ଗୁଜ୍ଜର ଆନ୍ଦୋଳନରେ ବ୍ୟାପିଲା ହିଂସା: ୩ ପୁଲିସ ଭ୍ୟାନ୍ ଜାଳିଦେଲେ

ଜୟପୁର,୧୦ ।୨(ଏଜେନ୍ସି): ରାଜସ୍ଥାନରେ ୫% ସଂରକ୍ଷଣ ଦାବିରେ ଗୁଜ୍ଜର ସମୁଦାୟ ଦ୍ୱାରା କରାଯାଉଥିବା ଆନ୍ଦୋଳନରେ ଆଜି ବ୍ୟାପକ ହିଂସାକାଣ୍ଡ ସଂଘଟିତ ହୋଇଛି । ରବିବାର ଢୋଲପୁର ଜିଲାରେ ତିନିଟି ପୁଲିସ ଭ୍ୟାନକୁ ଜାଳି ଦିଆଯାଇଥିଲାବେଳେ ଫାଙ୍କା ଗୁଳି ଚାଳନା ବି କରାଯାଇଛି । ଢୋଲପୁର ଜିଲା ଆରକ୍ଷୀ ଅଧୀକ୍ଷକ ଅଜୟ ସିଂଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ଜିଲା ଦେଇ ଯାଇଥିବା ଆଗ୍ରାମୋରେନ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରି ରଖିଥିଲେ । ସେମାନଙ୍କୁ ଘଉଡାଇବା ପାଇଁ ପୁଲିସ ଉଦ୍ୟମ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ବିକ୍ଷୋଭକାରୀମାନେ ଉତ୍ତ୍ୟକ୍ତ ହୋଇ ତିନୋଟି ପୁଲିସ ଭ୍ୟାନ୍ ସହ ଦୁଇଟି ଜିପ୍ ଏବଂ ଗୋଟିଏ ବସ୍ ଜାଳି ଦେଇଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ଫାଙ୍କାରେ ୮ରୁ୧୦ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଆନ୍ଦୋଳନକାରୀମାନେ ମଧ୍ୟ ପୁଲିସ ଉପରକୁ ପଥର ମାଡ଼ କରିଥିଲେ । ଏହାଯୋଗୁ ୪ ଜଣ ଯବାନ ଆହତ ହୋଇଥିଲେ । ଏହାପରେ ପୁଲିସ ବିକ୍ଷୋଭକାରୀଙ୍କୁ ସେଠାରୁ ତଡ଼ିବା ପାଇଁ ଟିୟର ଗ୍ୟାସ୍ ସେଲ ମାଡ଼ କରିଥିଲା । ଏବେ ସେହି ମାର୍ଗ ଦେଇ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ଅନ୍ୟପଟରେ, ରାଜ୍ୟର ସୱାଇ ମାଧୋପୁର ଜିଲା ଅନ୍ତର୍ଗତ ମାଲରନା ଡଙ୍ଗର ଅଞ୍ଚଳରେ ଥିବା କେତେକ ରେଳ ଧାରଣାକୁ ଏହି ସମୁଦାୟର ବିକ୍ଷୋଭକାରୀମାନେ ଗତ ଶୁକ୍ରବାର ସନ୍ଧ୍ୟାରୁ ଅବରୋଧ କରି ରଖିଛନ୍ତି । ରାଜ୍ୟ ସରକାରଙ୍କ ନିବେଦନ ସତ୍ତେ୍ୱ ଗୁଜ୍ଜର ନେତା କିରୋରି ସିଂ ବୈଂଶଲା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି । ଶନିବାର ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚ ସ୍ତରୀୟ କମିଟିର ସଦସ୍ୟମାନେ ତାଙ୍କ ସହିତ ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରିପାରିନଥିଲା । ବୈଂଶଲା କହିଛନ୍ତି କି ରାଜ୍ୟ ସରକାର ଗୁଜ୍ଜର ଏବଂ ଆଉ ୪ଟି ଓବିସି ଜାତିଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ୫% ସଂରକ୍ଷଣ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ।