ମୁମ୍ବାଇ,୨୪/୧୧: ଆଗାମୀ ଆଇପିଏଲ୍ରେ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡ଼ିୟମ୍କୁ ଘରୋଇ ଭେନ୍ୟୁ ରୂପେ ନେବା ପାଇଁ ଦୁଇ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଦୀର୍ଘ ୧୮ ବର୍ଷ ଧରି ରୟାଲ୍ ଚ୍ୟାଲେଞ୍ଜର୍ସର ଘରୋଇ ଗ୍ରାଉଣ୍ଡ ରହିଥିଲା । ଗତ ବର୍ଷ ରୟାଲ୍ ଚ୍ୟାଲେଞ୍ଜର୍ସ ଚାମ୍ପିଅନ୍ ହେବା ପରେ ବିଜୟ ଉତ୍ସବ ସମୟରେ ଦଳା ଚକଟାରେ ୧୧ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏହି ଘଟଣା ପରଠୁ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ କୌଣସି ମ୍ୟାଚ୍ ଆୟୋଜନ କରିବା ପାଇଁ କର୍ଣ୍ଣାଟକ ସରକାର ଅନୁମତି ଦେଉ ନାହାନ୍ତି । ତେଣୁ ରୟାଲ୍ ଚ୍ୟାଲେଞ୍ଜର୍ସ ନୂଆ ଭେନ୍ୟୁ ସନ୍ଧାନରେ ରହିଛି ।
ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ପକ୍ଷରୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଇତି ମଧ୍ୟରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏକ ଦଳ ପୁନେ ଷ୍ଟାଡ଼ିୟମ୍ ସର୍ବେକ୍ଷଣ କରି ଫେରିଛନ୍ତି । ଷ୍ଟାଡ଼ିୟମ୍ର ଦର୍ଶକ ଧାରଣ କ୍ଷମତା ଓ ଖେଳାଳିଙ୍କ ରହିବା ପାଇଁ ନିକଟସ୍ଥ ହୋଟେଲ ସବୁ ଦେଖି ଉକ୍ତ ଦଳ ଫେରିଯାଇଥିବା ଜଣା ପଡ଼ିଛି । ଗତ ସିଜନରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ଓ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯାହାକୁ ନେଇ ରାଜସ୍ଥାନ ରୟାଲ୍ସ ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ ଆୟୋଜନ କରିବାକୁ ଚାହୁଁନାହିଁ । ପୁନେରେ ୪ଟି ଘରୋଇ ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଥିବା ରାଜସ୍ଥାନ ରୟାଲ୍ସ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନକୁ ଲିଖିତ ଭାବେ ଜଣାଇ ସାରିଛି