ଜୟପୁର, ୦୧/୦୫: ଆଇପିଏଲ୍ ୨୦୨୬ର ୪୨ତମ ମୁକାବିଲା ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ। ଘରୋଇ ଗ୍ରାଉଣ୍ଡ ରାଜସ୍ଥାନକୁ ବେଶ୍ ସୁହାଇବ ବୋଲି ଆଶା ରହିଛି। ସେହିପରି ଦିଲ୍ଲୀ ପାଇଁ ଆଜିର ମ୍ୟାଚ୍ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଗତ ୨୪ ତାରିଖରେ ଆରସିବି ବିପକ୍ଷ ମ୍ୟାଚରେ ଦିଲ୍ଲୀର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମାତ୍ର ୭୫ ରନ୍ ରେ ସବୁ ଓ୍ବିକେଟ ହରାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ, କାରଣ ସେମାନେ ଆଠଟି ମ୍ୟାଚ୍ ମଧ୍ୟରୁ କେବଳ ତିନୋଟିରେ ବିଜୟୀ ହୋଇଛନ୍ତି। ଦିଲ୍ଲୀ ଶେଷ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟିରେ ପରାସ୍ତ ହୋଇଛି। ସେହିପରି ରାଜସ୍ଥାନ ରୟାଲ୍ସ ଗତ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ପରାସ୍ତ ହୋଇଛି। ତେବେ ପଏଣ୍ଟ ଟେବୁଲରେ ସୁଦୃଢ଼ ସ୍ଥିତିରେ ରହିବା ପାଇଁ ଉଭୟ ଦଳକୁ ଆଜି କସରତ କରିବାକୁ ପଡ଼ିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜସ୍ଥାନ ପକ୍ଷରୁ ବୈଭବ-ଜୟସ୍ବାଲଙ୍କ ଓପନିଂ ଯୋଡ଼ି ପାଓ୍ବାରପ୍ଳେରେ ଏକ ଦର୍ଶନୀୟ ସ୍କୋର କରିବେ ବୋଲି ଆଶା କରାଯାଉଛି। ସେହିପରି ଅକ୍ଷର ପଟେଲଙ୍କ ଦଳ ମଧ୍ୟ ପୂର୍ବ ପରାଜୟର ପ୍ରତିଶୋଧ କିପରି ନେଉଛି ତାହା ଦେଖିବା ଆକର୍ଷଣୀୟ ହେବ। ପୂର୍ବରୁ ଜସପ୍ରିତ ବୁମ୍ରା, ଭୁବନେଶ୍ବର କୁମାର ଓ ହେଜେଲଉଡଙ୍କ ପରି ଘାତକ ବୋଲରଙ୍କୁ ସାମ୍ନା କରିଥିବା ରାଜସ୍ଥାନର ବୈଭବ ଆଜି କିପରି ବିଶ୍ବର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ସାମ୍ନା କରୁଛନ୍ତି, ତାହା ଦେଖିବାକୁ ରୋମାଞ୍ଚକର ହେବ। କହିରଖୁଛୁ ଯେ, ଆଘାତ କାରଣରୁ ଆଇପିଏଲ୍ ଆରମ୍ଭରୁ ମ୍ୟାଚ୍ ଖେଳିନଥିବା ଷ୍ଟାର୍କ ମେ'୧ ତାରିଖ ଅର୍ଥାତ୍ ଆଜିଠାରୁ ମ୍ୟାଚ୍ ଖେଳିବେ ବୋଲି ତାଙ୍କୁ ଏନଓସି ମିଳିଥିଲା। ତେବେ ଆଜିର ଚୁଡ଼ାନ୍ତ ଏକାଦଶରେ ମଧ୍ୟ ପରିବର୍ତ୍ତନ ହୋଇଛି। ମିଚେଲ୍ ଷ୍ଟାର୍କ ଆଜିର ମୁକାବିଲାରେ ମଇଦାନକୁ ଓହ୍ଲାଉଛନ୍ତି।

ଅଧିକ ପଢ଼ନ୍ତୁ: RR vs DC: ବୁମ୍ରା, ହେଜେଲଉଡଙ୍କ ପରେ ଏବେ ମିଚେଲ୍‌ ଷ୍ଟାର୍କଙ୍କୁ କେମିତି ସାମ୍ନା କରିବେ ବୈଭବ; ଆଜି ପ୍ରଥମ ଥର ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର
 

ଦିଲ୍ଲୀର ଚୁଡ଼ାନ୍ତ ଏକାଦଶ:

କେ.ଏଲ୍ ରାହୁଲ (ଓ୍ବିକେଟ କିପର), ପଥୁମ୍ ନିସଙ୍କା, ନୀତୀଶ ରାଣା, ସମୀର ରିଜଭି, ଟ୍ରିଷ୍ଟନ୍ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ଆଷୁତୋଷ ଶର୍ମା, କାଇଲ୍ ଜେମିସନ୍, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ଟି ନଟରାଜନ

ରାଜସ୍ଥାନର ଚୁଡ଼ାନ୍ତ ଏକାଦଶ:

ଯଶସ୍ୱୀ ଜୈସଓ୍ବାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁଭ ଜୁରେଲ (ୱିକେଟ୍ କିପର), ରିୟାନ୍ ପାରାଗ (ଅଧିନାୟକ), ଡୋନୋଭନ୍ ଫେରେରା, ରବିନ୍ଦ୍ର ଜାଡେଜା, ଶୁଭମ୍ ଦୁବେ, ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ, ଆନ୍ଦ୍ର ବର୍ଗର ଏବଂ ବ୍ରିଜେଶ ଶର୍ମା