PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ରାଜ୍ୟସଭା କାଉଣ୍ଟଡାଉନ୍‌; କାହା ମୁଣ୍ଡରେ ସୁନା କଳସ

source:http://www.newindianexpress.com

ଭୁବନେଶ୍ୱର,୧୬ ।୬(ବ୍ୟୁରୋ): ଆରମ୍ଭ ହୋଇଛି ଅଙ୍କକଷା । ଆଶା ଓ ଆଶଙ୍କାରେ ନେତା । କିଏ ଯିବ ଦିଲ୍ଲୀ ଦରବାର । କାହାକୁ କୃପା କରିବେ ନବୀନ । କାହାମୁଣ୍ଡରେ ଢ଼ାଳିବେ ସୁନାକଳସ । ରାଜ୍ୟସଭା ଭୋଟ ନେଇ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ହଲଚଲ । ଆଶାୟୀମାନେ ଲବିକୁ ତେଜିଛନ୍ତି । ମାତ୍ର ନବୀନଙ୍କ ହାତରେ ଚୂଡ଼ାନ୍ତ ନିଷ୍ପତ୍ତି ।

ରାଜ୍ୟସଭା ପାଇଁ ବିଜେଡି ସୁପ୍ରିମୋ କାହାକୁ ବାଛିବେ? ବିଜେଡି ଶିବିରରେ ଏହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ରାଜ୍ୟସଭାର ୩ଟି ଆସନ ପାଇଁ ଆସନ୍ତା ଜୁଲାଇ ୫ରେ ଭୋଟ ହେବ । ବିଧାନସଭାରେ ବିଜେଡିର ବିଧାୟକ ସଂଖ୍ୟା ଅନୁସାରେ ୩ଟି ଯାକ ଆସନ ବିଜୁ ଜନତା ଦଳ କବ୍‌ଜା କରିବା ନିଶ୍ଚିତ । ତେଣୁ ସୁରକ୍ଷିତ ଭାବେ ରାଜ୍ୟସଭାକୁ ଯିବାକୁ ଦଳର ପ୍ରାୟ ଦୁଇ ଡଜନ ନେତା ଗୋଡ଼ ଟେକି ବସିଛନ୍ତି । ମାତ୍ର ରିମୋଟ୍‌ ନବୀନଙ୍କ ହାତରେ । ନବୀନ ଯାହାକୁ ପସନ୍ଦ କରିବେ ସେ ହିଁ ରାଜ୍ୟସଭାକୁ ଯିବେ । ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିଭଳି ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହି ୪ ନେତା ରାଜ୍ୟସଭା ସାଂସଦ ପଦବି ଛାଡ଼ିବା ପରେ ରାଜ୍ୟସଭାର ୪ ଆସନ ଖାଲି ପଡିଛି । ଅନୁଭବଙ୍କ କାର୍ଯ୍ୟକାଳ ବର୍ଷକରୁ କମ୍‌ ରହିଛି । ତେଣୁ ଏ ଆସନକୁ ବାଦ୍‌ ଦେଇ ୩ଟି ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଉପନିର୍ବାଚନ ପାଇଁ ଅଲଗା ଅଲଗା ଭୋଟ ହେବ । ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନ ଜିତିବା ନିଶ୍ଚିତ ।

ନିର୍ବାଚନ କମିଶନ ଭୋଟ ପାଇଁ ଦିନ ଧାର୍ଯ୍ୟ କରିବା ପରେ ବିଜେଡି ମୁଖିଆଙ୍କ ଆଶୀର୍ବାଦ ପାଇବାକୁ ଲବି ରାଜନୀତି ଆରମ୍ଭ ହୋଇଛି । ଏ ତାଲିକାରେ ଭୋଟ ଲଢ଼ିନଥିବା ବହୁ ବିଜେଡି ହେଭିୱେଟଙ୍କ ସହ ଭୋଟ ଲଢ଼ି ପରାଜୟ ବରଣ କରିଥିବା କିଛି ନେତା ଅଛନ୍ତି । ଏହାଛଡ଼ା ବିନା ସର୍ତ୍ତରେ ଦଳ ପାଇଁ ଭୋଟ ବେଳେ କାମ କରିଥିବା କିଛି ନେତାଙ୍କୁ ନବୀନ ନିବାସ ପୁରସ୍କୃତ କରିବାକୁ ନେଇ ଦଳ ଭିତରେ ଆଲୋଚନା ଦାନା ଧରିଛି ।

