ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ବଡ଼ ବିଜୟ ହାସଲ କରିଛି । ବିଜେପି ନେତୃତ୍ବାଧୀନ ମହାୟୁତି ମହାରାଷ୍ଟ୍ରରେ ପୁଣି ଥରେ ସରକାର କରିବାକୁ ଯାଉଥିବା ବେଳେ ବିରୋଧୀ ଶିବିରରେ ନିରାଶା ଖେଳିଯାଇଛି । ଏସବୁ ଭିତରେ ୨୦୨୪ ନିର୍ବାଚନ, ରାଜ୍‌ ଠାକରେଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି । ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ଏଥର ନିର୍ବାଚନରେ ଖାତା ଖୋଲି ପାରିନାହିଁ । ୨୦୦୯ରେ ୧୩ଟି ଆସନ ଜିତିଥିବା ଏମଏନଏସ୍‌ ୨୦୧୪ ଓ ୧୯ରେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ୨୦୨୪ରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ନିର୍ବାଚନରେ ଡେବ୍ୟୁ କରିଥିଲେ ସୁଦ୍ଧା ଦଳକୁ ସଫଳତା ମିଳିନାହିଁ । ୧୩,୧,୧ ଏବଂ ଶୂନରେ ପହଞ୍ଚିଯାଇଛି ରାଜ୍‌ ଠାକରେଙ୍କ ଏମଏନଏସ୍‌ । 

ମହୀମ ଆସନରେ ଅମିତ ଠାକରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ବିଜୟୀ କରିବା ଲାଗି ବିଜେପିର ସହାୟତା ନେଇଥିଲେ ରାଜ୍‌ ଠାକରେ । ଏସବୁ ସତ୍ତ୍ବେ ଏମଏନଏସ୍‌ର ଶେଷ ଆଶା ଥିବା ଅମିତ ଠାକରେ ମଧ୍ୟ ପରାସ୍ତ ହୋଇଛନ୍ତି ।   ୨୦୦୯ରେ ମରାଠୀ ସମର୍ଥନ ଏବଂ ବାଲାସାହେବଙ୍କ ନାଁ ନେଇ ନିର୍ବାଚନରେ ପ୍ରାର୍ଥୀ ଓହ୍ଲାଇଥିବା ଏମଏନଏସ୍‌ ୧୪୩ରୁ ୧୩ ଆସନରେ ବିଜୟୀ ହୋଇଥିଲା । ଏହା ପରେ ୨୦୧୪ରେ ଏମଏନଏସ୍‌ ୨୧୯ ପ୍ରାର୍ଥୀ ଦେଇଥିଲେ ହେଁ ୨୧୮ରେ ପରାସ୍ତ ହୋଇଥିଲା । ୨୦୧୯ରେ ୧୦୧ ପ୍ରାର୍ଥୀ ଦେଇଥିବା ବେଳେ ଦଳର ଖାତାକୁ କେବଳ ଗୋଟିଏ ଆସନ ଆସିଥିଲା । ହେଲେ ୨୦୨୪ ନିର୍ବାଚନ ରାଜ୍‌ ଠାକରେଙ୍କୁ ଶକ୍ତ ଝଟ୍‌କା ଦେଇଛି । ସେପଟେ ଲୋକସଭାନ ନିର୍ବାଚନ କ୍ଷେତ୍ରରେ ଏମଏନଏସ୍‌ର ସ୍ଥିତି ଅତି ଶୋଚନୀୟ । ଏବେ ସୁଦ୍ଧା ଜଣେ ବି ସାଂସଦ ଲୋକସଭାକୁ ପଠାଇ ପାରିନାହାନ୍ତି ରାଜ୍ ଠାକରେ । ୨୦୨୪ରେ ଦଳ ପ୍ରାର୍ଥୀ ବି ଦେଇନଥିଲା । 

୨୦୨୪ ବିଧାନସଭା ନିର୍ବାଚନରେ ରାଜ୍‌ ଠାକରେ ମୁମ୍ବାଇ ଉପରେ ବେଶୀ ଧ୍ୟାନ ଦେଇଥିଲେ । ୩୬ ଆସନରୁ ୨୫ରେ ପ୍ରାର୍ଥୀ ଦେଇଥିଲା ଦଳ । ହେଲେ ମହୀମରୁ ଅମିତ ଠାକରେଙ୍କ ଲାଗି ବଜେପିର ସମର୍ଥନ ପାଇଥିଲା ଏମଏନଏସ୍‌ । କିନ୍ତୁ ଶିବସେନା (ୟୁବିଟି) ପ୍ରାର୍ଥୀ ମହେଶ ସାଓ୍ବନ୍ତଙ୍କ ପାଖରୁ ପରାସ୍ତ ହୋଇଛନ୍ତି ଅମିତ ଠାକରେ ।