ଜୟପୁର : ରାଜସ୍ଥାନରେ ଟ୍ରାଫିକ୍ ପୁଲିସର ଜଣେ ଏଏସଆଇଙ୍କର ଅଜବ କାରନାମା ସାମ୍ନାକୁ ଆସିଛି, ଯାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଇଲେକ୍ଟ୍ରିକ୍ ଗାଡିର ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ୍ ନହୋଇ ଥିବାରୁ ଚାଲାଣ କଟା ଯାଇଥିବା ଅଭିଯୋଗ ହୋଇଛି। ଡ୍ରାଇଭର ତାଙ୍କୁ କହିଥିଲେ ଯେ, ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପିୟୁସିର ଆବଶ୍ୟକତା ହୋଇ ନଥାଏ, ତଥାପି ଟ୍ରାଫିକ୍ ପୁଲିସ ତାଙ୍କ ଗାଡ଼ିର ଚାଲାଣ କାଟି ଥିଲେ।
ରାଜସ୍ଥାନର ନାଗୌରରେ ଜଣେ ଟ୍ରାଫିକ୍ ପୁଲିସ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଅଭିଯୋଗ ମୁତାବକ, ଏକ ଇଲେକ୍ଟ୍ରିକ୍ ଗାଡିର ପିୟୁସି ସାର୍ଟିଫିକେଟ୍ ନଥିବାରୁ ଚାଲାଣ କାଟି ଦେଇ ଥିଲେ। ଅଧିକାରୀମାନେ ଶୁକ୍ରବାର କହିଛନ୍ତି ଯେ, ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦିଆ ଯାଇଛି। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ,ଯେବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଉକ୍ତ ଘଟଣା ୭ ଅପ୍ରେଲରେ ସହରର ଆରଟିଓ ସ୍କ୍ୱୋୟାରରେ ହୋଇଥିଲା।
ଅଧିକାରୀଙ୍କ ଅନୁସାରେ , ଏଏସଆଇ ଏକ ଟାଟା ଟିୟୋଗୋ କାରକୁ ଅଟକାଇ ଥିଲେ ଏବଂ ପିୟୁସି ସାର୍ଟିଫିକେଟ୍ ନଥିବା ତଥା ୱିଣ୍ଡୋରେ ଟିଣ୍ଟେଡ୍ ଗ୍ଲାସ୍ ଲାଗି ଥିବାର ଦର୍ଶାଇ ୧୭୦୦ ଟଙ୍କାର ଚାଲାଣ କାଟି ଥିଲେ। ଭିଡ଼ିଓରେ ଡ୍ରାଇଭର ଏହା କହିବାର ଦେଖାଯାଉଛି ଯେ, ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପିୟୁସି ସାର୍ଟିଫିକେଟର ଆବଶ୍ୟକ ହୋଇ ନଥାଏ। କିନ୍ତୁ ଟ୍ରାଫିକ୍ କର୍ମୀ ତାଙ୍କ କଥା ଶୁଣି ନଥିଲେ। ପିଓଏସ ମେସିନରେ ପିୟୁସି ନିଲ୍ ଦେଖାଇବା କାରଣରୁ ସେ ଚାଲାଣ କାଟି ଦେଇ ଥିଲେ। ଏହି ଗାଡ଼ି ଯୋଧପୁରର ଜଣେ ନିବାସୀଙ୍କର ଏବଂ ତାକୁ ତାଙ୍କର ଭାଇ ଚଲାଉ ଥିଲେ।
ଜିଲ୍ଲା ପରିବହନ ଅଧିକାରୀ ଅବଧେଶ ଚୌଧୁରୀ କହିଛନ୍ତି , ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପିୟୁସି ସାର୍ଟିଫିକେଟ୍ର ଆବଶ୍ୟକ ହୋଇ ନଥାଏ। ସମ୍ୱନ୍ଧିତ କର୍ମଚାରୀଙ୍କୁ ଉକ୍ତ ମାମଲାରେ ଠିକ୍ରେ ବୁଝିବାର ଆବଶ୍ୟକ ରହିଛି। ସେପଟେ , ଟ୍ରାଫିକ୍ ଇନଚାର୍ଜ ଶିବଦେବ ରାମ କହିଛନ୍ତି ଯେ, ଏମିତି ଲାଗୁଛି ଯେ, ଚାଲାଣ ଭୁଲ୍ ବଶତଃ କାଟି ଦେଇ ଥିଲେ। ଉକ୍ତ ମାମଲାର ଯାଞ୍ଚ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ, ଯାଞ୍ଚ ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ କରାଯିବ।
ଆହୁରି ମଧ୍ୟ ପଢନ୍ତୁ : ୧୫ ବର୍ଷରେ ଫୋନ୍ ଯେତେ ସ୍ମାର୍ଟ ହୋଇଛି, ମଣିଷ ୫୦ହଜାର ବର୍ଷରେ ହୋଇ ନାହିଁ ! ଫୋର୍ବସ ରିପୋର୍ଟରେ କ୍ୟାରିୟର ବଞ୍ଚାଇବାକୁ ଚେତାବନୀ