ରାଜ୍ୟସଭା ଯିବାକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ଭଳି ଭେଟେରାନଙ୍କ ଠାରୁ ଆରମ୍ଭ କରି ପରାଜୟ ବରଣ କରିଥିବା ସଂଜୟ କୁମାର ଦାସବର୍ମା ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ଏପରିକି ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କୁ ନେଇ ମଧ୍ୟ ଦଳ ଭିତରେ ଆଲୋଚନା ଜୋର ଧରିଛି । ମାତ୍ର ନବୀନ କାହାକୁ ଭରସା କରି ରାଜ୍ୟସଭା ପଠାଇବେ ତାହା ଏଯାଏ ଅସ୍ପଷ୍ଟ । ଜଣେ ମହିଳା ଯେ ବାଜି ମାରି ନନେବେ ତାହା ମଧ୍ୟ କହି ହେଉନି । ମହିଳାଙ୍କ ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାଁ ଏବେ ଆଗରେ ରହିଛି । ବିଜେଡି ଆଇଟି ସେଲ୍‌ ଦାୟିତ୍ୱ ବୁଝୁଥିବା ଅମର ପଟ୍ଟନାୟକ ରାଜ୍ୟସଭା ଦୌଡ଼ରେ ଆଗରେ ଥିବା ଚର୍ଚ୍ଚା ହେଉଛି । ଏ ନେଇ ଅମରଙ୍କୁ ପୂର୍ବରୁ ନବୀନ ଗ୍ରୀନ୍‌ ସିଗନାଲ ଦେଇଥିବା ଶୁଣାଯାଉଛି । ଏହାଛଡ଼ା ପରାଜୟ ବରଣ କରିଥିବା ବହୁ ନେତା ମଧ୍ୟ ରାଜ୍ୟସଭା ଯିବାକୁ ନବୀନ ନିବାସରେ ଚକ୍କର କାଟିବା ଆରମ୍ଭ କରିଛନ୍ତି । ବିନା ସର୍ତ୍ତରେ ଗତ ନିର୍ବାଚନରେ ଦଳ ପାଇଁ ନିଷ୍ଠାର ସହ କାମ କରିଥିବା କିଛି ନେତା ମଧ୍ୟ ଦିଲ୍ଲୀ ଯିବାକୁ ସୁଯୋଗ ପାଇବାକୁ ଏଡ଼ାଇ ଦିଆଯାଇ ନପାରେ । ଦଳ ପ୍ରତି ଆନୁଗତ୍ୟ ଓ ରାଜ୍ୟସଭାରେ ଭଲ ପ୍ରଦର୍ଶନ କରି ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ କରିବା ଭଳି ଯୋଗ୍ୟ ନେତାଙ୍କୁ ମଧ୍ୟ ନବୀନ ମାପଦଣ୍ଡ ଭାବେ ଗ୍ରହଣ କରିପାରନ୍ତି । ସବୁବେଳେ ରାଜ୍ୟସଭା ନିର୍ବାଚନ ବେଳେ ସମସ୍ତ କଳ୍ପନା ଜଳ୍ପନାକୁ ଓଲଟପାଲଟ କରି ନୂଆ ପ୍ରାର୍ଥୀ ଦେଉଥିବା ନବୀନ ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ କାହାକୁ ଯୋଗ୍ୟ ମଣିବେ ତାହା ଉପରେ ଏବେ ବିଜେଡି କ୍ୟାମ୍ପର ଆଖି ।

ଗତ ନିର୍ବାଚନ ସମୟରେ ଭୁବନେଶ୍ୱର ସାଂସଦ ଟିକେଟରୁ ବଞ୍ଚିତ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ନବୀନ ମିଡିଆକୁ କହିଥିଲେ । ବ୍ରହ୍ମପୁର ବିଧାନସଭାରୁ ଟିକେଟ ପାଇନଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ଯିବେ ବୋଲି ଖୋଦ ନବୀନ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପାଟ୍ଟଶାଣୀ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଆନ୍ତରିକତାର ସହ ସହଯୋଗ କରିନଥିବା ଶ୍ରୀ ପଟ୍ଟନାୟକ ନବୀନ ନିବାସରେ ଫେରାଦ ହୋଇଥିଲେ । ତେଣୁ ପାଟ୍ଟଶାଣୀଙ୍କ ରାଜ୍ୟସଭା ଟିକେଟ ତ୍ରିଶଙ୍କୁ ଭାବେ ଝୁଲୁଛି । ଶ୍ରୀ ଚ୍ୟାଉପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଏଭଳି ସ୍ଥିତିରେ ନବୀନ ପାଟ୍ଟଶାଣୀ ଓ ଚ୍ୟାଉ ପଟ୍ଟନାୟକଙ୍କୁ ଦିଲ୍ଲୀ ପଠାଇବେ ନା ନାହିଁ ତାହା ଶଙ୍କାରେ । ଯଦି ବି ଏ ଦୁଇ ଜଣ ଟିକେଟ ପାଆନ୍ତି, ଆଉ ଜଣେ କାହାକୁ ନବୀନ ରାଜ୍ୟସଭା ପଗଡ଼ି ପିନ୍ଧାଇବେ ତାହାକୁ ନେଇ ଦଳରେ ଆରମ୍ଭ ହୋଇଛି ଛକି-ଶୂନ ଖେଳ ।

