PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ରାହୁଲଙ୍କ ମହିଳା କାର୍ଡ; ମାଗଣା ଶିକ୍ଷା, ବିବାହ ସହାୟତା

ଜୟପୁର, ୮ା୩(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ଶାସନକୁ ଆସିଲେ ଛାତ୍ରୀଙ୍କୁ ମିଳିବ ମାଗଣାରେ ପ୍ରାଥମିକଠାରୁ ଆରମ୍ଭ କରି ବୈଷୟିକ, ମେଡିକାଲ୍‌ ଏବଂ ଉଚ୍ଚଶିକ୍ଷା ସୁବିଧା । ବିଧବାଙ୍କ ଭତ୍ତା ହେବ ୨ ହଜାର । ଗରିବ ଝିଅମାନଙ୍କ ବିବାହ ଲାଗି ପ୍ରଦାନ କରାଯିବ ଆର୍ଥର୍ିକ ସହାୟତା । ମହିଳା କ୍ଷୁଦ୍ର ଉଦ୍ୟୋଗୀମାନଙ୍କ କଥା ବୁଝିବା ଲାଗି ଗଢ଼ାଯିବ ସ୍ୱତନ୍ତ୍ର ଅର୍ଥ ନିଗମ । ପ୍ରତି ପଞ୍ଚାୟତରେ ନାରୀ ନିର୍ଯାତନା ରୋକିବା ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ମହିଳାମାନଙ୍କୁ ଏଠାରେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି କଥା କହିବା ବେଳେ ରାହୁଲ ପରୋକ୍ଷରେ କୁନ୍ଦୁଲି ଘଟଣା ପ୍ରତି ଦୃଷ୍ଟି ନିକ୍ଷେପ କରିଥିଲେ ।
ସ୍ଥାନୀୟ ବାଙ୍କବିଜାର ପଡ଼ିଆରେ ୮୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଆୟୋଜିତ ପରିବର୍ତ୍ତନ ସମାବେଶରେ ରାହୁଲ କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ସମସ୍ତ କୃଷି ଋଣ ଛାଡ଼ କରିବ । ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବ । ପ୍ରତ୍ୟେକ ଗରିବ ପରିବାରର ଜଣଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦେବ । ଗରିବୀ ହଟିବା ପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟେକ ମାସରେ ଆର୍ଥିକ ସହାୟତା ପ୍ରଦାନ କରିବ । ବେକାର ଯୁବକଯୁବତୀଙ୍କ ନିଯୁକ୍ତି ବ୍ୟବସ୍ଥା କରିବ । କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଉଛି ତାହା ପାଳନ କରୁଛି । ଶାସନଭାର ନେବାର ମାତ୍ର ଦୁଇ ଦିନରେ ଛତିଶଗଡ଼ରେ ଚାଷୀଙ୍କ ଋଣ ଛାଡ଼ କରାଗଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ରଖାଗଲା । ଓଡ଼ିଶାରେ ମଧ୍ୟ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇ ଚାଷୀଙ୍କ ଆର୍ଥିକ ଉନ୍ନତି କରାଯିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଋଣଛାଡ଼ କରିବାକୁ ପଛଘୁଞ୍ଚା ଦେଉଛନ୍ତି । କିନ୍ତୁ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କା ଋଣ ଛାଡ଼ କରିଦେଉଛନ୍ତି ।
ରାହୁଲ କହିଥିଲେ, ଓଡ଼ିଶାର ବିକାଶ ପାଇଁ ଖଣିଜ ସମ୍ପଦ, ଜଳ ସମ୍ପଦ ଓ ଜଙ୍ଗଲ ସମ୍ପଦ ଭରପୂର ହୋଇ ରହିଛି । ଏହାର ସଦ୍‌ବିନିଯୋଗ କରାଯାଉ ନ ଥିବାରୁ ଓଡ଼ିଶା ଗରିବ ରାଜ୍ୟରେ ପରିଣତ ହେବାକୁ ଯାଉଛି । କଂଗ୍ରେସ ସରକାର ଥିବା ବେଳେ ଆଇନ କରାଯାଇଥିଲା, ଚାଷୀଙ୍କ ବିନା ଅନୁମତି କିମ୍ବା ପଞ୍ଚାୟତର ବିନା ପ୍ରସ୍ତାବରେ କେହି ଜମି ଅଧିଗ୍ରହଣ କରିପାରିବେ ନାହିଁ । କିନ୍ତୁ ବିଜେପି ଓ ବିଜେଡି ସରକାର ଏହି ନିୟମ ଉଲ୍ଳଙ୍ଘନ କରୁଛନ୍ତି । ଚାଷୀଙ୍କ ବିନା ଅନୁମତିରେ ଶିଳ୍ପପତିଙ୍କୁ ଜମି ହସ୍ତାନ୍ତର କରାଯାଉଛି । ଚାଷୀଙ୍କ ଅନୁମତି ପରେ ବଜାର ଦରର ୪ ଗୁଣା ଦେଇ ଜମି ଅଧିଗ୍ରହଣ କରିବା କଥା । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଥିସହ ୫ ବର୍ଷ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନହେଲେ, ଅଧିଗ୍ରହଣ ହୋଇଥିବା ଜମିକୁ ଚାଷୀଙ୍କୁ ଫେରାଇବା ନିୟମ ରହିଛି । କିନ୍ତୁ ଓଡ଼ିଶା ସରକାର ଏହି ନିୟମ କାର୍ଯ୍ୟକାରୀ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜ ସମ୍ପର୍କୀୟ ଶିଳ୍ପପତିଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି । କଂଗ୍ରେସ ଆସିଲେ ନିଜ ମନର କଥା କହିବନି, ସାଧାରଣ ଲୋକଙ୍କ କଥାରେ ଚାଲିବ ସରକାର ।