କେନ୍ଦ୍ରାପଡ଼ା ୦୫/୦୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବିଜେପି ନେତା ଲଳିତ ବେହେରା ବିଡିଓଙ୍କ ଉପରେ କରିଥିବା ଆକ୍ରମଣ ଉଦ୍ୟମକୁ ଜିଲ୍ଲା ଓଏଏସ୍ (ଓଡ଼ିଶା ପ୍ରଶାସନିକ ସେବା ) ସଂଘ ଦୃଢ଼ ନିନ୍ଦା କରିଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ସହ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ନିନ୍ଦା ପ୍ରସ୍ତାବ ପ୍ରଦାନ କରିଛନ୍ତି । ସଂଘ ଦର୍ଶାଇଛି ଯେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଆକ୍ରମଣ କରିବା ଉଦ୍ୟମ ନିଶ୍ଚିତ ଭାବେ ଦୁଃଖଦ ବିଷୟ । ଓଏଏସ୍ ସଂଘର ଅଭିଯୋଗ ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଆରମ୍ଭ ପୁଲିସ ତଦନ୍ତ ହେବ। ବ୍ଲକ ଚେୟାରମ୍ୟାନଙ୍କ ପକ୍ଷରୁ ଅଭିଯୁକ୍ତ ନାଁରେ ଏତଲା। ଘଟଣା ପରେ ଛୁଟିରେ ଗଲେ ବିଡିଓ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସୂଚନା
ଏଥିପ୍ରତି ଓଏଏସ୍ ସଂଘ ଦୃଢ଼ ପ୍ରତିବାଦ କରିବା ସହିତ ଏପରି କାର୍ଯ୍ୟକଳାପ ନିଶ୍ଚିତ ଭାବେ ନିନ୍ଦନୀୟ । ଏହା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଓଏଏସ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା, ଗରଦପୁର ବିଡିଓ ଆଲୋକ ସେଠୀଙ୍କ ସମେତ ଅନ୍ୟ ବିଡ଼ିଓ, ତହସିଲଦାରମାନେ ଉପସ୍ଥିତ ଥିଲେ ।