ଭବାନୀପାଟଣା/ରାଉରକେଲା,୬ା୨(ବ୍ୟୁରୋ): ମିଶନ ୨୦୧୯ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖେଳିଛନ୍ତି ୩ଟି କାର୍ଡ । ଗରିବ, ଚାଷୀ ଓ ଆଦିବାସୀ ଭୋଟ୍ ବ୍ୟାଙ୍କକୁ ନଜରରେ ରଖି ଓଡ଼ିଶାରୁ ରାହୁଲ କରିଛନ୍ତି ବଡ଼ ଘୋଷଣା । କଂଗ୍ରେସ ଜିତିଲେ ଗରିବଙ୍କୁ ସର୍ବନିମ୍ନ ଆୟ, ଚାଷୀ ପାଇଁ କୃଷି ଋଣ ଛାଡ଼ ଓ ଧାନ ଏମ୍ଏସପି ୨୬୦୦ ଟଙ୍କା କରିବା ସହ ଆଦିବାସୀଙ୍କୁ ସେମାନଙ୍କ ଅଧିକାର ମିଳିବ ବୋଲି ରାହୁଲ ପ୍ରତିିଶ୍ରୁତି ଦେଇଛନ୍ତି ।
ଭବାନୀପାଟଣା ଓ ରାଉରକେଲା ସମାବେଶରୁ ରାହୁଲ କହିଲେ, କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟ ଦେବ । ଯାହା କେଉଁ ସରକାର କରିନଥିଲେ, ତାହା କରି ଦେଖାଇବ । ଏ ଦିଗରେ ଆହୁରି ପାଦେ ଆଗେଇ ରାଉରକେଲା ସମାବେଶରେ ହିଁ ଇନ୍କମ୍ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଛନ୍ତି ରାହୁଲ । ଏଥିରେ କଂଗ୍ରେସ ପ୍ରତିଶ୍ରୁତି ଦେଇଛି, କ୍ଷମତାକୁ ଆସିଲେ ପ୍ରଥମ ଦିନରେ ଚାଷୀଙ୍କ କୃଷି ଋଣ ଛାଡ଼ ହେବ । ଧାନର ଏମ୍ଏସ୍ପି ୨୬ ଶହ ଟଙ୍କା ହେବ । ଚାଷୀଙ୍କୁ ୫ ବର୍ଷ ପାଇଁ ଆର୍ଥିକ ସହାୟତା ମିଳିବ । ଚୁକ୍ତି ଭିତ୍ତିକ ସ୍ଥାୟୀ ନିଯୁକ୍ତି ସହ ବିବାହ ପାଇଁ ଆର୍ଥିକ ସହାୟତା ଓ ମହିଳାଙ୍କୁ ଅଧିକାର ମିଳିବ । ଭାଷଣରେ ବି ରାହୁଲ ଏହି ପ୍ରତିଶ୍ରୁତିଗୁଡ଼ିକ ଉପରେ ସର୍ବାଧିକ ଫୋକସ୍ ଦେଇଛନ୍ତି ।
ରାହୁଲ କହିଲେ, କଂଗ୍ରେସ କଥାରେ ନୁହେଁ କାମରେ ବିଶ୍ୱାସ କରେ । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯାହା ପ୍ରତିିଶ୍ରୁତି ଦେଇଥିଲୁ, ତାହା କରିଛୁ । କ୍ଷମତାକୁ ଆସିବାର ଦୁଇଦିନ ଭିତରେ କୃଷିଋଣ ଛାଡ଼ କରି ଦେଖାଇଛୁ । ଛତିଶଗଡ଼ରେ କଂଗ୍ରେସ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ଶହ ଟଙ୍କା କରିଛନ୍ତି । ଓଡ଼ିଶାରେ ବି କଂଗ୍ରେସ ଏମିତି କାମ କରି ଦେଖାଇବ ।

ଆଦିବାସୀଙ୍କ ଉଦ୍ଦେଶ୍ୟରେ ରାହୁଲ କହିଛନ୍ତି, କଂଗ୍ରେସ ସେମାନଙ୍କୁ ହକ୍ ଦେବ । କଂଗ୍ରେସ କ୍ଷମତାକୁ ଆସିଲେ ଆଦିବାସୀଙ୍କୁ ଜଙ୍ଗଲ, ଜମି, ଜଳ ଉପରେ ଅଧିକାର ମିଳିବ ।
ଦୁଇଟି ଯାକ ସମାବେଶରେ ରାହୁଲ ଉଭୟ ମୋଦି ଓ ନବୀନଙ୍କୁ ଜୋରଦାର ଆକ୍ରମଣ କରିଥିଲେ । ଭୁବନେଶ୍ୱର ସମାବେଶ ଭଳି ଏଥର ବି ସେ ରିମୋଟ୍ କଣ୍ଟ୍ରୋଲ କଥା କହି ନବୀନଙ୍କୁ କଟାକ୍ଷ କରିଥିଲେ । ରାହୁଲ କହିଲେ, ନବୀନ ହେଉଛନ୍ତି ରିମୋଟ କଣ୍ଟ୍ରୋଲ । ଆଉ ଦିଲ୍ଲୀରୁ ମୋଦି ଏହି ରିମୋଟ୍କୁ ଚଳାଉଛନ୍ତି । ମୋଦି ଯାହା କହୁଛନ୍ତି, ନବୀନ ସେଇଆ କରୁଛନ୍ତି । ଗବର ସିଂ ଟ୍ୟାକ୍ସ ହେଉ କି ବିମୁଦ୍ରୀକରଣ, ମୋଦି ରିମୋଟ୍ ଟିପିବା ମାତ୍ରେ କେନ୍ଦ୍ରର ସବୁ ନିଷ୍ପତ୍ତିରେ ନବୀନ ହଁ ଭରୁଛନ୍ତି ।
