ସେନାକୁ ପ୍ରମାଣ ଦେବାର ଆବଶ୍ୟକତା ନାହିଁ, ସର୍ଜିକାଲ୍ ଷ୍ଟ୍ରାଇକ୍ ବାବଦରେ ଦିଗବିଜୟଙ୍କ ବୟାନ ବ୍ୟକ୍ତିଗତ: ରାହୁଲ ଗାନ୍ଧି

- ସେନା ପ୍ରତି ଗଭୀର ସମ୍ମାନ ରହିଛି କହିଲେ ରାହୁଲ
- ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠା ଯାଇପାରିବ ନାହିଁ
- ଦିଗବିଜୟଙ୍କ ବୟାନରେ କଂଗ୍ରେସର ଭୂମିକା ନାହିଁ
ନୂଆଦିଲ୍ଲୀ ୨୪/ ୦୧: ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି । ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଦିଗବିଜୟଙ୍କ ବୟାନ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି ସର୍ଜିକାଲ ଷ୍ଟ୍ରାଇକ୍ ବାବଦରେ ଭାରତୀୟ ସେନା ସପକ୍ଷରେ ରହିଛନ୍ତି ।
ରାହୁଲ ଗାନ୍ଧି କହିଛନ୍ତି, ‘ଦିଗବିଜୟ ସିଂହ ଦେଇଥିବା ବୟାନ ତାଙ୍କ ବ୍ୟକ୍ତିଗତ ମତ । ଏହାକୁ ଦଳୀୟ ଦୃଷ୍ଟିକୋଣ ଦେବା ଆଦୌ ଉଚିତ ନୁହେଁ । ଭାରତୀୟ ସେନା ପାଇଁ ଗଭୀର ସମ୍ମାନ ରହିଛି । ଦିଗବିଜୟ ସିଂହଙ୍କ ମତାମତକୁ କଂଗ୍ରେସ ଆଦୌ ଗ୍ରହଣ କରୁନାହିଁ । ସେ ଦେଇଥିବା ବୟାନ ଦଳୀୟ ସୀମାରେଖା ବାହାରେ । ଆମେ ଏହା ସ୍ପଷ୍ଟ କରିଦେବାକୁ ଚାହୁଁ ଯେ, ଭାରତୀୟ ସେନା ତା’ର କର୍ତ୍ତବ୍ୟ ବେଶ୍ ଭଲ ଭାବେ ନିଭାଉଛି । ଏଥିପାଇଁ କୌଣସି ପ୍ରମାଣର ଆବଶ୍ୟକତା ନାହିଁ’।
ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି ଏବେ ଜାମ୍ମୁ କାଶ୍ମୀରରେ ପହଞ୍ଚିସାରିଛନ୍ତି । ସେଠାରେ ପ୍ରେସ୍ କନଫରେନ୍ସ କରି ଦିଗବିଜୟ ସିଂହଙ୍କ ସେନା ବିରୋଧୀ ବୟାନ ଉପରେ ନିଜର ଏବଂ କଂଗ୍ରେସ ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖିଛନ୍ତି । ପ୍ରେସ୍ କନଫରେନ୍ସରେ ଦିଗବିଜୟ ସିଂହଙ୍କୁ ଦେଖିବାକୁ ମିଳିନଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଯୋଡୋ ଯାତ୍ରାରେ ଥିବାବେଳେ ହିଁ ଦିଗବିଜୟ ସେନାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ ।
#WATCH | We don't appreciate Digvijaya Singh's personal views. His views are outlying views. We are absolutely clear that the Armed Forces do their job exceptionally well and they do not need to provide proof of that: Congress MP Rahul Gandhi pic.twitter.com/O67iRg8aNk
— ANI (@ANI) January 24, 2023
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଭିତରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ର ପ୍ରମାଣ ନଥିବା କହିଥିଲେ ଦିଗବିଜୟ ସିଂହ । ସେ କହିଥିଲେ, ‘ଭାରତ ସରକାର ସର୍ଜିକାଲ ଷ୍ଟ୍ରାଇକ୍ ବାବଦରେ କହୁଛନ୍ତି ଏବଂ ଅନେତ ଆତଙ୍କବାଦୀଙ୍କୁ ମାରିଥିବା କହୁଛନ୍ତି । କିନ୍ତୁ ପ୍ରମାଣ କିଛି ବି ନାହିଁ । ମିଛର ଗନ୍ଥାଘର ନେଇ ଶାସନ କରୁଛି ବିଜେପି’।
ପଢନ୍ତୁ ଏହି ଖବର: ୨୦୨୨ର ବିଶ୍ବ ଦିନିକିଆ ଏକାଦଶ ଷୋଷଣା କଲା ICC, ଭାରତରୁ ରହିଛନ୍ତି ଏହି ଦୁଇ କ୍ରିକେଟର୍
ଦିଗବିଜୟ ସିଂହଙ୍କ ବୟାନକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଜୟରାମ ରମେଶ କହିଛନ୍ତି, ‘ବରିଷ୍ଠ ନେତା ଦିଗବିଜୟ ସିଂହ ଦେଇଥିବା ବୟାନ ସମ୍ପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ । ଏଥିରେ କଂଗ୍ରେସ ଦଳର କୌଣସି ଭୂମିକା ନାହିଁ । ୨୦୧୪ ପୂର୍ବରୁ ୟୁପିଏ ସରକାର ଥିବାବେଳେ ବି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି । ସେନା ପକ୍ଷରୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇଛି କଂଗ୍ରେସ ସ୍ବାଗତ କରିଛି ଏବଂ ଆଗକୁ ମଧ୍ୟ କରିବ । ଭାରତୀୟ ସେନାକୁ କଂଗ୍ରେସ କେବେ ବି ପ୍ରଶ୍ନ ଉଠାଇବ ନାହିଁ’।