ଭୁବନେଶ୍ୱର ୦୫/୦୩: ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମି ଫିଲ୍ମ ସୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର ଭୁସ୍ୱର୍ଗ କୋରାପୁଟକୁ ବାଛିଛନ୍ତି । ଜିଲ୍ଲାର ଦେଓମାଳି, ତଳମାଳି, ଲମତାପୁଟ, ଜୟପୁର ଭଳି ବିଭିନ୍ନ ସ୍ଥାନରେ ସୁଟିଂ କରିବା ପାଇଁ ସେ ସ୍ଥାନ ଚିହ୍ନଟ କରିଥିବା ଏକ ସୂତ୍ରରୁ ଜାଣିବାକୁ ମିଳିଛି । ବଡ଼ ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଟଲିଉଡର ସୁପରଷ୍ଟାର ମହେଶ ବାବୁ ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ସହିତ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରହିଛନ୍ତି । ଏହା ସହିତ ବଲିଉଡର ଆଗଧାଡ଼ିର ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଅଭିନୟ କରୁଥିବା ସୂଚନା ମିଳିଛି ।
ଫିଲ୍ମର ନାମ ‘ଏସ୍ଏସ୍ଏମ୍ବି-୨୯’ ରହିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ନାଗା ପ୍ରଣିତ ଏହାର ପ୍ରଡକ୍ସନ ମ୍ୟାନେଜର ରହିଛନ୍ତି । ଆସନ୍ତା ମାର୍ଚ୍ଚ ପହିଲାରୁ ୨୯ ତାରିଖ ଯାଏ କେବଳ କୋରାପୁଟ ଜିଲ୍ଲାରେ ସୁଟିଂ ହେବ । ସୁଟିଂ ପୂର୍ବରୁ ସ୍ଥାନ ଚୟନ ପାଇଁ ରାଜାମୌଲି କୋରାପୁଟ ଆସି ବିଭିନ୍ନ ସ୍ଥାନ ବୁଲାବୁଲି କରୁଛନ୍ତି । ସେ ସେମିଳିଗୁଡାର ଏକ ହୋଟେଲରେ ରହୁଥିବା ଜଣାପଡିଛି । ତାଙ୍କ ସହିତ ଅଭିନେତା ମହେଶ ବାବୁ ମଧ୍ୟ କୋରାପୁଟ ଆସି ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରିୟଙ୍କା ଚୋପ୍ରା ଓ ଅନ୍ୟ ଅଭିନେତା ଅଭିନେତ୍ରୀମାନେ ଆସନ୍ତା ୬ ତାରିଖ ସୁଦ୍ଧା କୋରାପୁଟ ଆସିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । କୋରାପୁଟ ଜିଲ୍ଲାରେ ଏହା ପୂର୍ବରୁ ବହୁ ତେଲୁଗୁ, ତାମିଲ ଫିଲ୍ମ ସୁଟିଂ ହୋଇଥିଲେ ମଧ୍ୟ ରାଜାମୌଲିଙ୍କ ଭଳି ଜଣେ ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଆସିଛନ୍ତି । ଏହା ଦ୍ୱାରା ଆଗକୁ ଜିଲ୍ଲାର ନାମ ପ୍ରସିଦ୍ଧି ଲାଭ କରିବ । ଏହି ଧାରା ଲାଗି ରହିଲେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ଭି କିର୍ତ୍ତୀ ଭାଷନ କହିଛନ୍ତି ।
ପ୍ରକାଶ ଥାଉକି, ଏସ୍ଏସ୍ ରାଜାମୌଲି ବାହୁବଳି, ଆରଆରଆର, ମଗଧୀରା ଭଳି ବ୍ଳକ ବଷ୍ଟର ଫିଲ୍ମ ତିଆରି କରିଛନ୍ତି । ଏହି ଫିଲ୍ମଗୁଡିକ ଦୀର୍ଘ ଦିନ ଧରି ହଲରେ ଚାଲିଥିବା ବେଳେ ବହୁ ପୁରସ୍କାର ମଧ୍ୟ ପାଇଛି । ରାଜାମୌଲି ଏହି ଫିଲ୍ମ ନିର୍ମାଣ କରୁଥିବାରୁ ଫିଲ୍ମ ନିହାତି ସୁପର ହିଟ୍ ହେବ ଏବଂ କୋରାପୁଟ ଜିଲ୍ଲା ଫିଲ୍ମ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ । ଆଗକୁ ଅନ୍ୟ ନିର୍ମାତା ନିର୍ଦ୍ଦେଶକମାନେ କୋରାପୁଟ ପ୍ରତି ଆକୃଷ୍ଟ ହେବେ । ପୂର୍ବରୁ ୧୭ରୁ ଊଦ୍ଧ୍ୱର୍ ଛୋଟବଡ଼ ଦକ୍ଷିଣୀ ଫିଲ୍ମ ଏହି ଜିଲାରେ ସୁଟିଂ ହୋଇସାରିଛି । କହିବାକୁ ଗଲେ ଦକ୍ଷିଣ ଫିଲ୍ମ ଇଣ୍ଟଷ୍ଟ୍ରି ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ମୁହାଁ ହୋଇଛି । ପ୍ରାକୃତିକ ପରିବେଶ ଓ ଫିଲ୍ମର କାହାଣୀ ପାଇଁ କୃତ୍ରିମ ସେଟ୍ ନିର୍ମାଣ ପରିବର୍ତ୍ତେ ପ୍ରାକୃତିକ ପରିବେଶରେ ସୁଟିଂ କରିବାକୁ ନିର୍ଦ୍ଦେଶକମାନେ ଗୁରୁତ୍ୱ ଦେଉଛନ୍ତି ।