ଏପରିକି ପାଟ୍ଟଶାଣୀ ଆଜି ଗଣମାଧ୍ୟମରେ ନବୀନ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି । ତେଣୁ ସେ ରାଜ୍ୟସଭା ଟିକେଟ୍‌ ପାଇବା ନେଇ ଦୃଢ଼ ଆଶାବାଦୀ । ଚ୍ୟାଉ ପଟ୍ଟନାୟକ ମଧ୍ୟ ସମାନ ଭାବେ ରାଜ୍ୟସଭା ଯିବାକୁ ଆଶା ବାନ୍ଧିଛନ୍ତି । ତେବେ ନବୀନ କଥା ଦେଇଥିବା ଦୁଇ ନେତା ପାଟ୍ଟଶାଣୀ ଓ ଚ୍ୟାଉ ପଟ୍ଟନାୟକଙ୍କୁ ଏଥର ରାଜ୍ୟସଭା ପଠାଇବେ ନା ଆସନ୍ତା ୨୦୨୦ ଏପ୍ରିଲରେ ଖାଲି ହେବାକୁ ଥିବା ୪ ଆସନ ପାଇଁ ନିର୍ବାଚନ ବେଳେ ପଠାଇବେ ତାହା କେହି ଠଉରାଇ ପାରୁନାହାନ୍ତି । ଆସନ୍ତା ଏପ୍ରିଲରେ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ୍‌, ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୂରିବ । ଏ ତିନି ଆସନ ସହ ଅନୁଭବଙ୍କ ଆସନ ପାଇଁ ମତଦାନ ହେବ । ତେଣୁ ବିଜେଡି ମୁଖିଆ କିଛି ଅସନ୍ତୁଷ୍ଟଙ୍କୁ ଆସନ୍ତା ଏପ୍ରିଲ ଯାଏ ଝୁଲାଇ ରଖିବା କୌଶଳକୁ ନିଶ୍ଚୟ ଆପଣାଇବେ ।

ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରୁ ଫେରିବା ପରେ ରାଜ୍ୟସଭା ଭୋଟ ଦଳରେ ଉଷ୍ମତା ଭରିଛି । ରାଜ୍ୟସଭା କାଉଣ୍ଟଡାଉନ ଆରମ୍ଭ ହୋଇଥିଲା ବେଳେ ନବୀନଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ଆଖି । ସୂଚନାଯୋଗ୍ୟ, ରାଜ୍ୟସଭାରେ ଖାଲି ହୋଇଥିବା ୩ ଆସନ ମଧ୍ୟରୁ ଅଚ୍ୟୁତ ଓ ସୌମ୍ୟଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ପର୍ଯ୍ୟନ୍ତ ଅଛି । ପ୍ରତାପଙ୍କ କାର୍ଯ୍ୟକାଳ ୨୦୨୨ ଜୁଲାଇ ପହିଲାରେ ସରିବ । ଅର୍ଥାତ୍‌ ଖାଲି ହୋଇଥିବା ଅଚ୍ୟୁତ ଓ ସୌମ୍ୟଙ୍କ ଆସନରେ ଯିଏ ନିର୍ବାଚିତ ହେବେ ତାଙ୍କ କାର୍ଯ୍ୟକାଳ ପ୍ରାୟ ୫ ବର୍ଷ ରହିବ । ପ୍ରତାପଙ୍କ ସ୍ଥାନରେ ଯିଏ ରାଜ୍ୟସଭାକୁ ଯିବେ ସେ ୩ ବର୍ଷର କ୍ଷମତା ଉପଭୋଗ କରିବେ । ଏବେ ସମସ୍ତଙ୍କ ଆଖି ନବୀନ ନିବାସ ଉପରେ ।