ଭୁବନେଶ୍ୱର,୧/୧୧: ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ଭିଡିଓ ବିଜ୍ଞାପନରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ମୁହଁ ବ୍ୟବହାରକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆପତ୍ତି ଉଠାଇଛନ୍ତି । ଏହାର ପ୍ରତିବାଦ କରି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ପ୍ରତିବାଦ ପତ୍ର ଦେଇଛି ବିଜେଡି ।
ବିଜେଡି କହିଛି, ରାଜେନ୍ଦ୍ର ଢୋଲକିଆ ବିଜେଡିର ବିଧାୟକ ଥିଲେ । ରାଜେନ୍ଦ୍ର ଫଟୋ ରଖିଲେ କ୍ଷତି କଣ? ବିଜେଡି ଜାରି କରିଥିବା ଭିଡିଓକୁ ଜିଲ୍ଲାପାଳ କାହିଁକି ନିଷିଦ୍ଧ କଲେ? ବିଜେପି କିପରି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ବୋଲି ବିଜେଡି ପ୍ରଶ୍ନ ମଧ୍ୟ କରିଛି ।
ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ପ୍ରତିବାଦ ପତ୍ରରେ ଦର୍ଶାଇଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେଡି ପକ୍ଷରୁ ଏକ ଭିଡିଓ ହୋଇଥିଲା । ଯେଉଁଥିରେ ସମ୍ବଲପୁରୀ ଲୋଗୋ ସହ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ରହିଛି । ରାଜେନ୍ଦ୍ର ଢୋଲକିଆ ବିଜେଡିର ବିଧାୟକ ଥିଲେ । ତେଣୁ ବିଜେଡିର ଅଧିକାର ରହିଛି ତାଙ୍କର ଫଟୋ ସହ ବିଜ୍ଞାପନ ଭିଡିଓ କରିପାରିବ । ଅନ୍ୟଦଳର ପ୍ରାର୍ଥୀମାନେ ମଧ୍ୟ ବହୁ ଜଣଙ୍କର ଫଟୋ ରଖି ସେମାନଙ୍କର ନିର୍ବାଚନୀ ବିଜ୍ଞାପନ କରୁଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ପାତରଅନ୍ତର ନୀତି ଆପଣାଉଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ବାଚନରେ ସ୍ୱଚ୍ଛତା ଆଣନ୍ତୁ । ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତୁ । ବିଜେଡିର ଭିଡିଓକୁ ଅନୁମୋଦନ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।