ଜୟପୁର,୦୧/୦୫: ଆଜିର ମ୍ୟାଚ୍ ଆରମ୍ଭ ଫ୍ଳପ୍ ସାବ୍ୟସ୍ତ ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ଖରାପ ଆରମ୍ଭ ସତ୍ତ୍ୱେ, ରାଜସ୍ଥାନ ରୟାଲ୍ସ ସ୍କୋରବୋର୍ଡରେ ୨୨୫ ରନ ସଂଗ୍ରହ କରିପାରିଛି। ରାଜସ୍ଥାନ ମାତ୍ର ୧୨ ରନରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହରାଇଥିଲା, କିନ୍ତୁ ଅଧିନାୟକ ରିୟାନ ପରାଗଙ୍କ ୯୦ ରନର ଦର୍ଶନୀୟ ଇନିଂସ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ଧ୍ରୁବ ଜୁରେଲ ମଧ୍ୟ ୪୦ ରନ ଯୋଗଦାନ ଦେଇଥିଲେ, କିନ୍ତୁ ଡେଥ୍ ଓଭରରେ ଡୋନୋଭନ ଫେରେରା ଯେଉଁ ଆଖିଦୃଶିଆ ମାଡ଼ ମାରିଲେ, ତାହା ଆଗରେ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ମଧ୍ୟ ଫିକା ପଡ଼ିଯାଇଥିଲା। ଫେରେରା ୧୪ ବଲରେ ୪୭ ରନ କରିଥିଲେ।

୧୨ ରନରେ ପଡ଼ିଥିଲା ୨ ଓ୍ବିକେଟ, ତଥାପି ରିୟାନ ପରାଗ:

ରାଜସ୍ଥାନ ରୟାଲ୍ସର ଉଭୟ ଓପନର ପ୍ରଥମ ୧୨ ରନ ମଧ୍ୟରେ ଆଉଟ ହୋଇଥିଲେ। ଯଶସ୍ୱୀ ଜୟସ୍ୱାଲ ୬ ରନ କରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୪ ରନ କରି କାଇଲ ଜାମିସନଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ରିୟାନ ପରାଗ ୨୦୨୬ ଆଇପିଏଲର ପ୍ରଥମ ୯ ଇନିଂସରେ କେବଳ ୧୧୭ ରନ କରିପାରିଥିବା ବେଳେ ଦିଲ୍ଲୀ ବିପକ୍ଷରେ କିନ୍ତୁ ତାଙ୍କର ଫର୍ମ ଫେରି ଆସିଥିଲା। ଆଜିର ମ୍ୟାଚରେ ସେ ୫୦ ବଲ୍ ରେ ୯୦ ରନ କରି ଅଧିନାୟକତ୍ବ ଇନିଂସ ଖେଳିଥିଲେ। ଏହି ଝଡ଼ମୟ ଇନିଂସରେ ସେ ୮ ଚୌକା ଏବଂ ୫ ଛକା ମାରିଥିଲେ।

ରିୟାନ ପରାଗ ଧ୍ରୁବ ଜୁରେଲଙ୍କ ସହ ୧୦୨ ରନର ପାର୍ଟନରସିପ୍ କରିଥିଲେ। ପରେ ପରାଗ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ଦ୍ରୁତ ୫୩ ରନ ଯୋଡ଼ିଥିଲେ। ୧୭ତମ ଓଭରରେ ପରାଗ ୯୦ ରନ କରି ଆଉଟ ହୋଇଥିଲେ, କିନ୍ତୁ ପରେ ମଇଦାନରେ ଝଡ଼ ସୃଷ୍ଟି କରିଥିଲେ ଡୋନୋଭାନ ଫେରେରା। ଏବେ ରାଜସ୍ଥାନ ଦେଇଥିବା ୨୨୬ ରନର ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ମଇଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ।