‘ମୁଁ କେବଳ ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇଥିଲି’: ଲଣ୍ଡନରେ ଦେଇଥିବା ବୟାନ ଉପରେ ସଂସଦୀୟ କମିଟିରେ ସ୍ପଷ୍ଟୀକରଣ ରଖିଲେ ରାହୁଲ

ନୂଆଦିଲ୍ଲୀ: ବ୍ରିଟେନରେ ଦେଇଥିବା ବୟାନ ଉପରେ ସଂସଦୀୟ ପେନାଲ ବୈଠକରେ ସ୍ପଷ୍ଟୀକରଣ ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ବୈଠକରେ କହିଛନ୍ତି, ସେ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇଥିଲେ। ଯେଉଁଥିପାଇଁ ତାଙ୍କୁ ଦେଶ ବିରୋଧୀ କୁହାଯାଇ ପାରିବ ନାହିଁ। ନିକଟରେ ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସରକାରଙ୍କୁ ନେଇ ଅନେକ ବୟାନ ଦେଇଥିଲେ। ଯାହାପରେ ସେ ଲଗାତାର ବିଜେପର ଟାର୍ଗେଟରେ ଆସିଥିଲେ। ବିଜେପିର ଅଭିଯୋଗ ହେଲା ଯେ ଗଣତନ୍ତ୍ରର ସ୍ଥିତି ଉପରେ ପ୍ରଶ୍ନ ଉଠାଇ ରାହୁଲ ଦେଶକୁ ଅପମାନ କରିଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ବସିଥିବା ସଂସଦୀୟ ବୈଠକରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏହି ମାମଲାରେ ଅନ୍ୟ ଦେଶକୁ ହସ୍ତକ୍ଷେପ କରିବାକୁ କହିନାହାନ୍ତି। ଏକ ବିଶେଷ ସୂତ୍ର ଅନୁସାରେ, ରାହୁଲ ଗାନ୍ଧୀ ବୈଠକରେ ଉପସ୍ଥିତ ଥିବା ନେତାଙ୍କୁ କହିଛନ୍ତି, ଏହା ଏକ ଆଭ୍ୟନ୍ତରୀଣ ମାମଲା ଏହାକୁ ଆମେ ହିଁ ସମାଧାନ କରିବୁ ବୋଲି ବ୍ରିଟେନରେ ଥିବା ବୟାନରେ କହିଥିଲି।
ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଉଦ୍ଦେଶ୍ୟ ଥିଲା ଯେ ଜି-୨୦ରେ ଭାରତର ଅଧ୍ୟକ୍ଷତା ଉପରେ ଚର୍ଚ୍ଚା କରିବା। ବୈଠକର ପ୍ରାରମ୍ଭରେ ବୈଦେଶିକ ମନ୍ତ୍ରୀ କମିଟିର ସଦସ୍ୟଙ୍କୁ ଜି-୨୦ ଅଧ୍ୟକ୍ଷତା ଉପରେ ବିବୃତ୍ତି ଦେଇଥିଲେ। ବୈଠକରେ ରାହୁଲ ଗାନ୍ଧୀଙ୍କ ବୟାନକୁ ବିଜେପି ସାଂସଦମାନେ ବିରୋଧ କରିଥିଲେ ଏବଂ କହିଥିଲେ ଯେ ଏହି ବିଷୟ ଉପରେ କହିବା ପାଇଁ ଏହା ଉପଯୁକ୍ତ ମଞ୍ଚ ନୁହେଁ। ସେହିପରି କିଛି ଅନ୍ୟ ସାଂସଦ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଯେତେବେଳେ କି ବିରୋଧୀ ସାଂସଦମାନେ ରାହୁଲ ଏଠାରେ ସ୍ପଷ୍ଟିକରଣ ରଖିବା ଅଧିକାର ଅଛି ବୋଲି କହିଥିଲେ। ହେଲେ ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ସଂସଦରେ ସ୍ପଷ୍ଟିକରଣ ରଖିବାକୁ କହିଥିଲେ।