ନୂଆଦିଲ୍ଲୀ ୦୩/୦୬: ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତଗର୍ତ ରାଜସ୍ଥାନରେ ରକ୍ଷା କ୍ଷେତ୍ରକୁ ନୂଆ ପରିଚୟ ମିଳିବାକୁ ଯାଉଛି । ଅପରେସନ୍‌ ସିନ୍ଦୂରର ସଫଳତା ପରେ ଏବେ ‘ମେକ୍‌ ଇନ୍‌ ରାଜସ୍ଥାନ’ ବ୍ରାଣ୍ଡ ଅନ୍ତଗର୍ତ  ଅତ୍ୟାଧୁନିକ ରାଇଫଲ ଓ ମଲ୍ଟି ବ୍ୟାରେଲ ମସିନ୍‌ ଗନ୍‌ର ନିର୍ମାଣ ଯୋଧପୁରରେ ଆରମ୍ଭ ହେବାକୁ ଯାଉଛି । ଏହା ଯୋଧପୁର ପାଇଁ ବଡ଼ ଉପଲବ୍ଧି । ୧୫୦୦ କୋଟିରୁ ଅଧିକ ଟଙ୍କାର  ନିବେଶ ଚୁକ୍ତି ଏବେ କାର୍ଯ୍ୟକାରୀ ହେବାକୁ  ଯାଉଛି । ଏଥିପାଇଁ ରକ୍ଷା ମନ୍ତ୍ରାଳୟରୁ ଆବଶ୍ୟକ  ଅନୁମତି ମିଳିସାରିଛି । କ୍ଷେତ୍ର ପରୀକ୍ଷଣ ମଧ୍ୟ  ସଫଳ ହୋଇଛି । ଏହାର ଅର୍ଥ, ଏଣିକି ରାଜସ୍ଥାନ କେବଳ ଦେଶର ରକ୍ଷା କ୍ଷେତ୍ରରେ ନିଜର ମଜଭୁତ ଉପସ୍ଥିତିକୁ ଉପସ୍ଥାପନ କରିବାକୁ ଯାଉଛି ତାହା  ନୁହେଁ, ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନରେ  ଅନ୍ତର୍ଜାତୀୟ ସ୍ତରରେ ‘ମେଡ୍‌ ଇନ୍‌ ରାଜସ୍ଥାନ’କୁ  ମଧ୍ୟ ସ୍ଥାପିତ କରିବାକୁ ଯାଉଛି ।  

ରକ୍ଷା ଷ୍ଟାର୍ଟଅପ୍‌ ସହ ସଂଶ୍ଳିଷ୍ଟ ପ୍ରମୁଖ ଉଦ୍ୟୋଗପତି  ରବିନ୍ଦ୍ର ସିଂହ ରାଠୋର କହିଛନ୍ତି, ଏହି ପ୍ରକଳ୍ପରେ  ନିର୍ମାଣ ହେଉଥିବା ଅସ୍ତ୍ରଗୁଡ଼ିକର ପରୀକ୍ଷଣ  ବିଦେଶରେ ଶେଷ ହୋଇଛି । ପରୀକ୍ଷଣର ଫଳ  ମଧ୍ୟ ଉତ୍ସାହଜନକ ରହିଛି । ରକ୍ଷା ମନ୍ତ୍ରାଳୟ ଏହି  ପ୍ରକଳ୍ପକୁ ଦୁଇଟି ଚରଣରେ ମଞ୍ଜୁରି ପ୍ରଦାନ  କରିଛି, ଯାହା ଦ୍ୱାରା ଏହି ଅସ୍ତ୍ର କେବଳ ଭାରତୀୟ  ସେନା ପାଇଁ ଉପଯୋଗୀ ହେବ ନାହିଁ, ବରଂ  ବିଦେଶକୁ ରପ୍ତାନି ମଧ୍ୟ ହୋଇପାରିବ । ଆଫ୍ରିକୀୟ  ଦେଶ ଟୋଗୋ ଓ ଏସୀୟ ଦେଶ ଥାଇଲାଣ୍ଡ ଏହି  ଅସ୍ତ୍ର ପ୍ରତି ରୁଚି ପ୍ରଦର୍ଶନ କରିଛନ୍ତି । ଏଥିରୁ  ପ୍ରମାଣ ହେଉଛି, ରାଜସ୍ଥାନର ଏହି କୌଶଳ  ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବାରେ  ସକ୍ଷମ । 

