ଭୁବନେଶ୍ୱର ୧୩/୦୬: ରାତି ପାହିଲେ ପହିଲି ରଜ ।ଏଥିପାଇଁ ଚାଲିଛି ସଜବାଜ। ଉତ୍ସବ ମୁଖର ପୂରା ଗାଁଠୁ ସହର । କିଏ  ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ପ୍ରସାଧନ ସାମଗ୍ରୀ ।  ରଜ ୩ ଦିନ କିଏ କେଉଁ ଢଙ୍ଗରେ ପାଳିବେ  ସେଥିପାଇଁ ସରିଲାଣି ଯୋଜନା । ଖାଲି ସେତିକି  ନୁହେଁ ରଜ ପାନ ବିକ୍ରି ପାଇଁ ଜାଗମରା ଛକ ଓ ଏକ  ନମ୍ବର ହାଟ ପାଖରେ ଅସ୍ଥାୟୀ ଟେଣ୍ଟ୍‌ ବନ୍ଧା ହେଲାଣି ।  ରାଜଧାନୀରେ ପାନ୍ଥ ନିବାସ, ଖଣ୍ଡଗିରି ପାଖ ପଡ଼ିଆ ପରି କେତେକ ପଡ଼ିଆରେ ଦୋଳି ଲାଗିବା ମଧ୍ୟ  ଆରମ୍ଭ ହୋଇଗଲାଣି । ଏବେ ରାଜଧାନୀରେ  ପିଠା ଦୋକାନ ଖୋଲି ରଜ ପାଇଁ ସ୍ୱତନ୍ତ୍ର ପିଠା  ବିକ୍ରି ହେଉଛି । ନୂଆ ପୋଷାକ ଠାରୁ ଆରମ୍ଭକର ଟିକିଲି, କ୍ଲିପ୍‌, ମେହେନ୍ଦି, କାନଫୁଲ, ପାଉଁଜି...  ଭଳି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସାଙ୍ଗସାଥୀ  ହୋଇ ଝିଅମାନେ ବେଶ୍‌ ଆନନ୍ଦ ସହକାରେ  ବଜାର ବୁଲୁଛନ୍ତି । ଗ୍ରାହକମାନଙ୍କୁ ଆକର୍ଷିତ  କରିବାଲାଗି ବିଭିନ୍ନ ମଲ୍‌, ଅଳଙ୍କାର ଦୋକାନରେ ସୁନ୍ଦର ସାଜସଜ୍ଜା ସହିତ ଦୋଳି ବନ୍ଧା ହୋଇଛି ।

ପାର୍ଲରରେ ମଧ୍ୟ ଗହଳି

ରଜରେ ନିଜକୁ ସୁନ୍ଦର କରି ସଜାଇବା  ପାଇଁ ଝିଅମାନଙ୍କ ଗହଳି ଲାଗୁଛି  ବିଉଟି ପାର୍ଲରରେ । କିଏ ଫେସିଆଲ  ହେବାକୁ ଯାଉଛନ୍ତି ତ କିଏ ବ୍ଲିଚ୍‌  କରିବାକୁ ତ କିଏ ହେୟାର ସୁଦ୍‌ନିଂ ।  ସେଥିପାଇଁ ପାର୍ଲରରେ ମିଳୁଛି ଅଫର ।  କେଉଁଠି ୧୫ ପ୍ରତିଶତ ତ କେଉଁଠି  ୩୦ ପ୍ରତିଶତ ରିହାତି ମିଳୁଛି । ଏହି  ସୁଯୋଗକୁ ହାତଛଡ଼ା ନକରିବା ପାଇଁ  ଝିଅମାନେ ସାଙ୍ଗସାଥୀ ଧରି ପାର୍ଲରରେ  ମିଳୁଥିବା ସୁଯୋଗର ଲାଭ ଉଠାଉଛନ୍ତି ।

ମେହେନ୍ଦି ଲଗାଇବାକୁ ଲମ୍ବା ଧାଡ଼ି

ରଜ ଆସିଲେ ମେହେନ୍ଦି ଲଗାଇ ସଜେଇ  ହେବାକୁ ଝିଅମାନଙ୍କ ଆଗ୍ରହ ବଢ଼ିଥାଏ ।  ସେଥିପାଇଁ ମେହେନ୍ଦି ଲଗାଇବାକୁ ମାର୍କେଟ୍‌  ବିଲ୍ଡିଂରେ ଲାଗୁଛି ଝିଅମାନଙ୍କର ଲମ୍ବା  ଧାଡ଼ି । ସେଠାରେ ଅନେକ ମେହେନ୍ଦି ଶିଳ୍ପୀ  ମେହେନ୍ଦି ଲଗାଇବାକୁ ବସିରହୁଛନ୍ତି । ଆଉ  ପାଖରେ ଧରିଥାନ୍ତି ବିଭିନ୍ନ ପ୍ରକାର ମେହେନ୍ଦି  ଡିଜାଇନ୍‌ କାର୍ଡ । ଗ୍ରାହକ ଯେଉଁ ଡିଜାଇନ୍‌ର  ମେହେନ୍ଦି ପସନ୍ଦ କରୁଛନ୍ତି ତାହାକୁ  ଖୁବ୍‌ ଅଳ୍ପ ସମୟରେ ଲଗାଇଦେଉଛନ୍ତି  ଶିଳ୍ପୀ । ହାତର ଗୋଟେ ପଟେ ମେହେନ୍ଦି  ଲଗାଇଲେ ୧୦୦ ଟଙ୍କାରୁ ଆରମ୍ଭ ।