ନୂଆଦିଲ୍ଲୀ,୨୮/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ନେତା ଓ କଂଗ୍ରେସ କର୍ମୀ । ମନମୋହନଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି । କଂଗ୍ରେସ କାର୍ଯ୍ୟାଳୟରୁ ଅନ୍ତିମ ଯାତ୍ରାରେ ନିଗମବୋଧ ଘାଟରେ ବାହାରିଛି ମନମୋହନଙ୍କ ପାର୍ଥିବ ଶରୀର । ନିଗମବୋଧ ଘାଟରେ ପୂର୍ବାହ୍ନ ୧୧ଟା ୪୫ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ।

ବାସଭବନରୁ ସକାଳ ୮ଟା  ୩୦ରେ ଦିଲ୍ଲୀର ଏଆଇସିସିରେ ପହଞ୍ଚିଥିଲା ମନମୋହନଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅନ୍ତିମ ଦର୍ଶନ କରିଥିଲେ । ଏହା ସହିତ ମନମୋହନଙ୍କ ଧର୍ମପତ୍ନୀ ଓ ଝିଅ ଶେଷ ଦର୍ଶନ କରିଥିଲେ ।  ସେଠାରୁ ୯ଟା୩୦ରେ  ନିଗମବୋଘ ଘାଟ ଅଭିମୁଖେ ବାହାରିଛନ୍ତି ମନମୋହନ ସିଂହଙ୍କ ପାର୍ଥିବ ଶରୀର ।

ପୂର୍ଣ୍ଣ ସେନା ସମ୍ମାନ ସହ ଶେଷକୃତ୍ୟ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକୀୟ ବନ୍ଦୋବସ୍ତ ହୋଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ମନମୋହନ ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମନମୋହନ ସିଂହଙ୍କ ବିୟୋଗରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ସମସ୍ତ ସରକାରୀ କାର୍ଯ୍ୟକ୍ରମରୁ ବନ୍ଦ ରଖାଯାଇଛି । ସେପଟେ ଗତକାଲି (ଶୁକ୍ରବାର) ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗଙ୍ଗା ଆଳତି ହୋଇଥିଲା । ବାରଣାସୀ ଦଶାଶ୍ବମେଧ ଘାଟରେ ପରି ଗଙ୍ଗା ଆଳତି ପୂର୍ବରୁ ହଜାର ହଜାର ଲୋକ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।