ମିଲିଟାରୀ ଗ୍ରେଡ୍‌ ସ୍ନାଇପର୍‌ ରାଇଫଲ:  ଲମ୍ବା ଦୂରକୁ ସଠିକ୍‌ ଆକ୍ରମଣ ଏହି ପ୍ରକଳ୍ପ ଅନ୍ତର୍ଗତ ମିଲିଟାରୀ ଗ୍ରେଡ୍‌ ସ୍ନାଇପର୍‌  ରାଇଫଲ ପ୍ରସ୍ତୁତ କରାଯାଉଛି । ଏହାକୁ ବିଶେଷ  କରି ଲମ୍ବା ଦୂରତା ପର୍ଯ୍ୟନ୍ତ ସଠିକ୍‌ ଟାର୍ଗେଟ୍‌ କରିବା  ପାଇଁ ଡିଜାଇନ୍‌ କରାଯାଇଛି । ଏହି ରାଇଫଲ  ସବ୍‌-ମିନିଟ୍‌ ଅଫ୍‌ ଆଙ୍ଗଲ୍‌ ସଠିକତା ହାସଲ  କରିବାରେ ସକ୍ଷମ । ଅର୍ଥାତ୍‌ ବହୁତ କମ୍‌ ବିଚଳନ  ସହିତ ଲମ୍ବା ଦୂରକୁ ଟାର୍ଗେଟ୍‌ କରିପାରେ ।  ପରୀକ୍ଷଣରେ ଏହା ୨.୪ କିମି ପର୍ଯ୍ୟନ୍ତ ଫାୟାର  କରିବାରେ ସଫଳ ହୋଇଛି । ଏଥିସହ ଅଲଗା- ଅଲଗା ଜଳବାୟୁ ଓ ଭୌଗୋଳିକ ପରିସ୍ଥିତିରେ  ନିରନ୍ତର ପ୍ରଦର୍ଶନ କରୁଛି, ଯାହା ଏହାକୁ ସବୁ  ପାଣିପାଗ ଓ ଅଭିଯାନରେ ଉପଯୋଗୀ କରିଛି । ସୂଚନାଯୋଗ୍ୟ, ଏହି ରାଇଫଲ ଶତ ପ୍ରତିଶତ  ‘ମେଡ୍‌ ଇନ୍‌ ଇଣ୍ଡିଆ’ ହେବ । ଅର୍ଥାତ୍‌ ଏହାର  ସବୁ ଅଂଶ ଭାରତରେ ନିର୍ମିତ ହେବ ।

ମଲ୍ଟି ବ୍ୟାରେଲ ମସିନ୍‌ ଗନ୍‌: ମିନିଟ୍‌କୁ  ୬,୦୦୦ ରାଉଣ୍ଡ୍‌ ଗୁଳି କରିବ ଏହି ପ୍ରୋଜେକ୍ଟର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମଲ୍ଟି  ବ୍ୟାରେଲ ମସିନ୍‌ ଗନ୍‌ । କୌଶଳ ଦୃଷ୍ଟିରୁ ଏହା  ଅତି ଉନ୍ନତ । ୧ ମିନିଟ୍‌ରେ ପ୍ରାୟ ୬ ହଜାର ରାଉଣ୍ଡ୍‌  ଫାୟାର କରିବାରେ ଏହା ସକ୍ଷମ । ପାଖାପାଖି ୧୦୦୦ ମିଟର ପର୍ଯ୍ୟନ୍ତ ସଠିକତା ସହ ମାଡ଼  କରିପାରେ । ଏଥିସହ ଏହାର ଏକ ବେଲ୍ଟରେ  ୧୫ ହଜାର ରାଉଣ୍ଡ୍‌ ପର୍ଯ୍ୟନ୍ତ ଗୋଳା ବାରୁଦ  ମାଡ଼ କରିବାର ସୁବିଧା ରହିବ । ଭବିଷ୍ୟତରେ  ଏହାକୁ ସି-ରାମ୍‌ (କାଉଣ୍ଟର୍‌ ରକେଟ୍‌, ଆର୍ଟିଲରୀ  ଓ ମୋର୍ଟାର) ଅର୍ଥାତ୍‌ ଯୁଦ୍ଧ ବିମାନ-ରୋଧୀ ଅସ୍ତ୍ର  ପ୍ରଣାଳୀ ରୂପେ ଅପଗ୍ରେଡ୍‌ କରାଯିବ, ଯାହା  ଏହାକୁ ଶତ୍ରୁର ଡ୍ରୋନ୍‌ ଓ ବାୟୁମାର୍ଗରୁ ଆକ୍ରମଣ  ବିରୋଧରେ ମଧ୍ୟ ଉପଯୁକ୍ତ ଅସ୍ତ୍ର କରିବ । ଏହି  ପ୍ରକଳ୍ପକୁ ମଧ୍ୟ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅନ୍ତର୍ଗତ  ବିକଶିତ କରାଯାଉଛି । ଏହାର କୌଶଳ ଓ  ନିର୍ମାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବ । 

