ଭୁବନେଶ୍ୱର, ୨୧/୦୧: ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବାକୁ ଆକ୍ସନ୍‌ ମୋଡରେ କମିଶନରେଟ ପୋଲିସ । ଅଧିକ ଶବ୍ଦ କରି ଯାଉଥିବା ବାଇକ୍‌ ଉପରେ ଚଢାଉ । ଏହି ଚଢାଉରେ ୧୦୦ରୁ ଅଧିକ ବାଇକ୍‌ର ସାଇଲେନସର ଜବତ ହୋଇଛି । ଉକ୍ତ ଗାଡ଼ିର ମାଲିକଙ୍କ ନାମରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସୂଚନା ମୁତାବକ, ରାଜଧାନୀରେ ବେଧଡ଼କ ଭାବେ ମୋଡିଫାଏଡ ସାଇଲେନସର ଲଗାଇ ବାଇକ୍‌ ଚଳାଉଛନ୍ତି ରୋଡ୍‌ ରୋମିଓ। ଯାହା ଫଳରେ ଶବ୍ଦ ପ୍ରଦୂଷଣ ହେବା ସହ ଜନ ସାଧାରଣଙ୍କୁ ବେଶ୍‌ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେଥିରୁ ବାହାରୁ ଥିବା ଶବ୍ଦ ବୟଷ୍କଙ୍କ ପାଇଁ ବିପଦଜନକ ମଧ୍ୟ ହୋଇଥାଏ । ଖାସ୍‌ କରି ହୃଦ୍‌ରୋଗୀଙ୍କ ପାଇଁ ଏହା ବହୁ ମାତ୍ରାରେ କ୍ଷତିକାରକ ହୋଇଥାଏ । ତେଣୁ ପୂର୍ବରୁ ଏହି ସାଇଲେନସର୍‌ ଉପରେ ରୋକ୍‌ ଲଗାଯାଇଥିଲା । ହେଲେ କିଛି ଅମାନିଆ ଏହି ନିୟମକୁ ଉଲ୍ଲଙ୍ଘନ କରି ଗାଡ଼ିରେ ମୋଡିଫାଏଡ ସାଇଲେନସର ଲାଗାଉଛନ୍ତି । ସେହି ଅମାନିଆମାନଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ଏହି ରେଡ୍‌ କରିଛି । ଏହି ଚଢାଉରେ ୧୦୦ରୁ ଅଧିକ ବାଇକ୍‌ ଜବତ ହୋଇଛି । ରାସ୍ତାରେ ବିକଟାଳ ଶବ୍ଦ କରି ଯାଉଥିବା ଗାଡ଼ି ଗୁଡ଼ିକୁ ଜବତ କରି ସେଥିରୁ ସାଇଲେନସର୍‌ ଗୁଡ଼ିକୁ କାଢି ଦିଆଯାଇଛି । ଆଗକୁ ଉକ୍ତ ଗାଡ଼ିର ମାଲିକଙ୍କ ନାଁରେ ମାମଲା ରୁଜୁ କରାଯିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।