PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ବିଜେଡି କବ୍‌ଜାରେ ରାଜଧାନୀର ୩ ଆସନ

ଭୁବନେଶ୍ୱର,୨୩ ।୫(ବ୍ୟୁରୋ): ରାଜଧାନୀର ତିନିକୁ ତିନି ବିଧାନସଭା ଆସନରେ ବାଜିମାତ୍‌ କରିଛି ବିଜେଡି । ଭୁବନେଶ୍ୱର ଏକାମ୍ରରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ହ୍ୟାଟ୍ରିକ୍‌ କରିଛନ୍ତି । ଦୁଇ ଥରର ମେୟର ଅନନ୍ତ ଜେନା ବି ବିଜୟ ଟୀକା ପିନ୍ଧିଛନ୍ତି ଭୁବନେଶ୍ୱର ମଧ୍ୟ ଆସନରେ । ସବୁଠୁ ଚମକାଇଲା ଭଳି ଫଳ ଆସିଛି ଉତ୍ତର ଭୁବନେଶ୍ୱର ଆସନରୁ ।

ଏଠାରୁ ରାଜନୀତିର ‘ର’ ଜାଣିନଥିବା ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଥିଲେ ନବୀନ । ସୁଶାନ୍ତଙ୍କୁ ମିଳିଛି ୭୧ହଜାରରୁ ଅଧିକ ଭୋଟ । ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବଡ଼ ବ୍ୟବଧାନରେ ହରାଇବାରେ ସକ୍ଷମ ହୋଇଛନ୍ତି ।

ଏକାମ୍ର ଭୁବନେଶ୍ୱର ଆସନରୁ ଅଶୋକ ପଣ୍ଡାଙ୍କ ବିରୋଧରେ ବିଜେପିରୁ ବାବୁ ସିଂ ପ୍ରାର୍ଥୀ ହୋଇଥିଲେ । ସେ ପୂର୍ବରୁ ବିଜେଡିର ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଥିଲେ । କିନ୍ତୁ ଦଳୀୟ ନେତୃତ୍ୱ ବିରୋଧରେ ସେ ମୁହଁ ଖୋଲି ଚର୍ଚ୍ଚାକୁ ଆସିଥିଲେ । ପରେ ହଠାତ୍‌ ବିଜେପି ଶିବିରକୁ ଡେଇଁଥିଲେ । ବିଜେପି ବି ବାବୁଙ୍କ ଉପରେ ଭରସା କରି ତାଙ୍କୁ ଏକାମ୍ରରୁ ପ୍ରାର୍ଥୀ କରିଥିଲା । ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପାଇଁ ଜୋରଦାର ପ୍ରଚାର କରୁଥିଲେ । ନିଜସ୍ୱ ସଂଗଠନ ସହ ଦଳୀୟ ଭୋଟ୍‌କୁ ଭରସା କରି ବାବୁ ସିଂ ପ୍ରଚାର ମଇଦାନକୁ ଡେଇଁଥିଲେ । କିନ୍ତୁ ୨୫ହଜାରରୁ ଅଧିକ ଭୋଟ୍‌ରେ ସେ ଅଶୋକଙ୍କଠାରୁ ହାରିଛନ୍ତି । ୨୦୧୪ରେ ବିଜେଡିଠାରୁ ବିଜେପିର ଭୋଟ ବ୍ୟବଧାନ ୩୬ହଜାରରୁ ଅଧିକ ଥିଲା ।

ସେପଟେ ଦୁଇ ଥର ମେୟର ହୋଇ ଲୋକପ୍ରିୟତା ହାତେଇଥିବା ଅନନ୍ତ ନାରାୟଣ ଜେନା(ବୁନୁ)ପ୍ରଥମ ପ୍ରୟାସରେ ବିଧାନସଭାକୁ ଏଣ୍ଟ୍ରି ମାରିଛନ୍ତି । ମେୟର ପରେ ଏବେ ତାଙ୍କର ବିଧାୟକ ଅଭିଳାଷ ପୂରା ହୋଇଛି । ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ତାଙ୍କୁ ନେଇ ଅନେକ ବିବାଦ ଉଠିଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣକୁ ନେଇ ମଧ୍ୟ ଭୁବନେଶ୍ୱର ଆସନ ସବୁଠୁ ଚର୍ଚ୍ଚାରେ ଥିଲା । କିନ୍ତୁ ବୁନୁ ତାଙ୍କ ପ୍ରତିପକ୍ଷ ଜଗନ୍ନାଥଙ୍କୁ ହରାଇ ବିଜୟ ବାନା ଉଡାଇଛନ୍ତି । ଗତଥର ଏହି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ବ୍ୟବଧାନ ୨୨ହଜାରରୁ ଅଧିକ ଥିଲା । କିନ୍ତୁ ଏଥର ବ୍ୟବଧାନ ମାତ୍ର ୧୨ହଜାର ଭିତରେ ରହିଛି ।

