କେନ୍ଦୁଝର,୦୨/୦୮: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତିରେ ଜଡ଼ିତ ହୋଇ ଇଓଡବ୍ଲୁ ଦ୍ୱାରା ଗିରଫ ବିଜେଡି ନେତା ରାଜା ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ୧୫ ଦିନ ଜାମିନ  ମିଳିଛି । ଶଶୁରଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଏହି ଜାମିନ ମିଳିଛି । 

ଗତ ମାର୍ଚ୍ଚ ମାସରୁ ଗିରଫ ହୋଇ ବାଲେଶ୍ୱର ଜେଲ୍‌ରେ ରହିଥିବାବେଳେ ପରେ ପୁଣି ତାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେନ୍ଦୁଝରଠାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି । ଜାମିନ ଖାରଜ ହୋଇଥିବାରୁ ରାଜା ଏବେ ବାଲେଶ୍ୱର ବିଚାର ବିଭାଗୀୟ ହାଜତରେ ରହୁଛନ୍ତି । ରାଜାଙ୍କ ଶଶୁର କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ରାଜା ଏକମାତ୍ର ଜ୍ୱାଇଁ ହୋଇଥିବାରୁ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ କେନ୍ଦୁଝର ଏସ୍‌ଡିଜେଏମ୍‌ଙ୍କ ନିକଟରେ ଗତ ଶୁକ୍ରବାର ଆବେଦନ କରିଥିଲେ । ୧୫ ଦିନ  ଜାମିନ ଦେବାକୁ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଏସ୍‌ଡିଜେଏମ୍‌ ଜାମିନ  ଆବେଦନକୁ ଖାରଜ କରିଥିଲେ । ଫଳରେ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଜାମିନ ଆବେଦନ କରାଯାଇଥିଲା । ଶୁକ୍ରବାର ଉକ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ୧୫ ଦିନ ପାଇଁ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜାମିନରେ  ଆସିବା ପରେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଠିକ୍‌ ସମୟରେ ପୁଣି ଅଦାଲତରେ ଆତ୍ମସମର୍ପଣ କରିବାକୁ ଅଦାଲତ ସର୍ତ୍ତ ରଖିଛନ୍ତି । ରାଜାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଅଭିଯୁକ୍ତ ଦର୍ଶାଯାଇଥିବା ମାମଲାରେ ଜାମିନ ମିଳିଥିବା ଜଣାପଡ଼ିଛି ।