ଛତିଶଗଡ଼ରେ କୃଷି ଋଣଛାଡ଼ ପରେ ନବୀନଙ୍କ ନିଦ ଭାଙ୍ଗିଲା: କେନ୍ଦ୍ର ଓ ଓଡ଼ିଶାରେ ବ୍ୟକ୍ତିକେନ୍ଦ୍ରିକ ଶାସନ: ରାହୁଲ କଂଗ୍ରେସ ଗଣତାନ୍ତ୍ରିକ ବିଚାରଧାରାରେ ବିଶ୍ୱାସ କରେ

ଭୁବନେଶ୍ୱର,୨୫ ।୧(ବ୍ୟୁରୋ): ଛତିଶଗଡ଼ରେ ଆମେ ଋଣ ଛାଡ଼ କରିବା ପରେ ନବୀନଙ୍କ ନିଦ ଭାଙ୍ଗିଲା । ନବୀନ ଏବେ ନୂଆ ଯୋଜନା ଆଣିଛନ୍ତି । କୃଷି କ୍ଷେତ୍ରରେ ନିଯୁକ୍ତି ସୁଯୋଗକୁ ନା ବିଜେପି ନା ବିଜେଡି କେହି ଧ୍ୟାନ ଦେଉନାହାନ୍ତି । ମୋଦି କିମ୍ବା ନବୀନ କେହି ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।
ଆଜି ଓଡ଼ିଶା ଗସ୍ତରେ ଆସି ସ୍ଥାନୀୟ ମେ ଫେୟାର ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ କହିଛନ୍ତି କେନ୍ଦ୍ରରେ ମୋଦି ଯେମିତି ବ୍ୟକ୍ତିକେନ୍ଦ୍ରିକ ଶାସନ ଚଳାଇଛନ୍ତି, ଠିକ୍ ସେମିତି ଓଡ଼ିଶାରେ ନବୀନ ମଧ୍ୟ ବ୍ୟକ୍ତିକେନ୍ଦ୍ରିକ ଶାସନ ଚଳାଇଛନ୍ତି । କ୍ଷମତାକୁ ଜାବୁଡ଼ି ଧରିଛନ୍ତି । ଦୁହେଁ ଗୋଟିଏ ରାସ୍ତାରେ ବାଟ ଚାଲୁଛନ୍ତି । ଏହାଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥା କ୍ଷୁର୍ଣ୍ଣ ହେଉଛି । ବିକାଶ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଜରୁରୀ । କଂଗ୍ରେସ ଦଳ ଗଣତାନ୍ତ୍ରିକ ବିଚାରଧାରାରେ କିନ୍ତୁ ବିଶ୍ୱାସ କରେ ।
ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା ବେଳେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ରାହୁଲ କହିଲେ, କଂଗ୍ରେସ ଲୋକଙ୍କ ମତକୁ ସମ୍ମାନ ଦିଏ । ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭରସା କରେ । ତେଣୁ ଲୋକମାନଙ୍କର ମତ ନେବାକୁ ସେ ଏ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ମୋଦି ଓ ନବୀନ କିନ୍ତୁ ଏ ସାହସ ଜୁଟାଇ ପାରୁନାହାନ୍ତି । ଜନସାଧାରଣଙ୍କ ସ୍ୱରକୁ ପ୍ରାଥମିକତା ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ରାହୁଲ ମତ ରଖିଥିଲେ । ସେ କହିଲେ, ଏବେ ଲୋକଙ୍କ ସ୍ୱରକୁ ଚାପିଦେବାର ହୀନ ଉଦ୍ୟମ ଚାଲିଛି । କେନ୍ଦ୍ର ସରକାର ଆର୍ଥିକ ଅଗ୍ରଗତି ହେଉଛି ବୋଲି ବାହାସ୍ଫୋଟ ମାରୁଛନ୍ତି । ମାତ୍ର ଯୁବକ ଯୁବତୀଙ୍କୁ ନିଯୁକ୍ତି କାହିଁକି ମିଳୁନି । ବିଜେପି ଓ ଆରଏସଏସ ତାଙ୍କ ପ୍ରତି ବିଦ୍ୱେଷ ମନୋଭାବ ରଖି ତାଙ୍କୁ ଉପହାର ଦେଇଛନ୍ତି । ଏହାଦ୍ୱାରା ସେ ନିଜକୁ ଅଧିକ ଶୃଙ୍ଖଳିତ କରିପାରିଛନ୍ତି ବୋଲି କହିଥିଲେ ।
ଓଡ଼ିଶାକୁ ଭୂୟସୀ ପ୍ରଶଂସା କରି ସେ କହିଲେ, ଏ ହେଉଛି ସେଇ ମାଟି ଯାହା ଜଣେ ପ୍ରବଳ ପ୍ରତାପୀ ଶାସକଙ୍କୁ ବଦଳାଇ ଦେଇଥିଲା । ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରୁ ଶିକ୍ଷାଲାଭ କରିଥିଲେ । ଗାନ୍ଧିଙ୍କ ମାର୍ଗ ଅହିଂସା ଓଡ଼ିଶାର ଇତିହାସ ନୁହେଁ ଚରିତ୍ର । ଅନ୍ୟକୁ ସମ୍ମାନ ଦେବା ହେଉଛି ଆମ ସଂସ୍କୃତି । ମଧ୍ୟବିତ୍ତଙ୍କ ପାଇଁ ସୂଚନା ଅଧିକାର ଆଇନ ବଡ଼ ଅସ୍ତ୍ର ଥଲା । ମାତ୍ର ବିଜେପି ସରକାର ଏହାକୁ ଚାପି ଦେଇଛନ୍ତି । ବରୁଣ ଗାନ୍ଧି କଂଗ୍ରେସରେ ମିଶିବେ କି ପ୍ରଶ୍ନରେ ରାହୁଲ କହିଲେ, ଏମିତି ଚର୍ଚ୍ଚା ସେ ଶୁଣିନାହାନ୍ତି । କଂଗ୍ରେସର ବିଶୃଙ୍ଖଳା ସହ ଏଠି ଗୋଟିଏ ଟିମ୍ ହୋଇ କାମ କରୁନଥିବାରୁ ଦଳ କ୍ଷମତାରୁ ବାହାରେ ଅଛି ବୋଲି ରାହୁଲ ସ୍ୱୀକାର କରିଥିଲେ । ତେବେ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଏବେ ଏକାଠି ଶୃଙ୍ଖଳିତ ଭାବେ ଭଲ କାମ କରୁଛି ବୋଲି ରାହୁଲ ପ୍ରଶଂସା କରିଥିଲେ । ପୁଲିସ କହିଛି ।