଏଣ୍ଟ ସହ ଚତୁର୍ଥ, କିମର ୧୧ପଏଣ୍ଟ ସହ ପଞ୍ଚମ ଏବଂ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ୮ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଗୁକେଶ ଅନ୍ତିମ ରାଉଣ୍ଡରେ କାର୍ଲସେନଙ୍କ ନିକଟରୁ ହାରି ଯାଇଥିଲେ । ମହିଳା ବର୍ଗରେ କାଜାଖସ୍ତାନର ବିବିସାରା ଆସାଉବାୟେଭା ୧୬.୫ପଏଣ୍ଟ ସହ ଚାମ୍ପିଅନ୍ ହୋଇଛନ୍ତି । ବିଶ୍ୱ ଚାମ୍ପିଅନ୍ ଭାରତୀୟ ମହିଳା ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ୧୦ପଏଣ୍ଟ ସହ ପଞ୍ଚମ ଓ ହମ୍ପି କୋନେରୁ ୯ପଏଣ୍ଟ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

  

ପ୍ରଜ୍ଞାନନ୍ଦା ଦ୍ୱିତୀୟ ଥର ପାଇଁ ନରୱେ ଚେସରେ ଖେଳୁଥିଲେ।  ଏହି ଏଲିଟ୍ ୬ ଜଣିଆ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଆରମ୍ଭ ଧୀର ଥିଲା, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ସେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ ଅଭିଯାନର ମୁଖ୍ୟ କଥା ହେଉଛି ବିଶ୍ୱ ନମ୍ବର ୧ ଏବଂ ୭ ଥର ନରୱେଜିଆନ୍ ଚେସ୍ ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କୁ ଚେସରେ ଦୁଇଥର ପରାସ୍ତ କରିବା । ଏହି ସଫଳତା ତାଙ୍କ ଲଢ଼ୁଆ ମନୋଭାବର ପ୍ରମାଣ, ବିଶେଷକରି ଚଳିତ ବର୍ଷ ପ୍ରାରମ୍ଭରେ ପାଫୋସରେ ଅନୁଷ୍ଠିତ ପ୍ରାର୍ଥୀ ଟୁର୍ଣ୍ଣାମେଣ୍ଟରେ ତାଙ୍କର ପ୍ରଦର୍ଶନ ଆଶାଠାରୁ କମ୍ ଥିଲା । ଏହି ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଜ୍ଞାନନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ଲେଖିଛନ୍ତି, '' ଏହା ବାସ୍ତବରେ ଏକ ଅବିଶ୍ୱସନୀୟ ମାଇଲଖୁଣ୍ଟ ଯାହା ତାଙ୍କର ନିରନ୍ତର ଉତ୍କର୍ଷତାକୁ ପ୍ରକାଶ କରେ । ତାଙ୍କର ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା । ''

ଏହା ବି ପଢନ୍ତୁ...SAFF Women’s Championship: ବ୍ଲୁ ଟାଇଗ୍ରେସ୍ଙ୍କ ଗର୍ଜନ; ବାଂଲାଦେଶକୁ ହରାଇ ଷଷ୍ଠ ଟାଇଟଲ୍ ଜିତିଲା ଭାରତ