ରାହୁଲ କହିଲେ, ମୋଦି ଦେଶକୁ ରାଫେଲ୍ ଦୁର୍ନୀତି ଦେଇଥିବାବେଳେ ନବୀନ ଓଡ଼ିଶାକୁ ଚିଟ୍ଫଣ୍ଡ ଘୋଟାଲା ଦେଇଛନ୍ତି । ବର୍ଷ ବର୍ଷ ଧରି ନବୀନ ସରକାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି । କଂଗ୍ରେସ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲର ସୁରକ୍ଷା ପାଇଁ ପେଶା ଆଇନ ଆଣିଥିଲ। । କୌଣସି ଆଦିବାସୀଙ୍କ ଜମି ଅଧିଗ୍ରହଣ ହଲେ ୪ ଗୁଣା କ୍ଷତିପୂରଣ ଦେବାର ବ୍ୟବସ୍ଥା କରିଥିଲା । କିନ୍ତୁ ନବୀନ ସରକାର ଓଡ଼ିଶାରେ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲକୁ ହଡ଼ପ କରି ଶିଳ୍ପପତିଙ୍କ ହାତରେ ଟେକି ଦେଉଛନ୍ତି । ଆଦିବାସୀ ଓ ଦଳିତଙ୍କ ପାଇଁ ନବୀନଙ୍କର ଦରଦ ନାହିଁ । ଜଳ, ଜଙ୍ଗଲ ଓ ଜମି ହେଉଛି ଆଦିବାସୀଙ୍କ ସମ୍ପତ୍ତି । ଏହାର ମାଲିକ ନା ମୋଦି ନା ନବୀନ ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାହୁଲ ପୁଣି କହିଲେ, ଓଡ଼ିଶାର ବିକାଶ ହୋଇଛି ବୋଲି ନବୀନ ସରକାର ଯାହା କହୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏଠି ସ୍କୁଲ ଓ କଲେଜରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଚିତ୍ର ଦେଖାଇବାକୁ ଯାଇ ଦାନ ମାଝୀର ଉଦାହରଣ ରଖିଥିଲେ ରାହୁଲ ।
ବେକାରୀ ସମସ୍ୟା ଉଠାଇ ସେ ଉଭୟ ମୋଦି ଓ ନବୀନ ସରକାର ଉପରେ ବର୍ଷିଥିଲେ । ରାହୁଲ କହିଲେ, ବେକାରୀ ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେବେ ବୋଲି ଉଭୟ ମୋଦି ଓ ନବୀନ ପ୍ରତିଶ୍ରୁତି ଦେଇଥିଲେ । ସବୁ ପ୍ରତିଶ୍ରୁତି ଫସର ଫାଟିଛି । ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ଗରିବ ରାଜ୍ୟ ନୁହେଁ । ହେଲେ ଏଠାକାର ଲୋକ ଆଜି ଗରିବ । ଓଡ଼ିଶା ଓ ଦିଲ୍ଲୀରେ କଂଗ୍ରେସ ସରକାର ଆସିଲେ ବେକାରୀଙ୍କୁ ନିଯୁକ୍ତି ମିଳିବ । ଚାଷ ଜମି ନିକଟରେ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ନିର୍ମାଣ କରି ରୋଜଗାର ସୃଷ୍ଟି କରାଯିବ ।
ଉଭୟ ସମାବେଶରେ ରାହୁଲ ସ୍ଥାନୀୟ ଲୋକଙ୍କ ଭାବାବେଗଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରିଥିଲେ । ସ୍ଥାନୀୟ ପ୍ରସଙ୍ଗ ଉଠାଇବାକୁ ଭୁଲିନଥିଲେ । ଭବାନୀପାଟଣାରେ ରାହୁଲ ଜୟ ମା’ ମାଣିକେଶ୍ୱରୀ ଓ ଜୁହାର କହି ଭାଷଣ ଆରମ୍ଭ କରିଥିଲେ । କଳାହାଣ୍ଡିର ବୀର କନ୍ଧ ସର୍ଦ୍ଦାର ସହିଦ ରଣ୍ଡୋ ମାଝୀ ଓ ସହିଦ ଲକ୍ଷ୍ମଣ ନାଏକଙ୍କୁ ସ୍ମରଣ କରିଥିଲେ । ନିୟମଗିରି ବଞ୍ଚାଅ ଆନ୍ଦୋଳନରେ ଡଙ୍ଗରିଆମାନଙ୍କ ପାଇଁ ସେ କିଭଳି ସିପାହୀ ଭଳି କାମ କରିଥିଲେ, ସେ କଥା ବି ମନେ ପକାଇଥିଲେ । ରାହୁଲ କହିଥିଲେ, କଳାହାଣ୍ଡି ମାଟିକୁ ଜଣେ ରାଜନେତା ଭାବେ ନୁହେଁ, ବରଂ ପରିବାର ସଦସ୍ୟ ଭାବେ ଆସିଛନ୍ତି ।

