ନୂଆଦିଲ୍ଲୀ, ୧୬।୩: ବିହାର ରାଜ୍ୟସଭା ନିର୍ବାଚନରେ ମହାମେଣ୍ଟକୁ ବଡ଼ ଝଟକା । ୫ଟି ଆସନ ପାଇଁ ହେଉଥିବା ଏହି ଲଢ଼େଇରେ ଏନଡିଏ (NDA) ର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । AIMIM ଏବଂ BSP ର ସମର୍ଥନ ସତ୍ତ୍ୱେ ବିରୋଧୀ ମେଣ୍ଟ ଆବଶ୍ୟକୀୟ ୪୧ ସଂଖ୍ୟା ଛୁଇଁବାରେ ବିଫଳ ହୋଇଛି । କଂଗ୍ରେସର ୩ ଜଣ ଏବଂ ଆରଜେଡି (RJD) ର ଜଣେ ବିଧାୟକ ଭୋଟ୍ ଦେବାକୁ ନଆସିବା ଫଳରେ ତେଜସ୍ୱୀ ଯାଦବଙ୍କ ରଣନୀତି ଫେଲ୍ ମାରିଛି ।
ଆସନ୍ତୁ ଜାଣିବା ସେହି ୪ ବିଧାୟକଙ୍କ ବିଷୟରେ...
୧. ସୁରେନ୍ଦ୍ର କୁଶୱାହା (କଂଗ୍ରେସ)
ବାଲ୍ମୀକିନଗର ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସୁରେନ୍ଦ୍ର କୁଶୱାହା ପୂର୍ବରୁ ଉପେନ୍ଦ୍ର କୁଶୱାହାଙ୍କ ଦଳ RLSPରେ ଥିଲେ । ୨୦୨୦ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ଜିତିଥିଲେ ମଧ୍ୟ ସେ ଅନେକ ଦିନରୁ ଏନଡିଏ କ୍ୟାମ୍ପ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା । ନିକଟରେ RLM ପ୍ରଦେଶ ଅଧ୍ୟକ୍ଷ ଆଲୋକ ସିଂହ ତାଙ୍କୁ ଭେଟିବା ପରେ ତାଙ୍କର ଆଭିମୁଖ୍ୟ ବଦଳିଥିବା କୁହାଯାଉଛି ।
୨. ମନୋଜ ବିଶ୍ୱାସ (କଂଗ୍ରେସ)
ଫାରବିସଗଞ୍ଜରୁ ବିଜୟୀ ହୋଇଥିବା ମନୋଜ ବିଶ୍ୱାସ ଜଣେ ଦଳବଦଳୁ ନେତା ଭାବେ ଜଣାଶୁଣା । କଂଗ୍ରେସ ପୂର୍ବରୁ ସେ ଜେଡିୟୁ ଏବଂ ଆରଜେଡିରେ ମଧ୍ୟ ରହିସାରିଛନ୍ତି । ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କ ନିକଟତର କୁହାଯାଉଥିବା ମନୋଜ, ମାତ୍ର ୨୨୧ ଭୋଟ୍ ବ୍ୟବଧାନରେ ବିଧାୟକ ହୋଇଥିଲେ । ନିର୍ବାଚନ ସମୟରେ ଅନୁପସ୍ଥିତ ରହି ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
୩. ମନୋହର ପ୍ରସାଦ ସିଂହ (କଂଗ୍ରେସ)
ମଣିହାରୀ ଆସନରୁ ୪ ଥର ବିଧାୟକ ହୋଇଥିବା ମନୋହର ପ୍ରସାଦ ସିଂହ ଜଣେ ଅଭିଜ୍ଞ ନେତା । ସେ ମୂଳତଃ ଜେଡିୟୁର ନେତା ଥିଲେ, କିନ୍ତୁ ୨୦୧୫ରେ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ଥାଇ ମଧ୍ୟ ଜେଡିୟୁ ନେତାଙ୍କ ସହ ତାଙ୍କର ଘନିଷ୍ଠତା ଆଜି ମହାମେଣ୍ଟ ପାଇଁ ମହଙ୍ଗା ପଡ଼ିଛି ।
୪. ଫୈସଲ ରେହମାନ (RJD)
ଢାକା ନିର୍ବାଚନ ମଣ୍ଡଳୀରୁ ଆରଜେଡି ବିଧାୟକ ଫୈସଲ ରେହମାନ ହେଉଛନ୍ତି ପୂର୍ବତନ ସାଂସଦ ମୋତିଉର ରେହମାନଙ୍କ ପୁଅ । ବିଜେପି ପ୍ରାର୍ଥୀଙ୍କୁ ସାମାନ୍ୟ ବ୍ୟବଧାନରେ ହରାଇ ସେ ବିଧାନସଭାକୁ ଆସିଥିଲେ । ଜେଡିୟୁର ଜଣେ ପ୍ରଭାବଶାଳୀ ସାଂସଦଙ୍କ ସହ ତାଙ୍କର ସମ୍ପର୍କ ଏହି ଭୋଟ୍ ବର୍ଜନ ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହି ୪ ବିଧାୟକଙ୍କ ଅନୁପସ୍ଥିତି ବିରୋଧୀ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ବିହାର ରାଜନୀତିରେ ମହାଗଠବନ୍ଧନ ଦୁର୍ବଳ ହେବା ସହ ଏନଡିଏର ପଲ୍ଲା ଭାରି ହୋଇଛି ।