ମାନହାନୀ ମାମଲାରେ ସୁରଟ ସେସନ୍ କୋର୍ଟରେ ଅପିଲ କରିବେ ରାହୁଲ ଗାନ୍ଧୀ; ନିଜ ଦଳକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

Image Courtesy: ABP live
ନୂଆଦିଲ୍ଲୀ,୩୧/୦୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହିତ ଜଡ଼ିତ ମାନହାନୀ ମାମଲାକୁ ନେଇ ଏକ ବଡ ଖବର ଆସିଛି। ତମାମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ଲୋକସଭା ସଦସ୍ୟତା ଏବଂ ସରକାରୀ ବଙ୍ଗଳା ହରାଇବା ପରେ କଂଗ୍ରେସ ନେତା ବର୍ତ୍ତମାନ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯାଉଛନ୍ତି।ସୂଚନାନୁସାରେ, ରାହୁଲ ଗାନ୍ଧୀ ବର୍ତ୍ତମାନ ଏହି ମାମଲାରେ ସୁରଟ ସେସନ କୋର୍ଟରେ ଆବେଦନ କରିବେ। ସେ ହାଇକୋର୍ଟରେ ଆବେଦନ କରିବା ପୂର୍ବରୁ ସୁରଟ ସେସନ କୋର୍ଟରେ ଆବେଦନ କରିବେ।
ସୂଚନାଥାଉକି, ଏଥର ରାହୁଲ ଗାନ୍ଧୀଙ୍କ ମାମଲା ଦିଲ୍ଲୀର ଏକ ବିଶେଷଜ୍ଞ ଆଇନଜୀବୀ ଦଳ ଲଢ଼ିବେ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଓକିଲ ଟିମ୍ ସୋମବାର ପର୍ଯ୍ୟନ୍ତ ସୁରଟରେ ପହଞ୍ଚି ଆବେଦନ କରିବେ। ସୂଚନାଥାଉକି ମାର୍ଚ୍ଚ ୨୪ ରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ମାନହାନୀ ମାମଲାରେ ୨ବର୍ଷ ଦଣ୍ଡିତ କରିଛନ୍ତି। ଏହା ପରେ ତାଙ୍କର ଲୋକସଭା ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଥିଲା।
କଂଗ୍ରେସ ଭିତରେ ଉଠୁଛି ପ୍ରଶ୍ନ:
ତମାମ ମାମଲାକୁ ପାଖାପାଖି ଏକ ସପ୍ତାହ ବିତିସାରିଛି। ବର୍ତ୍ତମାନ ସେ କୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ନିଜ ଦଳ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡାଙ୍କ ନାମ ନ ନେଇ ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ‘ମୁଖପାତ୍ରଙ୍କ ପାଇଁ ଦଳ ଏକ ଘଣ୍ଟା ମଧ୍ୟରେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଥିଲା, କିନ୍ତୁ ଦଳର ସବୁଠାରୁ ବଡ଼ ନେତାଙ୍କ ପାଇଁ ଗୋଟିଏ ସପ୍ତାହରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଆବେଦନ ହୋଇପାରିଲା ନାହିଁ।”
ରାହୁଲଙ୍କୁ ପାଟନା କୋର୍ଟରୁ ନୋଟିସ୍:
ତମାମ ସମସ୍ୟା ଭିତରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଏବେ ପାଟନା ଏମ୍ପି ଏମ୍ଏଲ୍ଏ କୋର୍ଟ ମଧ୍ୟ ଅନ୍ୟଏକ ମାନାହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଛନ୍ତି। ତାଙ୍କୁ ୧୨ ଏପ୍ରିଲରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ଉପରେ ଏହି ମାମଲା ବିଜେପି ନେତା ସୁଶିଲ କୁମାର ମୋଦୀ ୨୦୧୯ ରେ କରିଥିଲେ। ମୋଦୀଙ୍କ ଉପନାମ ବା ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନ (ସବୁ ମୋଦୀ ସଜ୍ଞାଧାରୀ ଚୋର) କୁ ନେଇ ତାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ଚାଲିଛି।