ରାହୁଲ କହିଲେ, କଳାହାଣ୍ଡି ଏକ ପଛୁଆ ଅଞ୍ଚଳ । ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି । କଂଗ୍ରେସ ସରକାର କେବିକେ ଯୋଜନା କରିଥିଲା । ମାତ୍ର ମୋଦି ସରକାର ଏହି ଯୋଜନାକୁ ବନ୍ଦ କରିଦଲେ । କଂଗ୍ରେସ କ୍ଷମତାକୁ ଆସିଲେ ଏହି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯୋଜନା କରିବ ।
ରାଉରକେଲାରେ ରାହୁଲ କହିଲେ, ୨୦୧୫ରେ ମୋଦି ରାଉରକେଲା ଆସି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସୁପର ସ୍ପେଶାଆଲିଟି ହସ୍ପିଟାଲ ଏବଂ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଲାଗି ମୋଦି ଘୋଷଣା କରିଥିଲେ । ହେଲେ ମୋଦି ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପାରିନାହାନ୍ତି । ରାଉରକେଲାବାସୀଙ୍କୁ ମୋଦି ଠକିଛନ୍ତି ।
ରାହୁଲ ଆହୁରି କହିଲେ, ରାଉରକେଲାରେ ଇସ୍ପାତ କାରଖାନା (ଆରଏସ୍ପି) କଂଗ୍ରେସ ସରକାର ଅମଳରେ ନିର୍ମାଣ ହୋଇଥିଲା । ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ମଧ୍ୟ କଂଗ୍ରେସ ସରକାର କରିଛନ୍ତି । ଏଥିପାଇଁ ଉପା ସରକାର ଅର୍ଥ ମଧ୍ୟ ଯୋଗାଇ ଦେଇଥିଲେ । ମୋଦି ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ ଭାବେ ବିବେଚିତ ହେଉଥିବା ବେଳେ ଏଠାରେ ଥିବା ସେଣ୍ଟର ଫର୍ ଏକ୍ସଲେନ୍ସିକୁ ଭୁବନେଶ୍ୱରକୁ ଉଠାଇ ନିଆଯାଇଛି । ଯାହାର ଉତ୍ତର ନା ମୋଦି ସରକାର ଦେଉଛନ୍ତି ନା ନବୀନ ସରକାର ।
ସେ ଆହୁରି କହିିଲେ, ଆଚ୍ଛେ ଦିନ୍ ଆସିବ ବୋଲି ମୋଦି ନାରା ଦେଉଥିଲେ । ଏବେ ସେ ନାରା ବଦଳିଯାଇଛି । ଚୌକିଦାର ଚୋର୍ ହେ… ନାରା ଏବେ ସବୁଠି ଶୁଭୁଛି । ଦେଶରେ ଆଚ୍ଛେ ଦିନ୍ ଆସିଲା ନାହିଁ । ବରଂ ରାଫେଲ ବିମାନ କିଣାରେ ବ୍ୟାପକ ୩୦ ହଜାର କୋଟି ଟଙ୍କା ହଡ଼ପ କରାଯାଇଛି । ୧୦/୧୫ ଜଣ ଶିଳ୍ପପତିଙ୍କୁ ସାଢ଼େ ୩ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରି ମୋଦି ଦେଶବାସୀଙ୍କ ସହ ଛଳନା କରିଛନ୍ତି । କେନ୍ଦ୍ରରୁ ମୋଦି ସରକାର ଏବଂ ଓଡ଼ିଶାରୁ ନବୀନ ସରକାରଙ୍କୁ ହଟାଇବାକୁ ସେ ଆହ୍ୱାନ ଦେଇଥିଲେ ।

ଭବାନୀପାଟଣାରେ ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ । ରାହୁଲଙ୍କ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ନେତା ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ସନ୍ତୋଷ ସିଂହ ସାଲୁଜା, ଭୁଜବଳ ମାଝୀ, ନକୁଳ ନାୟକ, ସୁରେନ୍ଦ୍ର ସିଂ ଭୋଇ, ଅମିୟ ପଟ୍ଟନାୟକ, ସୁଶୀଳା ତିରିଆ, ବିଧାୟକ ଡା. ପ୍ରଫୁଲ୍ଲ ମାଝି, ଜର୍ଜ ତିର୍କୀ, ପିସିସି କୋଷାଧ୍ୟକ୍ଷ କିଶୋର ପଟେଲ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।