ଯେବେ ସାଂସଦ ଭାବରେ ଶପଥ ନେବାପରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ,ପଛରୁ ଡାକିଲେ ଏହି ବିଜେପି ନେତା

ନୂଆଦିଲ୍ଲୀ,୧୮।୬: ୧୭ ତମ ଲୋକସଭା ଅଧିବେଶନ ଗତ କାଲି ଅର୍ଥାତ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନବ ନିର୍ବାଚିତ ସାଂସଦ ମାନେ ନିମ୍ନ ସଦନରେ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସଂସଦର ସଦସ୍ୟ ଭାବରେ ଶପଥ ନେଇଥିଲେ। କିନ୍ତୁ ଏହାପରେ ତାଙ୍କୁ ସଂସଦ ରେଜିଷ୍ଟରରେ ଦସ୍ତଖତ କରିବାର ଥିବା ବେଳେ ସେ ଭୁଲି ଯାଇଥିଲେ। ଶପଥ ନେବାପରେ ସେ ନିଜ ସିଟ୍ ଆଡ଼କୁ ଫେରି ଯାଉଥିବା ଦେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ବିଜେପି ସାଂସଦ ରାହୁଲଙ୍କୁ ପଛରୁ ଡ଼ାକି ଦସ୍ତଖତ କରିବା ପାଇଁ ମନେ ପକାଇଦେଲେ। ଏହାପରେ ରାହୁଲ ଗାନ୍ଧି ଆସି ଦସ୍ତଖତ କରିଥିଲେ।
ଉଲ୍ଲେଖନୀୟ ଯେ,ଚଳିତଥର ରାହୁଲ ଗାନ୍ଧି କେରଳର ଓ୍ୱାଇନାଡ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଆସନ ୟୁପିର ଆମେଥିରୁ ୫୫ ହଜାର ଭୋଟରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମହିଳା ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପରାଜିତ ହୋଇଥିଲେ ରାହୁଲ। କିନ୍ତୁ ଓ୍ବାଇନାଡରୁ ଜିତି ସଂସଦକୁ ସେ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି।ଗତକାଲି ଲଞ୍ଚ ଟାଇମ ପରେ ଅପରାହ୍ନରେ ରାହୁଲ ଗାନ୍ଧି ଗୃହକୁ ଆସିଥିଲେ। ୟୁପିଏ ଅଧ୍ୟକ୍ଷା ତଥା ମା’ ସୋନିଆ ଗାନ୍ଧିଙ୍କ ପାଖରେ ବସିଲେ। ଶପଥ ପାଠ ପାଇଁ ରାହୁଲଙ୍କ ନାମ ଡ଼କାଯିବା ପରେ ଗୃହରେ ଉପସ୍ଥିତ କଂଗ୍ରେସ ସାଂସଦ ଡେସ୍କ ବାଡେଇ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେସେ ଯାଇ ଇଂରାଜୀ ଭାଷାରେ ଶପଥ ଗ୍ରହଣ କରିଥିଲେ