ବିରୋଧୀଙ୍କୁ ରାଜନାଥଙ୍କ ଜବାବ: ବାଲାକୋଟରେ ୩୦୦ ମୋବାଇଲ ଫୋନ କ’ଣ ଗଛ ଧରିଥିଲେ ?

source:nenow.in
ଧୁବ୍ରି (ଆସାମ),୫ ।୩(ଏଜେନ୍ସି): ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶର ବାଲାକୋଟରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈସ୍-ଇମହମ୍ମଦର ମୁଖ୍ୟ ତାଲିମ୍ କେନ୍ଦ୍ର ଉପରେ ଭାରତୀୟ ବାୟୁସେନା ଗତମାସ ୨୬ ତାରିଖରେ ବିମାନ ଆକ୍ରମଣ କରିବା ଘଟଣାରେ କେତେ ଆତଙ୍କୀ ମରିଛନ୍ତି ତାହାର ସଂଖ୍ୟା ଆଜି ନହେଲେ କାଲି ଜଣାପଡିବ । କିନ୍ତୁ ଆକ୍ରମଣ ବେଳେ ଯେଉଁ ୩୦୦ ମୋବାଇଲ ଫୋନ୍ ସକ୍ରିୟ ଥିଲା ତାହା କ’ଣ ଗଛ ଧରିଥିଲେ? ଆତଙ୍କୀ ମୃତ୍ୟୃର ହିସାବ ମାଗୁଥିବ ବିରୋଧୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ଏଭଳି ଜବାବ ଦେଇଛନ୍ତି । ଆସାମର ଧୁବ୍ରିଠାରେ ବିଏସ୍ଏଫ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏକ ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ବାୟୁସେନା ଆକ୍ରମଣରେ କେତେ ଆତଙ୍କୀ
ମଲେ ତାହାର ହିସାବ କିଛି ରାଜନୈତିକ ଦଳର ନେତା ମାଗୁଛନ୍ତି । ଏହି ସଂଖ୍ୟା ଆଜି ନହେଲେ ଆସନ୍ତାକାଲି ଜଣାପଡିବ । ପାକିସ୍ତାନ ଓ ସେଠାକାର ନେତାମାନେ ଭଲ ଭାବେ ଜାଣିଛନ୍ତି କେତେ ଆତଙ୍କୀ ମରିଛନ୍ତି । କିନ୍ତୁ ଆମ ଦେଶର ବିରୋଧୀ ଦଳମାନେ କେତେ ମଲେ, କେତେ ମଲେ ବୋଲି ଚିତ୍କାର କରୁଛନ୍ତି । ବୋମା ମାଡ଼ କରି ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ପରେ ବାୟୁସେନାର
ଯବାନମାନେ କ’ଣ ସେଠାକୁ ଯାଇ ୧, ୨, ୩, ୪, ୫.. କରି କେତେ ମଲେ ଗଣିଥାନ୍ତେ? ଏହା କି ପ୍ରକାର ବାଚାଳାମୀ ବୋଲି ରାଜନାଥ କହିଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ଆକ୍ରମଣ ବେଳେ ବାଲାକୋଟ ଆତଙ୍କୀ ଆଡ୍ଡାରେ ୩୦୦ ମୋବାଇଲ ଫୋନ୍ ସକ୍ରିୟ ଥିଲା । ନ୍ୟାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନ୍ଟିଆରଓ) ଏହି ତଥ୍ୟ ଦେଇଛି । ଏନ୍ଟିଆରଓ ସରକାରଙ୍କ ଏକ ବିଶ୍ୱସନୀୟ ସଂସ୍ଥା । ଏହାର ତଥ୍ୟ କ’ଣ ଭୁଲ? ସେହି ସମୟରେ ସେଠାରେ କ’ଣ ଗଛ ମୋବାଇଲ ଫୋନ୍ ବ୍ୟବହାର କରୁଥିଲେ? ଏନ୍ଟିଆରଓ ତଥ୍ୟକୁ ଆପଣମାନେ କ’ଣ ଅବିଶ୍ୱାସ କରୁଛନ୍ତି? କେବଳ ସରକାର ଗଠନ ପାଇଁ ରାଜନୀତି ହେବା ଉଚିତ ନୁହେଁ । ଦେଶ ଗଠନ ପାଇଁ ମଧ୍ୟ ରାଜନୀତି ହେବା ଉଚିତ । ଯଦି ମୋର କଂଗ୍ରେସ ବନ୍ଧୁମାନେ ସଂଖ୍ୟା ଜାଣିବା ନିହାତି ଦରକାର ବୋଲି ଭାବୁଛନ୍ତି ତେବେ ସେମାନେ ପାକିସ୍ତାନ ଯାଆନ୍ତୁ । ସେଠାରେ ଗଣନ୍ତୁ ଓ ସେଠାକାର ଲୋକଙ୍କୁ ପଚାରନ୍ତୁ, ଆମ ଯବାନମାନେ କେତେ ଆତଙ୍କୀଙ୍କୁ ମାରିଛନ୍ତି । ଆତଙ୍କୀଙ୍କ ମୃତ୍ୟୁସଂଖ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ଏଭଳି ବୟାନ ଦେଇଛନ୍ତି । କଂଗ୍ରେସ, ଆପ୍, ଟିଏମ୍ସି ଭଳି ଦଳଗୁଡିକ କେତେ ଆତଙ୍କୀ ମରିଛନ୍ତି ତାହାର ସଂଖ୍ୟା ଦାବି କରୁଥିଲା ବେଳେ ବାୟୁସେନା କହିଛି ସରକାର ଏହି ସଂଖ୍ୟାର ହିସାବ ଦେବେ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି କି କେତେ ଆତଙ୍କୀ ମରିଛନ୍ତି ସେ ହିସାବ ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇସାରିଛି । ଦୁଇଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଥିଲେ କି ୨୫୦ରୁ ଅଧିକ ଆତଙ୍କବାଦୀ ମରିଛନ୍ତି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି କି ସରକାର ସଂଖ୍ୟା ତଥ୍ୟ ଦେଇନଥିବା ବେଳେ ଶାହ କିଭଳି ପାଇଲେ ତାର ଉତ୍ତର ଦିଅନ୍ତୁ ।