ଜୟପୁର,୦୧/୦୫: ରାଜସ୍ଥାନ ରୟାଲ୍ସ ଗତ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ପରାସ୍ତ ହୋଇଛି। ଆଜି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ। ଦିଲ୍ଲୀର ପରିସ୍ଥିତି ଆହୁରି ଖରାପ, କାରଣ ସେମାନେ ଆଠଟି ମ୍ୟାଚ୍ ମଧ୍ୟରୁ କେବଳ ତିନୋଟିରେ ବିଜୟୀ ହୋଇଛନ୍ତି। ଦିଲ୍ଲୀ ଶେଷ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟିରେ ପରାସ୍ତ ହୋଇଛି ଏବଂ ଶେଷ ମ୍ୟାଚ୍ ରେ ସମଗ୍ର ଦଳ ମାତ୍ର ୭୫ ରନରେ ଅଲଆଉଟ୍ ହୋଇଯାଇଛି। ବୈଭବ ସୂର୍ଯ୍ୟବଂଶୀ ଉତ୍କୃଷ୍ଟ ଫର୍ମରେ ଅଛନ୍ତି, ପ୍ରଥମ ବଲ୍ ଧୂଆଁଧାର ପ୍ରହାର ପାଇଁ ସେ ବେଶ ଲୋକପ୍ରିୟତା ହାସଲ କଲେଣି। ସେ ଜସପ୍ରିତ ବୁମ୍ରା ଏବଂ ଭୁବନେଶ୍ୱର କୁମାରଙ୍କ ଭଳି କିମ୍ବଦନ୍ତୀ ବୋଲରଙ୍କ ବିରୁଦ୍ଧରେ ରନ ସଂଗ୍ରହ କରିଛନ୍ତି। ଆଜି ସେ ବିଶ୍ୱର ସବୁଠାରୁ ଘାତକ ବୋଲର ମିଚେଲ ଷ୍ଟାର୍କଙ୍କ ସହ ମୁକାବିଲା କରିପାରନ୍ତି, ଯିଏକି ମେ ୧ ତାରିଖରୁ ଆଇପିଏଲ୍ ଖେଳିବା ପାଇଁ NOC ପାଇଛନ୍ତି।

ମିଚେଲ ଷ୍ଟାର୍କ ଆଘାତ ଯୋଗୁଁ ଆଇପିଲଏଲ୍ ୨୦୨୬ର ପ୍ରାରମ୍ଭିକ ମ୍ୟାଚ୍ ରୁ ବାଦ ପଡ଼ିଥିଲେ। ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେଇଛନ୍ତି ଏବଂ ମେ ୧ ରୁ ଖେଳିବା ପାଇଁ କ୍ଳିୟରାନ୍ସ ପାଇଛନ୍ତି। ସେ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିପାରନ୍ତି। ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବେ।

ଅଧିକ ପଢ଼ନ୍ତୁ: ଗୁଜୁରାଟ ବିପକ୍ଷ ମ୍ୟାଚରେ କୃନାଲଙ୍କୁ କାହିଁକି ମିଳିଲାନି ବୋଲିଂ, କାରଣ କହିଲେ ଭୁବି

ବୈଭବ ନା ଷ୍ଟାର୍କ, କିଏ ଜିତିବ?

ଏହି ମ୍ୟାଚ୍ କେବଳ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ନୁହେଁ, ବରଂ ମିଚେଲ ଷ୍ଟାର୍କଙ୍କ ପାଇଁ ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ବୈଭବଙ୍କୁ ଅଟକାଇବା କିମ୍ବା ଆଉଟ୍ କରିବା ପାଇଁ ଷ୍ଟାର୍କଙ୍କ ଉପରେ ଯଥେଷ୍ଟ ଚାପ ପଡ଼ିବ। ବୈଭବଙ୍କ ସହିତ ଯଶସ୍ୱୀ ଜୟସ୍ୱାଲ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି, ଏବଂ ତାଙ୍କ ବ୍ୟାଟ୍ ଜୟପୁରରେ ବିଶେଷ ପ୍ରଭାବୀ ସାବ୍ୟସ୍ତ ହୋଇଛି। ସେ ଜୟପୁରରେ ତାଙ୍କର ଶେଷ ସାତ ଇନିଂସ ମଧ୍ୟରୁ ପାଞ୍ଚଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

 

ମିଚେଲ ଷ୍ଟାର୍କ ୧୫୮ ଟି-୨୦ ମ୍ୟାଚ୍ ଖେଳି ୨୧୭ ୱିକେଟ୍ ନେଇଛନ୍ତି, ଏଥିରେ ସେ ୭୦ ଥର ବାମହାତୀ ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି। ସେ ପ୍ରାୟ ପ୍ରତି ଆଠ ବଲ୍ ରେ ଜଣେ ବାମହାତୀ ବ୍ୟାଟରଙ୍କୁ ଆଉଟ୍ କରିବାର ଏକ ରେକର୍ଡ ମଧ୍ୟ ରଖିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ରେ ନଅଟି ଇନିଂସରେ ୪୦୦ ରନ୍ କରିଛନ୍ତି। ସେ ଚଳିତ ସଂସ୍କରଣରେ ତୃତୀୟ ସର୍ବାଧିକ ରନ୍ ସ୍କୋରର ଅଛନ୍ତି। ସେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୮.୦୯ ରହିଛି। ଦେଖିବାକୁ ବାକି ରହିଲା, ସଓ୍ବାଇ ମାନସିଂହ ଷ୍ଟାଡିୟରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୬ର ୪୩ ତମ ମୁକାବିଲାରେ ବୈଭବ ଏବଂ ଷ୍ଟାର୍କଙ୍କ ମଧ୍ୟରେ ମୁକାବିଲା କେତେ ଚ୍ୟାଲେଞ୍ଜପୂର୍ଣ୍ଣ ହେଉଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଗୁଜୁରାଟ ବିପକ୍ଷ ମ୍ୟାଚରେ କୃନାଲଙ୍କୁ କାହିଁକି ମିଳିଲାନି ବୋଲିଂ, କାରଣ କହିଲେ ଭୁବି