ମୁମ୍ବାଇ: ମହାରାଷ୍ଟ୍ରରେ ଏକ ଜନସଭାକୁ ସମ୍ବୋଧନ ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ୨୦ ଥର କ୍ରାସ ହୋଇଥିବା  ରାହୁଲ ବାବା ନାମକ ବିମାନ ମହାରାଷ୍ଟ୍ର ନିର୍ବାଚନରେ ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଛି ବୋଲି କହିଛନ୍ତି ଅମିତ ଶାହ ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୋନିଆ ଜୀ ରାହୁଲ ବାବା ନାମକ ବିମାନକୁ ୨୦ ଥର ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଛନ୍ତି । ୨୦ ଥର ବିମାନଟି କ୍ରାସ ହୋଇଯାଇଛି । ପୁଣି ଥରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହି ବିମାନକୁ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରାଯାଉଛି।  ଶାହ କହିଛନ୍ତି, ‘ସୋନିଆ ଜୀ, ପ୍ଲିଜ୍‌ ଧ୍ୟାନ ଦିଅନ୍ତୁ ରାହୁଲ ବିମାନ ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ହେବ ।’ 

ଏହା ସହ ଅମିତ ଶାହ ମହାବିକାଶ ଅଘାଡ଼ି ମେଣ୍ଟକୁ ‘ଔରଙ୍ଗଜେବ ଫ୍ୟାନ୍‌ କ୍ଲବ୍‌’ ବୋଲି କହିଛନ୍ତି ।   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ମହାବିକାଶ ଅଘାଡ଼ି ତୃଷ୍ଟିକରଣ ରାଜନୀତି କରୁଛି । ଆମେ ଶିବାଜୀ ମହାରାଜଙ୍କ ପଦାଙ୍କ ଅନୁସରଣ କରୁଛୁ । ଅଘାଡ଼ିର ନେତା ଔରଙ୍ଗଜେବ ଫ୍ୟାନ୍‌ କ୍ଲବର ସଦସ୍ୟ ।   ଏହା ସହ ଶାହ ଅଭିଯୋଗ କରିଛନ୍ତି ଯେ, ଅଘାଡ଼ି ସରକାର ୪୦୦୦ କୋଟିର ମରାଠାଓ୍ବାଡା ଓ୍ବାଟର ଗ୍ରିଡ୍‌ ପ୍ରକଳ୍ପକୁ ବନ୍ଦ କରିଦେଇଥିଲେ । ଏଥିପାଇଁ ମରୁଡ଼ିଗ୍ରସ୍ତ ମରାଠାଓ୍ବାଡାକୁ ପାଣି ମିଳୁନଥିଲା । ୨୦୧୯ରେ ଆମ ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ ଏହି ପ୍ରକଳ୍ପକୁ ଗତି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ପରେ ଉଦ୍ଧବ ସରକାର ପୁଣି ଥରେ ଏହା ଉପରେ ରୋକ ଲଗାଇ ଦେଲେ ।  କିନ୍ତୁ ମହାୟୁତି ସରକାର ପ୍ରତିଟି କ୍ଷେତକୁ ପାଣି ଯୋଗାଇ ଦେବ ବୋଲି ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।  

ନଭେମ୍ବର ୨୩ରେ ପୁଣି ଥରେ ମହାୟୁତି ସରକାର ଗଠନ ହେବ ବୋଲି ମଧ୍ୟ ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।  ଅନ୍ୟପଟେ ନରେନ୍ଦ୍ର ମୋଦୀଙ୍କ ସରକାର ଓ୍ବାକଫ ବୋର୍ଡ ନିୟମରେ ସଂଶୋଧନ କରିବେ ବୋଲି ଶାହ କହିଛନ୍ତି । ଅନେକ ଗାଁର ଜମିକୁ ଓ୍ବାକଫ ବୋର୍ଡ ନିଜର ସଂପତ୍ତି ବୋଲି ଘୋଷଣା କରିଛି । ଏଥିରେ ଅନେକ ମନ୍ଦିର ଏବଂ କୃଷକଙ୍କ ଜମି ସାମିଲ ରହିଛି । ଆମେ ଏହି ନିୟମରେ ସଂଶୋଧନ ଲାଗି ବିଧେୟକ ଆଣିଥିଲୁ କିନ୍ତୁ ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଉଦ୍ଧବ ଠାକରେ ପ୍ରମୁଖ ଏହାକୁ ବିରୋଧ କରିଥିଲେ । ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ  ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବାକୁ ଥିବା ବେଳେ ମହାୟୁତି ନା ମହାବିକାଶ ଅଘାଡ଼ି ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ ।