ମୁମ୍ବାଇ,୨୭।୭: ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ନୂଆ ଘଟଣା। ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ରବିବାର ହଠାତ ବାନ୍ଦ୍ରା ସ୍ଥିତ ମାତେଶ୍ରୀ ବାସଭବନରେ ପହଁଞ୍ଚିଛନ୍ତି ଓ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ନିକଟରେ ପୁରୁଣା ରାଗ-ରୁଷ ଭୁଲି ରାଜ ଓ ଉଦ୍ଧବ ମୁମ୍ବାଇର ଓ୍ବର୍ଲିରେ ମରାଠି ବିଜୟ ରାଲିରେ ଏକାଠି ହୋଇଥିଲେ। ଏହାପରେ ଲାଗିଥିଲା ଏନ୍ଏନ୍ସି ଓ ଠାକରେ ଗୋଷ୍ଠୀ ଭିତରେ ମେଣ୍ଟ ହୋଇପାରେ। ତେବେ ରାଜ ଠାକରେ ରବିବାର ପ୍ରାୟ ୬ ବର୍ଷ ପରେ ମାତେଶ୍ରୀ ଆସି ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।
ରାଜନୈତିକ ଦୁନିଆରେ ଏଭଳି କେହି ଭାବିନଥିଲେ ଯେ, ରାଜ ଠାକରେ ଆଜି ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭକାମନା ଦେବାକୁ ମାତ୍ରେଶ୍ରୀ ପର୍ଯ୍ୟନ୍ତ ଚାଲି ଆସିବେ। ଠାକରେ ପରିବାରର ମଧ୍ୟ ବୋଧହୁଏ କାହାକୁ ଏହାର ଆଶା ନଥିଲା। ରବିବାର ସକାଳେ ରାଜ ଠାକରେ ହଠାତ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ପାଇଁ ମାତେଶ୍ରୀ ଯିବାର ନିଷ୍ପତ୍ତି ନେଇଥିଲେ। ଏହାପରେ ରାଜ ଠାକରେ ବାଲା ନନ୍ଦଗାଓଁକରଙ୍କ ଫୋନ୍ରୁ ସଞ୍ଜୟ ରାଉତଙ୍କୁ ଫୋନ୍ କରିଥିଲେ।
ଏହି ସମୟରେ ରାଜ ଠାକରେ କହିଛନ୍ତି, ମୁଁ ଉଦ୍ଧବ ଠାକରେଙ୍କୁ ଜନ୍ମଦିନର ଶୁଭକାମନା ଦେବା ପାଇଁ ମାତେଶ୍ରୀ ଆହୁଛି।’ ସଞ୍ଜୟ ରାଉତ ତୁରନ୍ତ ଉଦ୍ଧବ ଠାକରେଙ୍କୁ ଏହି କଥା କହିଛି। ଏହାପରେ ରାଜ ଠାକରେ ଦାଦର ଅଞ୍ଚଳରେ ଥିବା ନିଜ ବାସଭବନ ‘ଶିବତୀର୍ଥ’ରୁ ବାହାରି କିଛି ମିନିଟ୍ରେ ମାତେଶ୍ରୀ ପହଁଞ୍ଚି ଯାଇଥିଲେ। ଉଦ୍ଧବ ସାଧାରଣତଃ କାହାର ସ୍ବାଗତ କରିବାକୁ ଗେଟ୍କୁ ଯାଆନ୍ତି ନାହିଁ। କିନ୍ତୁ ରାଜଙ୍କୁ ନିଜେ ସ୍ବାଗତ କରିବାକୁ ମାତେଶ୍ରୀ ଗେଟ୍ ନିକଟରେ ଠିଆ ହୋଇଥିଲେ। ଯେତେବେଳେ ରାଜ ଠାକରେ ପହଁଞ୍ଚିଥିଲେ ତାଙ୍କୁ ଆଲିଙ୍ଗନ କରିଥିଲେ। ସେତେବେଳେ ରାଜ ଠାକରେ ଉଦ୍ଧବଙ୍କୁ ଫୁଲତୋଡା ଦେଇଥିଲେ। ଦୁହେଁ ଏଠାରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ସାକ୍ଷାତ କରିଥିଲେ।