ଯୋଧପୁର, ଜୟପୁର ସମେତ ଅନେକ  ସହରରେ ହେବ ନେଟ୍‌ୱର୍କ

ଏହି ପ୍ରକଳ୍ପ ଅନ୍ତର୍ଗତ ଅସ୍ତ୍ରଗୁଡ଼ିକର ବିଭିନ୍ନ  ଅଂଶର ନିର୍ମାଣ ଯୋଧପୁର, ଜୟପୁର ଓ ରାଜ୍ୟର  ଅନ୍ୟ ଔଦ୍ୟୋଗିକ କ୍ଷେତ୍ରରେ କରାଯିବ । ଯୋଧପୁରର ବୋରାନାଡା ଔଦ୍ୟୋଗିକ କ୍ଷେତ୍ରରେ  ସ୍ଥିତ କାରଖାନା ହେବ ମୁଖ୍ୟ ଉତ୍ପାଦନ କେନ୍ଦ୍ର ।  ସେଠାରେ ମସିନ୍‌ ଗନ୍‌ର ବ୍ୟାରେଲ ପ୍ରସ୍ତୁତ  କରାଯିବ । ଏହା ସହିତ ଅନ୍ୟ ଆବଶ୍ୟକ  ଯନ୍ତ୍ରପାତି ରାଜ୍ୟର ବିଭିନ୍ନ ସହରରେ ନିର୍ମିତ  ହେବ । ଶେଷରେ ସେଗୁଡ଼ିକୁ ଏକ ଗୁପ୍ତ ସ୍ଥାନରେ  ସଂଲଗ୍ନ କରାଯିବ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍ଥାନକୁ  ସାର୍ବଜନୀନ କରାଯାଇ ନାହିଁ । 

ମସିନ୍‌ ଗନ୍‌ ଓ ସ୍ନାଇପର ରାଇଫଲର ନିର୍ମାଣ  ସହିତ ସେଗୁଡ଼ିକର ସଂଚାଳନ ପାଇଁ ଆବଶ୍ୟକ  ବାରୁଦ ଓ ଗୁଳିର ଉତ୍ପାଦନ ମଧ୍ୟ ଏହି ପ୍ରକଳ୍ପର  ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । କିନ୍ତୁ ବାରୁଦର ଭଣ୍ଡାର  ଘର ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ  କଠୋର । ସେହି ଅନୁସାରେ, ଯେଉଁ ସ୍ଥାନରେ  ବାରୁଦର ଭଣ୍ଡାର ଘର କରାଯିବ, ତା’ର ୮-୧୦  କିମି ପରିବ୍ୟାପ୍ତ ସ୍ଥାନରେ ଜନବସତି ନ ରହିବା  ଉଚିତ୍‌ । ଏହି ସ୍ଥିତିକୁ ଧ୍ୟାନରେ ରଖି ସୁରକ୍ଷା  ମାନକ ଦୃଷ୍ଟିରୁ ଏବଂ ପ୍ରକଳ୍ପକୁ ସୁଚାରୁ ରୂପେ  ଚଳାଇବା ପାଇଁ ସରକାରଙ୍କୁ ସେଭଳି ଜାଗା  ମଗାଯାଇଛି ।  

ମେଡ୍‌ ଇନ୍‌ ରାଜସ୍ଥାନ ବ୍ରାଣ୍ଡ୍‌ ଅନ୍ତର୍ଗତ ନିର୍ମିତ ଏହି  ଅଧୁନିକ ଅସ୍ତ୍ରଶସ୍ତ୍ର ଆଗାମି ଦିନରେ ଭାରତୀୟ  ସେନାର ଶକ୍ତି ବଢ଼ାଇବ । ରାଜ୍ୟକୁ ବୈଶ୍ୱିକ ରକ୍ଷା  ମାନଚିତ୍ରରେ ନୂଆ ପରିଚୟ ମଧ୍ୟ ଦେବ ।