ଭୁବନେଶ୍ୱର ଉତ୍ତର ଆସନରେ ବି ବିଜେଡି ଆରାମରେ ଜିତିଛି । ବିଜେଡି ୨୦୧୪ରେ ବିଜେପିଠାରୁ ୪୩୭୫୭ ଭୋଟରେ ଆଗୁଆ ଥିଲା । କିନ୍ତୁ ଏଥର ଭୋଟ ବ୍ୟବଧାନ ପ୍ରାୟ ଅଧା କମିଛି । ୨୫ହଜାରରୁ ଅଧିକ ଭୋଟ୍‌ରେ ବିଜେଡିର ନବାଗତ ପ୍ରାର୍ଥୀ ସୁଶାନ୍ତ ରାଉତ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ହରାଇଛନ୍ତି । ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ବିଜେପି କବ୍‌ଜା କରି ନେଇଛି । ତଥାପି ରାଜଧାନୀର ୩ଟି ଯାକ ବିଧାନସଭା ଆସନକୁ ବିଜେଡି ନିଜ ଅକ୍ତିଆରରେ ରଖିପାରିଛି ।

ବିଜୟୀଙ୍କ ମୁହଁରୁ
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ, ଜନତାଙ୍କୁ ଧନ୍ୟବାଦ: ସୁଶାନ୍ତ
ଉତ୍ତର ନିର୍ବାଚନ ମଣ୍ଡଳୀରେ ଜିତିଥିବା ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ କହିଛନ୍ତି, ଏ ବିଜୟର ଶ୍ରେୟ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି । ବହୁଳ ମାତ୍ରାରେ ସମର୍ଥନ ଦେଇଥିବାରୁ ଉତ୍ତର ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । ଓଡିଶାରେ ନବୀନ ପୁଣି ସରକାର ଗଢ଼ିବେ, ଏଥିରେ ଦ୍ୱିମତ ନାହିଁ । ଏକ ସୁସ୍ଥ ସରକାର ପାଇଁ ନିଜର ମତ ରଖିଥିବା ରାଜ୍ୟବାସୀଙ୍କୁ ମୋର ଅଶେଷ ଧନ୍ୟବାଦ । ଉତ୍ତର ଭୁବନେଶ୍ୱରରେ ପୂର୍ବ ଦିନରେ ଅନେକ ବିକାଶ ହୋଇଛି । ଆଗକୁ ଏ ଧାରା ବଜାୟ ରହିବ । ପଞ୍ଚାୟତ ଓ ବସ୍ତି ଅଞ୍ଚଳ ମୋର ଫୋକସ୍‌ରେ ରହିବ । ପଞ୍ଚାୟତର ଘରେ ଘରେ ପିଇବା ପାଣି ପହଞ୍ଚାଇବି । ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଦେବି । ଆଉ ଉଠାଦୋକାନୀଙ୍କୁ ଥଇଥାନ କରିବି ।
ନବୀନଙ୍କ ଲୋକପ୍ରିୟତା ପୁଣି ଥରେ ପ୍ରମାଣିତ: ଅଶୋକ
ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ ଜିତିଥିବା ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ନବୀନଙ୍କ ଲୋକପ୍ରିୟତା ପୁଣିଥରେ ପ୍ରମାଣିତ ହୋଇଛି । ମୋ ଉପରେ ପୁଣି ଥରେ ବିଶା୍ୱସ କରିଥିବାରୁ ଏକାମ୍ରର ଜନତାଙ୍କ ନିକଟରେ ମୁଁ କୃତଜ୍ଞ । ତାଙ୍କର ଏହି ବିଶ୍ୱାସକୁ ଆଗାମୀ ଦିନରେ ମୋ କାର୍ଯ୍ୟ ଜରିଆରେ କାଏମ୍‌ ରଖିବି । ପୂର୍ବରୁ ଭୁବନେଶ୍ୱର ଏକାମ୍ରରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି । ବିଦ୍ୟୁତ ସଂଯୋଗୀକରଣ, ବସ୍ତିରେ ଥଇଥାନକୁ ବ୍ୟାପକ କରାଯାଇଛି । ପର୍ଯ୍ୟଟନ ମାନଚିତ୍ରରେ ଏବେ ଆମେ ବହୁ ଆଗରେ । ଏହି ଧାରାକୁ ଆଗେଇ ନେବି । ଦାରିଦ୍ର ସୀମାରେଖା ତଳେ ଥିବା ଗରିବଙ୍କ ଉନ୍ନତି ମୋର ମୁଖ୍ୟ ଉଦ୍ଦେଶ୍ୟ ରହିବ । ମହିଳା ସଶକ୍ତିକରଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟର ପ୍ରସାର ଫୋକସ୍‌ରେ ରହିବ । ଏହାଛଡ଼ା ନିର୍ବାଚନ ମଣ୍ଡଳୀର ଜନତାଙ୍କ ମୁଣ୍ଡ ପିଛା ଆୟ ବଢ଼ାଇବା ଦିଗରେ କାମ କରିବି ।

ସମ୍ବନ୍ଧିତ ଖବର