ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ରୋମାଞ୍ଚକର ହୋଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୨୮୬ ରନରେ ଆଗୁଆ ରହିଛି । ଭାରତୀୟ ଦଳର ୩ ଜଣ ବ୍ୟାଟର ସେଞ୍ଚୁରି କରିଛନ୍ତି । କେଏଲ ରାହୁଲ ୧୦୦ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ଧ୍ରୁବ ଜୁରେଲ୍ ୧୨୫ ରନ୍ର ଇନିଂସ ଖେଳି ପାଭିଲିୟନ୍ ଫେରିଥିଲେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୦୪ ରନ୍ କରି ଅପରାଜିତ ଥିଲେ । ୩ଟି ସେଞ୍ଚୁରି ସହ ଟିମ୍ ଇଣ୍ଡିଆ ୫ ଓ୍ବିକେଟ ହରାଇ ୪୪୮ ରନ୍ କରିଛି । ପ୍ରଥମ ଇନିଂସରେ ଭାରତର ମୋଟ ଲିଡ୍ ଏବେ ୨୮୬ ରନରେ ପହଞ୍ଚିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍ କରି ଅଲଆଉଟ୍ ହୋଇଥିଲା।
ଭାରତୀୟ ଦଳ ଦ୍ୱିତୀୟ ଦିନ ୧୨୧/୨ ରୁ ସେମାନଙ୍କର ଇନିଂସ ପୁଣି ଆରମ୍ଭ କରିଥିଲା। ଅଧିନାୟକ ଶୁଭମନ ଗିଲ ୫୦ ରନ କରି ଆଉଟ ହୋଇଥିଲେ । ୪୭ ବର୍ଷ ମଧ୍ୟରେ ଅଧିନାୟକ ଭାବରେ ପ୍ରଥମ ଘରୋଇ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳି ଗିଲ। ଏହି ସଫଳତାରେ ସେ ସୁନୀଲ ଗାଭାସ୍କରଙ୍କ ସହ ସମକକ୍ଷ ହୋଇଛନ୍ତି। ସେହିଭଳି କେଏଲ ରାହୁଲ ୧୦୦ ରନ କରି ଆଉଟ ହୋଇଥିଲେ । ପ୍ରାୟ ୯ ବର୍ଷ ପରେ ଘରୋଇ ଟେଷ୍ଟ ମ୍ୟାଚରେ ତାଙ୍କର ଏହା ପ୍ରଥମ ଶତକ।
କିନ୍ତୁ ଘରୋଇ ମାଟିରେ ତାଙ୍କର ମୋଟ ଶତକ ସଂଖ୍ୟା ଦୁଇରେ ପହଞ୍ଚିଛି । ସେ ଏହି ଶତକ ୩୨୧୧ ଦିନ ପରେ ଘରୋଇ ମାଟିରେ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି । ଜଣେ ଭାରତୀୟ ବ୍ୟାଟରଙ୍କ ଦ୍ୱାରା ଦୁଇଟି ଘରୋଇ ଶତକ ମଧ୍ୟରେ ସର୍ବାଧିକ ବ୍ୟବଧାନ। ପୂର୍ବରୁ, ଏହି ରେକର୍ଡ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ଥିଲା । ତାଙ୍କର ଦୁଇଟି ଘରୋଇ ଶତକ ମଧ୍ୟରେ ବ୍ୟବଧାନ ୨୬୫୫ ଦିନ ୨୦୧୩ ରୁ ୨୦୨୧ ପର୍ଯ୍ୟନ୍ତ) ଥିଲା ।
ଧ୍ରୁବ ଜୁରେଲ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିନ୍ତି । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟର ଦ୍ୱିତୀୟ ଦିନରେ ଚୌକା ମାରି ତାଙ୍କର ଶତକ ପୂରଣ କରିଥିଲେଛନ୍ତି । ଟେଷ୍ଟରେ ତାଙ୍କର ପୂର୍ବ ଶ୍ରେଷ୍ଠ ସ୍କୋର ୯୦ ଥିଲା। ସେ ଟେଷ୍ଟ ଶତକ ହାସଲ କରିବାରେ ୧୨ତମ ଭାରତୀୟ ୱିକେଟକିପର-ବ୍ୟାଟର। ସେପଟେ ରବୀନ୍ଦ୍ର ଜାଡେଜା ତାଙ୍କର ଷଷ୍ଠ ଟେଷ୍ଟ ଶତକ ହାସଲ କରିଛନ୍ତି । ସେ ଟେଷ୍ଟ ଶତକ ମାମଲାରେ ଏମଏସ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଧୋନି ତାଙ୍କ କ୍ୟାରିୟରରେ ୬ଟି ଟେଷ୍ଟ ଶତକକରିଥିଲେ।